ପୁଣି ବିଜେପି ସହ ମେଣ୍ଟ କରିବ କି ଶିବସେନା, ଉଦ୍ଧବ ଦେଲେ ଏମିତି ଇଶାରା

137

କନକ ବ୍ୟୁରୋ: ମହାରାଷ୍ଟ୍ରରେ ପୁଣି ବିଜେପି ସହ ମେଣ୍ଟ କରିପାରେ ଶିବସେନା । ଏକ କାର୍ଯ୍ୟକ୍ରମରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଏକ ବୟାନ ଏଭଳି ଆଶଂକାକୁ ମଜବୁତ କରିଛି । ଠାକରେ ଔରଙ୍ଗାବାଦରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ବରିଷ୍ଠ ବିଜେପି ନେତା ରାଓସାହେବ ଦାନବେଙ୍କ ନାମ ନେଇ କହିଥିଲେ କି ସେ ମୋର ପୁରୁଣା ମିତ୍ର ଓ ଭବିଷ୍ୟତରେ ବିଜେପି ସହ ଯଦି ଆମକୁ ମେଣ୍ଟ କରିବାକୁ ପଡିବ ତେବେ ସେ ବି ଆମର ଭବିଷ୍ୟତ ମିତ୍ର ହେବେ । ଠାକରେଙ୍କ ବୟାନ ଉପସ୍ଥିତ ଜନତାଙ୍କ ମୁହଁରେ ହସ ଆଣିଥିଲେ ବି ଏହି ବୟାନ ଏକ ନୂଆ ଅଟକଳକୁ ଜନ୍ମ ଦେଇଛି । ରାଜ୍ୟର ରାଜନୈତିକ ବିଶେଷଜ୍ଞଙ୍କ ପାଇଁ ଏହା ଏକ ବଡ ସଂକେତ ଦେଲା ।

ଲୋକଙ୍କ ଭିତରେ ଆଶଂକା ସୃଷ୍ଟି ହେବା ନଜର କରି ଉଦ୍ଧବ କହିଥିଲେ କି ଏହା ଏକ ଥଟ୍ଟାମଜା । ହେଲେ ଉଦ୍ଧବ ମୁହଁରୁ ଏଭଳି ଶୁଣିବା ପରେ ଅନୁମାନ କରାଯାଉଛି କି ଆଗାମୀ ବିଧାନସଭା ନିର୍ବାଚନ ବେଳକୁ ମହାଅଗାଡି ମେଣ୍ଟରେ କିଛି ପରିବର୍ତ୍ତନ ହେବାକୁ ଯାଉଛି ।

ସେପଟେ ଉଦ୍ଧବଙ୍କ ଏଭଳି ବୟାନ ପରେ କଂଗ୍ରେସ ନେତା ନାନା ପଟେଲ କହିଛନ୍ତି ମୁଖ୍ୟମନ୍ତ୍ରୀ କେବେ କେବେ ଥଟ୍ଟା ମଜା କରିଥାନ୍ତି । ହେଲେ ମେଣ୍ଟ ସରକାର ରାଜ୍ୟରେ ପୂର୍ଣ୍ଣ ସମୟ ପାଇଁ ସରକାର କରିବ ବୋଲି ନାନା କହିଛନ୍ତି । ମହାରାଷ୍ଟ ମେଣ୍ଟ ସରକାରରେ କୌଣସି ସମସ୍ୟା ନାହିଁ ।

କହିରଖୁ କି ମହାରାଷ୍ଟ୍ରରେ ଶିବସେନା ବିଜେପିର ହାତ ଛାଡିବା ପରେ କଂଗ୍ରେସ ଓ ଏନସିପି ସହ ମେଣ୍ଟରେ ସରକାର ଗଠନ କରିଛି । ହେଲେ କଂଗ୍ରେସ ଓ ଏନସିପିକୁ ଖୁସି କରିବାରେ ଶିବସେନା ସର୍ବଦା ସଫଳ ହେଉନଥିବାରୁ ଏହାକୁ ନେଇ ସହଯୋଗୀ ନେତାମାନେ ବେଳେ ବେଳେ ସରକାର ବିରୋଧୀ ସୂଚନା ଦେଉଛନ୍ତି । ଅନ୍ୟପଟେ କିଛିମାସ ତଳେ ଏନସିପି ମୁଖ୍ୟ ଶରଦ ପାୱାର ବାରମ୍ବାର ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପରେ ମେଣ୍ଟ ସରକାର ଭାଙ୍ଗିବା ନେଇ ଆକଳନ କରାଯାଉଥିଲା ।