କନକ ବ୍ୟୁରୋ : ମହାରାଷ୍ଟ୍ରର ନାସିକ ସିନ୍ନର ନିକଟରେ ହୋଇଥିବା ସଡକ ଦୁର୍ଘଟଣାରେ ୧୦ ଜଣଙ୍କର ମୃତ୍ୟୁ ହୋଇଛି । ଏହାସହ ୧୫ଜଣଙ୍କୁ ଗୁରୁତର ଅବସ୍ଥ୍ାରେ ମେଡିକାଲରେ ଭର୍ତ୍ତି କରାଯାଇଛି । ବସରେ ମୋଟ ୩୫ରୁ ୪୦ ଜଣ ଯାତ୍ରୀ ଯାଉଥିବା ବେଳେ ଏକ ଟ୍ରକ୍ ସହ ଧକ୍କା ହୋଇଥିଲା । ସକାଳ ୬ଟା ବେଳେ ଏହି ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା କି ଦୁଇଟି ଯାକ ଗାଡି ଚୁରମାର ହୋଇଯାଇଛି ।

Advertisment

ସୂଚନା ମୁତାବକ ବସଟି ଅମ୍ବରନାଥ ଠାଣେରୁ ପାଖାପାଖି ୩୫ ରୁ ୪୦ଜଣ ଯାତ୍ରୀ ନେଇ ଶିରିଡି ଯାଉଥିଲା । ନାସିକର ଗ୍ରାମୀଣ ଏସପି ଶାହାଜୀ ଓମାପଙ୍କ କହିବା ମୁତାବକ ଦୁର୍ଘଟଣାରେ ୧୦ଜଣ ଲୋକଙ୍କ ଜୀବନ ଯାଇଥିବା ବେଳେ ୧୫ଜଣ ଲୋକ ଗୁରୁତର ହୋଇଛନ୍ତି ।

ଏହି ଖବର ପାଇବା ପରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଦୁର୍ଘଟଣାର କାରଣ ଜାଣିବା ପାଇଁ ଯାଂଚ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିମାନଙ୍କ ପରିବାର ଲୋକଙ୍କୁ ୫ଲକ୍ଷ ଟଙ୍କା ଲେଖାଏଁ ସହାୟତା ଦେବାକୁ ଘୋଷଣା କରିଛନ୍ତି । ଏହାସହ ଗୁରୁତରମାନଙ୍କୁ ସରକାରୀ ଖର୍ଚ୍ଚରେ ଚିକିତ୍ସା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ।

ସେପଟେ ପ୍ରଧାନମନ୍ତ୍ରୀଙ୍କ ତରଫରୁ ମଧ୍ୟ ମୃତକଙ୍କ ପରିବାର ଲୋକଙ୍କ ପାଇଁ ସହାୟତା ରାଶି ଘେଶଷଣା କରାଯାଇଛି । ପ୍ରଧାନମନ୍ତ୍ରୀ ପ୍ରତି ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କା ଲେଖାଏଁ ସହାୟତା ଦେବାକୁ ଘୋଷଣା କରିଛନ୍ତି । ଏହାସହ ଗୁରୁତରମାନଙ୍କୁ ମଧ୍ୟ କେନ୍ଦ୍ର ସରକାରଙ୍କ ତରଫରୁ ୫୦ ହଜାର ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରାଯାଇଛି ।