ମହାରାଷ୍ଟ୍ରରେ ୨-୪ ସପ୍ତାହ ମଧ୍ୟରେ ତୃତୀୟ ଲହର ଆଣିପାରେ ଡେଲଟା ପ୍ଲସ ଭାରିଆଣ୍ଟ । ସତର୍କ କରାଇଲା ଟାକ୍ସ ଫୋର୍ସ

161

କନକ ବ୍ୟୁରୋ : ମହାରାଷ୍ଟ୍ରରେ ଆଗାମୀ ଦୁଇ ରୁ ଚାରି ସପ୍ତାହ ମଧ୍ୟରେ କରୋନା ସଂକ୍ରମଣର ତୃତୀୟ ଲହର ଆସିପାରେ । ଏନେଇ କୋଭିଡ ପାଇଁ ପ୍ରସ୍ତୁତ କରାଯାଇଥିବା ଷ୍ଟେଟ୍ ଟାକ୍ସ ଫୋର୍ସ ସତର୍କ କରାଇଛି । ଏହାହସ ଟାକ୍ସ ଫୋର୍ସ କହିଛି ଯେ ତୃତୀୟ ଲହର ପିଲା ମାନଙ୍କ ଉପରେ ବିଶେଷ ପ୍ରଭାବ ପକାଇବ ନାହିଁ । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏଭଳି ଅନୁମାନ ଲଗାଯାଇଛି ।

ଟାକ୍ସ ଫୋର୍ସ ସତର୍କ କରାଇଛି କି କରୋନାର ଡେଲଟା ପ୍ଲସ ଭାରିଆଣ୍ଟ ମହାରାଷ୍ଟ୍ର ପାଇଁ ବିପଦ ଆଣିପାରେ । ଏହାସହ ଦ୍ୱିତୀୟ ଲହର ତୁଳନାରେ ତୃତୀୟ ଲହରରେ ସଂକ୍ରମଣ ହାର ଦ୍ୱିଗୁଣା ହେବ ବୋଲି ଚେତାବନୀ ଦେଇଛି ଟାକ୍ସ ଫୋର୍ସ । ରାଜ୍ୟରେ ଆକ୍ଟିଭ କେସ ୮ ଲକ୍ଷ ପର୍ଯ୍ୟନ୍ତ ପହଂଚିବା ସହ ୧୦ ପ୍ରତିଶତ ଶିଶୁ ଓ ଯୁବବର୍ଗଙ୍କୁ ଏହି ଭାରିଆଣ୍ଟ ସଂକ୍ରମିତ କରିପାରେ ।

ଟାକ୍ସ ଫୋର୍ସର ସଦସ୍ୟ ଶଶାଂକ ଜୋଷି କୋଭିଡ ପ୍ରୋଟକଲ ଉପରେ ଜୋର ଦେଇ କହିଛନ୍ତି କି ମହାରାଷ୍ଟ୍ରକୁ ବ୍ରିଟେନ ଭଳି ସ୍ଥିତି ସାମ୍ନା କରିବାକୁ ପଡିପାରେ । ବ୍ରିଟେନରେ ଦ୍ୱିତୀୟ ଲହର ଥମିବାର ୪ ସପ୍ତାହ ମଧ୍ୟରେ ତୃତୀୟ ଲହର ଆସି ଯାଇଛି । ଏହି ଲହରରେ ନିମ୍ନ ଓ ମଧ୍ୟବିତ ଶ୍ରେଣୀର ଲୋକମାନେ ସର୍ବାଧିକ ପ୍ରଭାବିତ ହେବେ ।

ଏହି ବୈଠକରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କହିଛନ୍ତି କି ରାଜ୍ୟକୁ ୪୨ କୋଟି ଡୋଜ ଟିକା ମିଳିବ । ଅନ୍ୟପଟେ ଟାକ୍ସ ଫୋର୍ସ ମୃତ୍ୟୁହାର କମାଇବାକୁ ହେଲେ ଟିକାକରଣକୁ ତୀବ୍ର କରିବାକୁ ପଡିବ ବୋଲି ଚେତାବନୀ ଦେଇଛନ୍ତି ।

ମହାରାଷ୍ଟ୍ର ସ୍ୱାସ୍ଥ୍ୟ ବିଭାଗର ସୂଚନା ମୁତାବକ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୫୯ ଲକ୍ଷ ପାର କରିଛି । ଏହାସହ କରୋନା ସଂକ୍ରମଣରେ ରାଜ୍ୟରେ ମୃତକଙ୍କ ସଂଖ୍ୟା ୧,୧୫,୩୯୦ ରେ ପହଂଚିଛିି । ଅନ୍ୟପଟେ ଏବେ ବି ୧,୩୬,୬୬୧ ଜଣ ଚିକିତ୍ସାଧିନ ରହିଛନ୍ତି ।