ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ଖୋଲା ଚ୍ୟାଲେଂଜ୍ । କହିଲେ, ଦମ୍ ଅଛି ତ’ ସରକାର ଭାଙ୍ଗି ଦେଖାଅ । ନାଁ ନନେଇ ପ୍ରଧାନମନ୍ତ୍ରୀଙ୍କୁ କଲେ କଟାକ୍ଷ: ଉଦ୍ଧବ କହିଲେ, ଥାଳି-ତାଳି ବଜାଇବା ହିନ୍ଦୁତ୍ୱ ଶିବସେନାର ନୁହେଁ

771

କନକ ବ୍ୟୁରୋ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଦଶହରା ରାଲିକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି । ମୁମ୍ବାଇରେ ଶିବସେନା ପକ୍ଷରୁ ଆୟୋଜିତ ଦଶହରା ରାଲିକୁ ସମ୍ବୋଧିତ କରି ଉଦ୍ଧବ ବିଜେପିକୁ ସମାଲୋଚନା କରିବା ସହ ହିନ୍ଦୁତ୍ୱ ପ୍ରସଙ୍ଗରେ ମୋଦିଙ୍କୁ ଶାଣିତ କଟାକ୍ଷ କରିଛନ୍ତି । ରାଲିକୁ ସମ୍ବୋଧିତ କରି ଉଦ୍ଧବ ଠାକରେ କହିଛନ୍ତି ମୁଖ୍ୟମନ୍ତ୍ରୀ ହେବା ଦିନଠୁ ରାଜ୍ୟ ସରକାର ଭାଙ୍ଗିଯିବ ବୋଲି କୁହାଯାଉଛି । ବିଜେପିର ନାମ ନନେଇ ଉଦ୍ଧବ ଚାଲେଞ୍ଜ ଦେଇ କହିଛନ୍ତି ଯଦି ଦମ ଅଛି ତେବେ ସରକାର ଭାଙ୍ଗି କି ଦେଖାଅ । ସେହିପରି ହିନ୍ଦୁତ୍ୱ ପ୍ରସଙ୍ଗ ନେଇ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ କହିଛନ୍ତି, ଆମ ହିନ୍ଦୁତ୍ୱକୁ ନେଇ ପ୍ରଶ୍ନ ଉଠା ଯାଉଛି । କାରଣ ଆମେ ମନ୍ଦିର ଖୋଲୁ ନାହିଁ ।

ଏପରିକି ବାଲା ସାହେବ ଠାକରେଙ୍କ ଠାରୁ ଆମ ହିନ୍ଦୁତ୍ୱ ଅଲଗା ବୋଲି କହୁଛନ୍ତି । ହେଲେ ଆପଣଙ୍କ ହିନ୍ଦୁତ୍ୱ ଘଂଟି ଓ ବାସନ ବଜାଇବା ହିନ୍ଦୁତ୍ୱ, ଆମ ହିନ୍ଦୁତ୍ୱ ସେମିତି ନୁହେଁ ବୋଲି କହିଛନ୍ତି ଉଦ୍ଧବ । ଏଥିସହ ସେ କହିଛନ୍ତି, ଯେଉଁମାନେ ଏବେ ହିନ୍ଦୁତ୍ୱକୁ ନେଇ ମୁଖର ହେଉଛନ୍ତି, ସେମାନେ ବାବ୍ରୀ ମସଜିଦ ଭଙ୍ଗା ଘଟଣା ବେଳେ ଲଜ୍ଜିତ ହେଉଥିଲେ । ତେବେ ଉଦ୍ଧବଙ୍କ ବାସନ ବଜାଇବା ହିନ୍ଦୁତ୍ୱ ମନ୍ତବ୍ୟକୁ ପ୍ରଧାନମନ୍ତ୍ରୀଙ୍କ ସହଯୋଡି ଦେଖାଯାଉଛି । କରୋନାରେ କର୍ମବୀରଙ୍କୁ ଉତ୍ସାହିତ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ଜନତାଙ୍କୁ ଶଙ୍ଖ, ଥାଳି ବଜାଇବାକୁ ଅପିଲ କରିଥିଲେ । ଯାହାକୁ ଲକ୍ଷ୍ୟ କରି ଉଦ୍ଧବ କଟାକ୍ଷ କରିଥିବା ଚର୍ଚ୍ଚା ହେଉଛି ।