କନକ ବ୍ୟୁରୋ : ମହାପ୍ରସାଦ ମହାପ୍ରଭୁଙ୍କ ତୁଲ୍ୟ। କରୋନା କଟକଣା ପାଇଁ ମହାପ୍ରଭୁଙ୍କୁ ଦେଖି ପାରୁନଥିବା ଭକ୍ତମାନେ ମହାପ୍ରସାଦ ପାଇ ଆତ୍ମତୃପ୍ତି ଲାଭ କରୁଛନ୍ତି। କିନ୍ତୁ ମହାପ୍ରସାଦ ଦର ଯେଉଁ ଭଳି ବଢ଼ିଚାଲିଛି, ଭକ୍ତମାନେ ହତାଶ ହେଲେଣି। ତଥାପି ମହାପ୍ରଭୁଙ୍କ ପ୍ରତି ଅଗାଧ ବିଶ୍ୱାସ ଓ ନିଷ୍ଠା ରଖିଥିବା ଭକ୍ତମାନେ ଆର୍ଥିକ ବୋଝ ସତ୍ୱେ ମହାପ୍ରସାଦ କ୍ରୟ କରୁଛନ୍ତି। ଅନ୍ୟ ପକ୍ଷରେ ଏହାର ପୂର୍ଣ୍ଣ ଫାଇଦା ନେଉଛନ୍ତି ମହାପ୍ରସାଦ ବିକ୍ରେତାମାନେ। ମନଇଚ୍ଛା ଦର କଷି ଭକ୍ତଙ୍କୁ ଶୋଷଣ କରୁଛନ୍ତି। ଭକ୍ତଙ୍କ ମନରେ ଦରକୁ ନେଇ ଅସନ୍ତୋଷ କୁହୁଳୁଥିଲେ ବି ମହାପ୍ରସାଦ ଆଗରେ ମୁଣ୍ଡ ନୁଆଁଇବାକୁ ବାଧ୍ୟ ହେଉଛନ୍ତି। ସେପଟେ ଶ୍ରୀମନ୍ଦିର ପ୍ରଶାସନ ଦୁଇ ବର୍ଷ ତଳେ ଆନନ୍ଦ ବଜାରରେ ମହାପ୍ରସାଦର ଦର ତାଲିକା ଲଗାଇବାକୁ ଘୋଷଣା କରିଥିଲେ। ପରିତାପର ବିଷୟ, ଆଜି ସୁଦ୍ଧା ଦର ତାଲିକା ଚୂଡ଼ାନ୍ତ ହୋଇପାରିନି କି ଆନନ୍ଦବଜାରରେ ଲାଗି ପାରିଲାନି।
Kanak News is now on WhatsApp
Join and get latest news updates delivered to you via WhatsApp
ମହାପ୍ରସାଦ ଦରରେ ଅନେକ ତାରତମ୍ୟ ରହିବା ଓ ଭକ୍ତଙ୍କୁ ଶୋଷଣ ନେଇ ବାରମ୍ବାର ଅଭିଯୋଗ ଆସିବାରୁ ତତ୍କାଳୀନ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ କୁମାର ଜେନାଙ୍କ ସମୟରେ ଆନନ୍ଦବଜାରରେ ଦର ତାଲିକା ଲଗାଯିବ ବୋଲି ଘୋଷଣା କରାଯାଇଥିଲା। ପରିଚାଳନା କମିଟି, ଛତିଶାନିଯୋଗ ବି ଏଥିରେ ସହମତି ପ୍ରକାଶ କରିଥିଲେ। ମହାପ୍ରସାଦ ପାଇଁ ଆରମ୍ଭରୁ ନୃସିଂହ ମନ୍ଦିରରେ ପରୀକ୍ଷାମୂଳକ ରୋଷେଇ ପାଇଁ ନିଷ୍ପତ୍ତି ହୋଇଥିଲା। କିନ୍ତୁ ସୁଆର ମହାସୁଆରମାନେ ଏଥିରେ ସହମତି ପ୍ରକାଶ ନ କରିବାରୁ ପରେ କୋଠଭୋଗରେ ଏହି ପରୀକ୍ଷାମୂଳକ ରୋଷେଇ କରିବାକୁ ନିଷ୍ପତ୍ତି ନିଆଗଲା।
