ମହାରାଜ କଂସଙ୍କ ଦଣ୍ଡବିଧାନ । ବସଷ୍ଟାଣ୍ଡର ଅବ୍ୟବସ୍ଥା ପାଇଁ ପରିବହନ ଅଧିକାରୀଙ୍କୁ ଦଣ୍ଡ, ୨ ଲକ୍ଷ ସ୍ୱର୍ଣ୍ଣମୁଦ୍ରାରେ ଦଣ୍ଡିତ କଲେ ମଥୁରା ନରେଶ । 

417

କନକ ବ୍ୟୁରୋ :  ଉଦଘାଟିତ ହୋଇଯାଇଛି ୭୧ ତମ ବରଗଡ଼ ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା । ମଥୁରାରେ ଆରମ୍ଭ ହୋଇଛି ମହାପ୍ରତାପୀ ମହାରାଜ କଂସଙ୍କ ରାଜୁତି । ଦ୍ୱିତୀୟ ଦିନରେ ରଙ୍ଗମହଲ ଉଦଘାଟନ କରିବେ ମହାରାଜ କଂସ । ଏବଂ ଦେବକୀଙ୍କ ଅଷ୍ଟମ ଗର୍ଭରୁ ଶ୍ରୀକୃଷ୍ଣଙ୍କ ଜନ୍ମ ଦୃଶ୍ୟ ଅଭିନୀତ ହେବ ।

ଆରମ୍ଭ ହୋଇଛି ବିଶ୍ୱପ୍ରସିଦ୍ଧ ବରଗଡ ଧନୁଯାତ୍ରା । ଦ୍ୱାପର ଯୁଗକୁ ଫେରିଯାଇଛି ବରଗଡ ସହର । ବରଗଡ଼ ପାଲଟିଛି ମଥୁରା ନଗରୀ, ଅମ୍ବାପାଲି ଗୋପପୁର ଏବଂ ଜୀରା ନଦୀ ହୋଇଛି ଯମୁନା ନଦୀ । ଏହାସହ ବରଗଡ଼ର ସମସ୍ତ ଜନ ସାଧାରଣ ପାଲଟି ଯାଇଛନ୍ତି ଏହି ମୁକ୍ତାକାଶ ରଙ୍ଗମଂଚର ଜଣେ ଜଣେ କଳାକାର ।

ଆଜି ଦ୍ୱିତୀୟ ଦିନରେ ନଗର ପରିକ୍ରମା କରିଛନ୍ତି ମଥୁରା ନରେଶ । ପୂର୍ବରୁ ମିଳିଥିବା ସୂଚନାକୁ ଆଧାର କରି  ନଗର ପରିକ୍ରମା ସମୟରେ ବିଭିନ୍ନ ବସଷ୍ଟାଣ୍ଡ  ଓ ବସ ବୁଲି ଦେଖିଥିଲେ ମହାରାଜ । ଏହି ପରିକ୍ରମା ସମୟରେ ଅନେକ ଗାଡି ଚାଳକଙ୍କୁ ବିନା ହେଲମେଟରେ ଗାଡି ଚଳାଉଥିବାର ଦେଖିଥିଲେ ମହାରାଜ । ଏପରିକି କିଛି ଗାଡି ଚାଳକ ମୋବାଇଲ ଫୋନରେ କଥା ହୋଇ ଗାଡି ଚଳାଉଥିଲେ । ତେଣୁ ସେମାନଙ୍କୁ ଡାକି ତାଗିଦ କରିଥିଲେ ମହାରାଜ ।

ଏହାପରେ ବରଗଡ ପରିବହନ ଅଧିକାରୀଙ୍କ କାର୍ଯ୍ୟାଳୟରେ ପହଞ୍ଚି ବସଷ୍ଟାଣ୍ଡର ଅବ୍ୟବସ୍ଥା ନେଇ ଅସନ୍ତୋଷ ପ୍ରକାଶ କରିଥିଲେ ମଥୁରା ନରେଶ । ଏଥିପାଇଁ ବରଗଡ ପରିବହନ ଅଧିକାରୀଙ୍କୁ ୨ ଲକ୍ଷ ସ୍ୱର୍ଣ୍ଣମୁଦ୍ରାର ଦଣ୍ଡବିଧାନ କରିଥିଲେ କଂସ ମହାରାଜ । ଏହାଛଡା ବସଷ୍ଟାଣ୍ଡରେ ତୁରନ୍ତ ଶୌଚାଳୟ ନିର୍ମାଣ ପାଇଁ ନିର୍ଦ୍ଦେଶ ଦେଇଥିଲେ । କାରଣ ବସଷ୍ଟାଣ୍ଡରେ ଶୌଚାଳୟ ନଥିବା ନେଇ ପ୍ରଜାଙ୍କ ଠାରୁ ଅଭିଯୋଗ ପାଇଥିଲେ ମହାରାଜ ।

ସେହିଭଳି ବେପରୁଆ ଗାଡି ଚାଳକଙ୍କୁ ସିଟବେଲ୍ଟ ପିନ୍ଧି ଗାଡି ଚାଳନା କରିବାକୁ ପରାମର୍ଶ ଦେଇଥିଲେ । ନିର୍ଦ୍ଦେଶ ନ ମାନିଲେ କଠୋର ଦଣ୍ଡ ମିଳିବ ବୋଲି ଚେତାବନୀ ଦେଇଥିଲେ ।  କିନ୍ତୁ ହେଲମେଟ ପିନ୍ଧିଥିବା ଚାଳକଙ୍କୁ ଉପହାର ଦେଇଛନ୍ତି ମହାରାଜ କଂସ । ବସରେ ଯାତ୍ରା ସମୟରେ ଟିକେଟ କାଟିବାକୁ ମଧ୍ୟ ଯାତ୍ରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମହାରାଜ ।

ବସଷ୍ଟାଣ୍ଡରେ ଅବ୍ୟବସ୍ଥା ନେଇ କଂସ ମହରାଜଙ୍କ ଦଣ୍ଡବିଧାନ ପରେ ପରିବହନ ଅଧିକାରୀ କହିଛନ୍ତି, ମହାରାଜଙ୍କ ଆଦେଶ ଶିରୋଧାର୍ଯ୍ୟ । ଖୁବଶୀଘ୍ର ସମସ୍ୟାର ସମାଧାନ ହେବ । କଂସ ମହାରାଜଙ୍କ ପରବର୍ତ୍ତୀ ନଗର ପରିକ୍ରମା ବେଳକୁ ସମସ୍ତ ସମସ୍ୟା ଦୂର ହୋଇଥିବ ବୋଲି କହିଛନ୍ତି ପରିବହନ  ଅଧିକାରୀ ।