କନକ ବ୍ୟୁରୋ: କରୋନା ଭୂତାଣୁ ଲେଉଟିବା ପରେ ହୁ ହୁ ହେଇ ମାଡି ଚାଲିଛି ସଂକ୍ରମଣ । ଦ୍ୱିତୀୟ ଲହର ଆରମ୍ଭ ହେବାର ମାତ୍ର ଦିନ କେଇଟା ଭିତରେ ଦୈନିକ ସଂକ୍ରମଣ ସଂଖ୍ୟା ପାଖାପାଖି ୯୦ ହଜାରରେ ପହଁଚିଛି । ମାର୍ଚ୍ଚ ୧୨ରେ ସାରାଦେଶରୁ ୨୩ ହଜାର ନୂଆ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ, ଅପ୍ରେଲ ୩ ତାରିଖରେ ଏହି ସଂଖ୍ୟା ୯୦ହଜାର ଛୁଇଁବାକୁ ଯାଉଛି ।
ଦୈନିକ କରୋନା ଆକ୍ରାନ୍ତ ଚିହ୍ନଟ
- ୧୨ ମାର୍ଚ୍ଚ - ୨୩ ହଜାର ୨୮୫
- ୨୦ ମାର୍ଚ୍ଚ - ୪୦ ହଜାର ୯୫୩
- ୨୬ ମାର୍ଚ୍ଚ - ୫୯ ହଜାର ୧୧୮
- ୧ ଅପ୍ରେଲ - ୭୨ ହଜାର ୩୩୦
- ୨ ଅପ୍ରେଲ - ୮୧ ହଜାର ୪୬୬
- ୩ ଅପ୍ରେଲ - ୮୯ ହଜାର ୧୨୯
ଶୁକ୍ରବାର ଯେତିକି ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ତାହା ସେପ୍ଟେମ୍ବର ୨୬ ପରେ ଅର୍ଥାତ ୬ମାସରେ ସର୍ବାଧିକ । ଗତବର୍ଷ ସେପ୍ଟେମ୍ବର ମାସରେ ସାରା ଦେଶରେ ଶୀର୍ଷରେ ଥିଲା କରୋନା ସଂକ୍ରମଣ । ଦ୍ୱିତୀୟ ଲହରରେ ବଢ଼ୁଥିବା ସଂକ୍ରମଣ ପ୍ରଥମ ଲହରଠାରୁ ଢ଼େର ଅଧିକ ରହିଛି । ତଥ୍ୟ ଅନୁସାରେ ପ୍ରଥମ ଲହର ତୁଳନାରେ ବର୍ତମାନ କରୋନା ସଂକ୍ରମଣ ହାର ପ୍ରାୟ ତିନି ଗୁଣ ଅଧିକ ରହିଛି । ପ୍ରଥମ ଲହର ସମୟରେ ୨୭ ଜୁନ୍ ୨୦୨୦ରେ ୨୦ ହଜାର ସଂକ୍ରମିତ ଚିହ୍ନଟ ହୋଇଥିଲେ । ୩୦ ଅଗଷ୍ଟରେ ୮୦ ହଜାର ପଜିଟିଭ୍ ଚିହ୍ନଟ ହୋଇଥିଲେ । ଅର୍ଥାତ ପ୍ରଥମ ଲହର ସମୟରେ ୨୦ ହଜାରରୁ ୮୦ ହଜାରରେ ପହଁଚିବାକୁ ୬୪ ଦିନ ଲାଗିଥିଲା । କିନ୍ତୁ ଦ୍ୱିତୀୟ ଲହରରେ ୨୦ ହଜାରରୁ ୮୦ ହଜାରରେ ପହଁଚିବାକୁ ମାତ୍ର ୨୦ ଦିନ ସମୟ ଲାଗିଛି ।
ଦ୍ୱିତୀୟ ଲହରରେ କରୋନା ସଂକ୍ରମଣ ସଂଖ୍ୟା ବଢ଼ୁଥିଲେ ବି ମୃତ୍ୟୁ ହାର କମ୍ ରହୁଥିଲା । ହେଲେ ଶୁକ୍ରବାର ଏହା ଲମ୍ବା ଡିଆଁ ମାରିଛି । ଶୁକ୍ରବାର ୭୧୪ ଜଣଙ୍କର ମୃତ୍ୟୁ ହୋଇଛି । ସେମାନଙ୍କ ମଧ୍ୟରୁ କେବଳ ମହାରାଷ୍ଟ୍ରରୁ ୪୮୧ ଜଣଙ୍କର ମୃତ୍ୟୁ ହୋଇଛି । ମହାରାଷ୍ଟ୍ର ପଛକୁ ପଞ୍ଜାବରୁ ୫୭ ,ଛତିଶଗଡରୁ ୪୩, ଉତ୍ତରପ୍ରଦେଶରୁ ୧୬, ମଧ୍ୟପ୍ରଦେଶରୁ ୧୬, କେରଳରୁ ୧୪ ଓ ଦିଲ୍ଲୀରୁ ୧୪ ଜଣଙ୍କର ମୃତ୍ୟୁ ହୋଇଛି ।