କନକ ବ୍ୟୁରୋ : ମହାରାଷ୍ଟ୍ରରୁ ଆରମ୍ଭ ହେବ କରୋନାର ତୃତୀୟ ଲହର । ବିଶେଷଜ୍ଞଙ୍କ ଏଭଳି ଚେତାବନୀ ପରେ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛନ୍ତି ଉଦ୍ଧବ ସରକାର । ରାଜ୍ୟର ପ୍ରାୟ ୭ଟି ଜିଲ୍ଲାରେ ୨୦ରୁ ଅଧିକ ଡେଲ୍ଟା ପ୍ଲସ ଭାରିଆଂଟ ଚିହ୍ନଟ ହେଲାଣି । ଏବଂ ଆଶଙ୍କା କରାଯାଉଛି, କରୋନାର ଏହି ନୂଆ ମ୍ୟୁଟେସନ ହିଁ ତୃତୀୟ ଲହର ଆଣିପାରେ । କାରଣ ଏହା ଅପେକ୍ଷାକୃତ ଦ୍ରୁତ ବେଗରେ ସଂକ୍ରମିତ ହେବ ।
ତୃତୀୟ ଲହର ବେଳକୁ ଛୋଟପିଲା ମଧ୍ୟ ଅଧିକ ସଂକ୍ରମିତ ହୋଇପାରନ୍ତି ବୋଲି ଆଶଙ୍କା କରାଯାଉଛି । ବିଶେଷଜ୍ଞଙ୍କ ମତରେ ତୃତୀୟ ଲହର ବେଳକୁ ମହାରାଷ୍ଟ୍ରରେ ୫୦ ଲକ୍ଷ ପଜିଟିଭ ମାମଲା ସାମ୍ନାକୁ ଆସିବ । ଏପିରିକି ପ୍ରାୟ ୨୫ ଲକ୍ଷ ଲୋକଙ୍କୁ ହସ୍ପିଟାଲ ଚିକିତ୍ସା ଆବଶ୍ୟକ ପଡିବ । ସେହିପରି ୫ଲକ୍ଷ ଶିଶୁ ସଂକ୍ରମିତ ହେବାସହ ପ୍ରାୟ ଅଢେଇ ଲକ୍ଷ ଶିଶୁଙ୍କୁ ମଧ୍ୟ ହସ୍ପିଟାଲରେ ରଖି ଚିକିତ୍ସା କରିବାକୁ ପଡିପାରେ ।
ତେବେ ସମ୍ଭାବ୍ୟ ତୃତୀୟ ଲହରକୁ ଆଖିରେ ରଖି ସ୍ୱାସ୍ଥ୍ୟ ଭିତିଭୂମି ଓ ମୁକାବିଲା ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ । ହେଲେ ମହାରାଷ୍ଟ୍ରରେ ସର୍ବାଧିକ ୮ ଲକ୍ଷ ସକ୍ରିୟ ମାମଲାର ମୁକାବିଲା ପାଇଁ ସ୍ୱାସ୍ଥ୍ୟ ଭିତିଭୂମି ରହିଥିବା ମୁଖ୍ୟମନ୍ତ୍ରୀଙ୍କୁ ସୂଚନା ଦିଆଯାଇଛି । ତୃତୀୟ ଲହରର ମୁକାବିଲା ପାଇଁ ମୋଟ୍ ୧୬ଶହ ୭୬ କୋଟି ଟଙ୍କା ଆବଶ୍ୟକ ହେବ ବୋଲି କୁହାଯାଇଛି । କରୋନାର ପ୍ରଥମ ଲହର ସମୟରେ ମହାରାଷ୍ଟ୍ରରେ ୧୯ ଲକ୍ଷ ଓ ଦ୍ୱିତୀୟ ଲହରରେ ୪୦ ଲକ୍ଷ ମାମଲା ସାମ୍ନାକୁ ଆସିଛି ।