ମହାରାଷ୍ଟ୍ର ମହାନାଟକରେ ପଡ଼ିପାରେ ଯବନିକା ! ଆଜି ଦିଲ୍ଲୀରେ ବିଜେପି ଅଧ୍ୟକ୍ଷଙ୍କୁ ଭେଟି ଆଲୋଚନା କରିବେ ଦେବେନ୍ଦ୍ର ଫଡ଼ନାବିସ୍

ଏପଟେ ଶିବସେନା-ଏନସିପି ଓ କଂଗ୍ରେସ ମିଳିତ ଭାବେ ସରକାର ଗଢ଼ିବା ନେଇ ସୋନିଆ ଗାନ୍ଧୀଙ୍କୁ ଭେଟିବେ ଏନ୍ସିପି ମୁଖ୍ୟ ଶରଦ ପାୱାର

279

କନକ ବ୍ୟୁରୋ: ମହାରାଷ୍ଟ୍ରରେ କିଏ ଗଢ଼ିବ ସରକାର ଏବଂ କିଏ ହେବେ ମୁଖ୍ୟମନ୍ତ୍ରୀ ତାକୁ ନେଇ ଅଙ୍କ ଛିଣ୍ଡୁନଥିବା ବେଳେ ଆଜି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିପାରନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସ୍ । ମହାରାଷ୍ଟ୍ରରେ ସରକାର ଗଠନ ନେଇ ଯେଉଁ ସମସ୍ୟା ଉପୁଜିଛି, ସେହି ପ୍ରସଙ୍ଗରେ ଫଡ଼ନାବିସ୍, ଅମିତ ଶାହାଙ୍କ ସହ ଆଲୋଚନା କରିବାର ସଂଭାବନା ରହିଛି । ଅମିତ ଶାହା ଏହି ପ୍ରସଙ୍ଗରେ ହସ୍ତକ୍ଷେପ କରିବା ସହ ଶିବସେନା ସହ କଥାବାର୍ତା କରିବାର ସଂଭାବନା ରହିଛି ବୋଲି ବିଜେପିର ଜଣେ ବରିଷ୍ଠ ନେତା ସୂଚନା ଦେଇଛନ୍ତି । ଶିବସେନାକୁ ମନ୍ତ୍ରୀମଣ୍ଡଳରେ ବଡ଼ ବଡ଼ ବିଭାଗ ଦିଆଯାଇପାରେ କିନ୍ତୁ ମୁଖ୍ୟମନ୍ତ୍ରୀ ଆସନ ନୁହେଁ ବୋଲି ଏହି ବିଜେପି ନେତା ଗଣମାଧ୍ୟମକୁ ସ୍ପଷ୍ଟ କରିଛନ୍ତି । ମୁଖ୍ୟମନ୍ତ୍ରୀ ଆସନ ପାଇଁ କୌଣସି ମୁଳଚାଳ କରିବ ନାହିଁ ଦଳ ବୋଲି ବିଜେପି ପକ୍ଷରୁ କୁହାଯାଇଛି । ଗତ ୨୪ ତାରିଖରୁ ନିର୍ବାଚନ ଫଳାଫଳ ଆସିଥିଲେ ସୁଦ୍ଧା ସରକାର କିଏ ଗଢ଼ିବ ତାହା ଚୁଡ଼ାନ୍ତ ହୋଇପାରୁନାହିଁ ।

ଏପଟେ ଶିବସେନା ମୁଖ୍ୟମନ୍ତ୍ରୀ ଓ ଫିପଟି ଫିପଟି ଫର୍ମୂଲାକୁ ନେଇ ଅଡି ବସିଛି । ଏଥିପାଇଁ ବିଜେପି-ଶିବସେନା ମେଂଟ ସରକାର ଗଠନ ପ୍ରକ୍ରିୟା ଆଗେଇ ପାରୁ ନାହିଁ । ଆଉ ଏହି ଅଚଳାବସ୍ଥା ଭିତରେ ଶିବସେନା ଓ ଏନସିପି ମେଂଟ ସମ୍ଭାବନାର ସଙ୍କେତ ମିଳିଛି । ଶିବସେନା ସାଂସଦ ସଂଜୟ ରାଉତ କହିଛନ୍ତି ଦଳ ସମର୍ଥନରେ ୧୭୦ ବିଧାୟକ ଅଛନ୍ତି । ତେଣୁ ବିଜେପି ସହ କେବଳ ମୁଖ୍ୟମନ୍ତ୍ରୀ ପାଇଁ କଥାବାର୍ତା କରାଯିବ । ସେପଟେ ନିର୍ବାଚନ ଫଳାଫଳ ଘୋଷଣା ପରଠୁ ବିରୋଧୀ ଆସନରେ ବସିବୁ ବୋଲି କହୁଥିବା ଏନସିପିର ସ୍ୱର ବଦଳିଛି । ଏନସିପି ନେତା ଅଜିତ ପାୱାର କହିଛନ୍ତି, ସଂଜୟ ରାଉତଙ୍କ ମେସେଜ ଆସିିଛି, ଆଗକୁ ତାଙ୍କ ସହ କଥା ହେବି । ଅନ୍ୟପଟେ ମହାରାଷ୍ଟ୍ରରେ ସରକାର ଗଠନ ପାଇଁ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ସହ ଆଲୋଚନା ପାଇଁ ଦିଲ୍ଲୀରେ ଅଛନ୍ତି । ତେଣୁ ବିଜେପିକୁ ଛାଡି କଂଗ୍ରେସ, ଏନ୍ସିପି ସହାୟତାରେ ଶିବସେନା ମହାରାଷ୍ଟ୍ରରେ ସରକାର ଗଢିବା ଚର୍ଚ୍ଚା ଜୋର ଧରିଛି ।

ଏବେ ନଜର ପକାନ୍ତୁ ମହାରାଷ୍ଟ୍ର ରାଜନୀତିର କିଛି ଗୁରୁତ୍ୱପୂୂର୍ଣ୍ଣ ତଥ୍ୟ ଉପରେ…

– ୨୪ ତାରିଖରେ ଆସିଥିଲା ମହାରାଷ୍ଟ୍ର ଫଳାଫଳ, ଏହାରି ଭିତରେ ସପ୍ତାହେ ବିତିଲାଣି

– ଆସନ୍ତା ୯ ତାରିଖରେ ସରୁଛି ମହାରାଷ୍ଟ୍ର ବିଧାନସଭାର କାର୍ଯ୍ୟକାଳ

-ଏହା ପୂର୍ବରୁ ନୂଆ ସରକାର ଗଠନ ନହେଲେ, ରାଜ୍ୟପାଳ ଶାସନ ଲାଗୁ ହୋଇପାରେ

– ସରକାର ଗଠନ ପାଇଁ ୧୪୫ ବିଧାୟକଙ୍କ ସମର୍ଥନ ଆବଶ୍ୟକ ରହିଛି

– ବିଜେପି ୧୦୫ ଏବଂ ଶିବସେନା ୫୬ ଆସନରେ ବିଜୟୀ ହୋଇଛନ୍ତି

– ସରକାର ଗଠନ ପାଇଁ ଉଭୟ ଦଳର ସଂଖ୍ୟା ଯଥେଷ୍ଟ, କିନ୍ତୁ ମୁଖ୍ୟମନ୍ତ୍ରୀ ପଦ ପାଇଁ ଲଢ଼େଇ ଚାଲିଛି

– ବିଜେପି ଓ ଶିବସେନାର ଶୀତଳଯୁଦ୍ଧ ନୂଆ ସମୀକରଣର ସଂଭାବନା ସୃଷ୍ଟି କରିଛି