ଶପଥ ଗ୍ରହଣର କେଇ ଘଣ୍ଟା ପରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା ! ଶିବାଜୀ ଦୁର୍ଗର ପୁନଃଉଦ୍ଧାର ପାଇଁ ଖର୍ଚ୍ଚ ହେବ ୨୦ କୋଟି ଟଙ୍କା

514

ଶପଥ ଗ୍ରହଣ କରିବାର କେଇ ଘଣ୍ଟା ପରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ନିଜ କ୍ୟାବିନେଟର ପ୍ରଥମ ବୈଠକରେ ଗୁରୁବାର ରାତିରେ ଅଧ୍ୟକ୍ଷତା କରିଛନ୍ତି । ଏହି ବୈଠକରେ ଛତ୍ରପତି ଶିବାଜୀ ମହାରାଜଙ୍କୁ ନେଇ ଏକ ବଡ ଘୋଷଣା କରାଯାଇଛି । ବୈଠକରେ ହୋଇଥିବା ନିଷ୍ପତି ଅନୁସାରେ ଶିବାଜୀଙ୍କ ରାଜଧାନୀ ରାୟଗଡକୁ ପୁନଃଉଦ୍ଧାର କରାଯିବ । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏହି ପ୍ରକଳ୍ପରେ ୨୦ କୋଟି ଟଙ୍କା ଖର୍ଚ୍ଚ ହେବ । ସେ ରାଜ୍ୟର ମୁଖ୍ୟ ସଚିବଙ୍କୁ ଚାଷୀଙ୍କ ମଙ୍ଗଳ ପାଇଁ ଏଯାଏଁ ନିଆ ଯାଇଥିବା ପଦକ୍ଷେପ ବାବଦରେ ସୂଚନା ମାଗିଛନ୍ତି । ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ସହିତ ଶପଥ ନେଇଥିବା ୬ ଜଣ ମନ୍ତ୍ରୀଙ୍କ ସମେତ ଏନସିପି ନେତା ଅଜିତ ପାୱାର ଓ ଆଦିତ୍ୟ ଠାକରେ ମଧ୍ୟ ଉପସ୍ଥିତ ଥିଲେ । ଏହି ସମୟରେ ସାମ୍ବାଦିକଙ୍କ ସେକ୍ୟୁଲାର ଶବ୍ଦକୁ ନେଇ ପଚାରାଯାଇଥିବା ପ୍ରଶ୍ନରେ ଉଦ୍ଧବ ବିରକ୍ତି ପ୍ରକାଶ କରିଥିଲେ ।

ଠାକରେ କହିଛନ୍ତି, ଆମର ସୌଭାଗ୍ୟ ଯେ, କ୍ୟାବିନେଟ ପ୍ରଥମ ବୈଠକରେ ଛତ୍ରପତି ଶିବାଜୀ ମହାରାଜଙ୍କ ରାଜଧାନୀ ରାୟଗଡ ଦୁର୍ଗ ଉପରେ ନିଷ୍ପତି ନିଆଯାଇପାରିଛି । ଏହି ଦୁର୍ଗ ପାଇଁ ୨୦ କୋଟି ଖର୍ଚ୍ଚ ହେବ ଏବଂ ଏହି ପ୍ରସ୍ତାବ ପାସ୍ କରିଦିଆଯାଇଛି । ଠାକରେ ମଧ୍ୟ ପ୍ରଥମ ବୈଠକରେ ଚାଷୀଙ୍କ ବିଷୟରେ ଆଲୋଚନା କରିଛନ୍ତି । ଉଦ୍ଧବ କହିଛନ୍ତି ଯେ, ଅଦିନିଆ ବର୍ଷା ଯୋଗୁଁ ବନ୍ୟା କାରଣରୁ ରାଜ୍ୟରେ ଚାଷୀଙ୍କ ଅବସ୍ଥା ଭଲ ନାହିଁ । ଏହା ପାଇଁ ଛୋଟ ଘୋଷଣା ହେବ ନାହିଁ । ମୁଁ ଚାଷୀଙ୍କ ଭଲ ପାଇଁ ସୂଚନା ମାଗିଛି ଏହା ସହ ପ୍ରକୃତ ସ୍ଥିତି ବାବଦରେ ଜାଣିବାକୁ ଚାହୁଁଛି । ତାଙ୍କ ପାଇଁ କଣ କରାଯାଇପାରିବ ଦିନେ କି ଦୁଇ ଦିନ ମଧ୍ୟରେ ଘୋଷଣା ହେବ ।