କାଲିଠୁ କାଳିଆ ଦର୍ଶନ ମନା । ମାର୍ଚ୍ଚ ୩୧ ଯାଏଁ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ, ଜାରି ରହିବ ଠାକୁରଙ୍କ ନୀତିକାନ୍ତି ।

218

କନକ ବ୍ୟୁରୋ : କାଲିଠୁ କାଳିଆ ଦର୍ଶନ ମନା । କାଲିଠାରୁ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ସାଧାରଣ ଦର୍ଶନ ବନ୍ଦ ରହିବ । କରୋନା ସଂକ୍ରମଣ ଠାରୁ ଶ୍ରଦ୍ଧାଳୁଙ୍କୁ ଦୂରେଇ ରଖିବା ଉଦ୍ଦେଶ୍ୟରେ ଏପରି ନିଷ୍ପତି ନେଇଛି ମନ୍ଦିର ଓ ଜିଲ୍ଲା ପ୍ରଶାସନ । ହେଲେ ପୂର୍ବ ଭଳି ମହାପ୍ରଭୁଙ୍କ ନୀତିକାନ୍ତି ଜାରି ରହିବ । ସେବାୟତମାନେ ବଡ଼ ଦେଉଳରେ ବଡ ଠାକୁରଙ୍କ ସେବା କରିବେ ।

କାଲିଠାରୁ କାଳିଆ ଦର୍ଶନ ବନ୍ଦ । ଏପ୍ରିଲ ପହିଲା ପର୍ଯ୍ୟନ୍ତ ଲାଗିଲା ‘କରୋନା’ କଟକଣା । କରୋନା ସଂକ୍ରମଣ ଠାରୁ ଦୂରେଇ ରହିବା ଉଦ୍ଦେଶ୍ୟରେ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ କରିବା ପାଇଁ ନିଷ୍ପତି ନେଇଛନ୍ତି ଶ୍ରୀମନ୍ଦିର ପ୍ରଶାସନ ଓ ପୁରୀ ଜିଲ୍ଲା ପ୍ରଶାସନ । ନିଷ୍ପତି ଅନୁସାରେ ମାର୍ଚ୍ଚ ୩୧ ଯାଏଁ ଦର୍ଶନ ବନ୍ଦ ରହିବ ।

ସାଧାରଣ ଦର୍ଶନ ବନ୍ଦ ରହିବ ହେଲେ ପୂର୍ବଭଳି ଶ୍ରୀମନ୍ଦିରରେ ନୀତିକାନ୍ତି ଜାରି ରହିବ । ଇତିହାସରେ ଏଭଳି ପ୍ରାୟ ହୋଇନାହିଁ, ଯେଉଁଠି ଶ୍ରୀମନ୍ଦିରରେ ଶ୍ରୀଜୀଉ ବିଜେ କରୁଥିବେ, ବିଧି ମୁତାବକ ନୀତିକାନ୍ତି ଚାଲିଥିବ, ମାତ୍ର ଭଗବାନଙ୍କ ଠାରୁ ଦୂରେଇ ରହିଥିବେ ଭକ୍ତ ।

ପ୍ରତିଦିନ ଶ୍ରୀଜୀଉଙ୍କ ଦର୍ଶନ ଲାଗି ହଜାର ହଜାର ଶ୍ରଦ୍ଧାଳୁ ପୁରୀକୁ ଯାଇଥାନ୍ତି । ଜଗନ୍ନାଥଙ୍କ ସହ କୋଟି କୋଟି ଓଡ଼ିଆଙ୍କ ଭାବାବେଗ ଯୋଡି ହୋଇ ରହିଛି । ତେବେ କରୋନା ସଂକ୍ରମଣ ଯେପରି ସାରା ବିଶ୍ୱରେ ମାଡ଼ିଚାଲିଛି, ସେଥିପାଇଁ ସତର୍କତା ଅବଲମ୍ବନ କରିଛି ପ୍ରଶାସନ । ଏଭଳି ଏକ ସଂକଟ ସ୍ଥିତିରେ ଦର୍ଶନ ବନ୍ଦ କରିବା ପାଇଁ ସହମତି ଜଣାଇଛନ୍ତି ସେବାୟତ ।

କେବଳ ପୁରୀ ଜଗନ୍ନାଥ ମନ୍ଦିର ନୁହେଁ, ରାଜ୍ୟର ସମସ୍ତ ଧର୍ମସ୍ଥଳଗୁଡିକରେ କଟକଣା ଲଗାଇଛନ୍ତି ରାଜ୍ୟ ସରକାର । ସାରା ବିଶ୍ୱରେ କରୋନା ବିରୋଧରେ ଲଢ଼େଇ ଚାଲିଛି । ସଂକ୍ରମଣକୁ ରୋକିବା ପାଇଁ ସଜାଗ ହୋଇ ଉଠିଛନ୍ତି ସରକାର ।