ଏଥିରେ ବି ମତାନ୍ତର ଓ ମନାନ୍ତର ଦେଖାଦେବାରୁ ଶେଷରେ ବରାଦି ଭୋଗରେ ମହାପ୍ରସାଦର ପରୀକ୍ଷାମୂଳକ ରୋଷେଇ ହେଲା। ଶ୍ରୀମନ୍ଦିର ପ୍ରଶାସନ ଏଥି ପାଇଁ ଆବଶ୍ୟକ ଚାଉଳ, ଡାଲି, ପନିପରିବା, ଘିଅ ଓ ଲୁଣ ସହ ଆବଶ୍ୟକ ସାମଗ୍ରୀ ଯୋଗାଇଦେଲେ। ରୋଷେଇ ବି ହେଲା। କେଉଁ ବାବଦରୁ କେତେ ଖର୍ଚ୍ଚ ହେଲା, ତାର ତାଲିକା ପ୍ରସ୍ତୁତ ହେଲା। ଏହାର ହିସାବ ବି କରାଗଲା। ପରେ ପୁନର୍ବାର ମତାନ୍ତର ଦେଖାଦେବାରୁ ପରିଚାଳନା କମିଟି ସଦସ୍ୟଙ୍କୁ ଆଲୋଚନା କରି ଦର ଧାର୍ଯ୍ୟ କରିବାକୁ କୁହାଗଲା।
ପରିଚାଳନା କମିଟି ସଦସ୍ୟଙ୍କ ନେତୃତ୍ବରେ ଏକ ସବ୍କମିଟି ବି ଗଠନ କରାଗଲା। କିନ୍ତୁ କ’ଣ ହେଲା କେଜାଣି ଏହି ସବ୍କମିଟି ରିପୋର୍ଟ ଦେଲାନି କି ଦର ତାଲିକା ଲାଗି ପାରିଲାନି। ମଝିରେ ସୁଆର ମହାସୁଆରମାନେ ନିଜ ତରଫରୁ ଏକ ଦର ତାଲିକା ଆନନ୍ଦ ବଜାରରେ ଲଗାଇଥିବା ଦେଖିବାକୁ ମିଳିଲା। ବିବାଦ ମୁଣ୍ଡ ଟେକିବାରୁ ପ୍ରଶାସନ ଏହାକୁ ହଟାଇବାକୁ ବାଧ୍ୟ ହୋଇଥିଲା। ପରେ ପୁନର୍ବାର ପରିଚାଳନା କମିଟି ବୈଠକ ଡକାଯାଇ ଦର ତାଲିକା ଖୁବଶୀଘ୍ର ଲଗାଯିବ ବୋଲି ଘୋଷଣା କରାଗଲା। ଏହା ଭିତରେ ତତ୍କାଳୀନ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଶ୍ରୀ ଜେନାଙ୍କ ବଦଳି ହୋଇ ପ୍ରଦୀପ ମହାପାତ୍ର ମୁଖ୍ୟ ପ୍ରଶାସକ ହେଲେ। କିନ୍ତୁ ଅଧିକାରୀ ବଦଳିବା ସହ ଦର ତାଲିକା ପ୍ରସଙ୍ଗ ବି ହଜିଗଲା। ସମୟ କ୍ରମେ ପ୍ରଦୀପ ମହାପାତ୍ରଙ୍କ ବଦଳି ହୋଇ କ୍ରିଷନ୍ କୁମାର ମୁଖ୍ୟ ପ୍ରଶାସକ ହୋଇଛନ୍ତି। ଦୁଇ ମୁଖ୍ୟ ପ୍ରଶାସକ ଇତି ମଧ୍ୟରେ ଦାୟିତ୍ୱ ନେଲେଣି, କିନ୍ତୁ କେହି ବି ମହାପ୍ରସାଦ ଦର ତାଲିକା କଥା ଉଠାଉନାହାନ୍ତି। ଯେଉଁଥି ପାଇଁ ଦିନକୁ ଦିନ ଭକ୍ତଙ୍କ ଉପରେ ଶୋଷଣ ବଢ଼ିଚାଲିଛି। ରଥଯାତ୍ରା ସମୟରେ ମନଇଚ୍ଛା ଦରରେ ଭକ୍ତଙ୍କୁ ଆଡ଼ପ ଅବଢ଼ା ବିକ୍ରି ହେଲା। ଏବେ ପୁନର୍ବାର ଶ୍ରୀମନ୍ଦିରରେ ମହାପ୍ରସାଦ ଉପଲବ୍ଧ ହେଲାଣି। କିନ୍ତୁ ଦର ଉପରେ ନିୟନ୍ତ୍ରଣ ନାହିଁ।