ପ୍ରଥମାଷ୍ଟମୀରେ ପୋଢୁଆଁ ହେବେ ମହାପ୍ରଭୁ ଜଗନ୍ନାଥ । ମାମୁଁଘର ନିଆଳି ମାଧବରୁ ଶ୍ରୀମନ୍ଦିରକୁ ଯିବ ପୋଢୁଆଁ ଭାର । ଏଥର କୋଭିଡ୍ କଟକଣାରେ ଭାର ସାଥୀରେ ଯିବେ ୫୦ ଜଣ

258

କନକ ବ୍ୟୁରୋ : ପୋଢୁଆଁ ହେବେ କାଳିଆ ଦିଅଁ । କୋଭିଡ କଟକଣା ଭିତରେ ନିଆଳିର ମାଧବାନନ୍ଦଜୀଉ ମନ୍ଦିରରୁ ଭଣଜା ପାଇଁ ଯିବ ନବବସ୍ତ୍ର ଓ ଅଷ୍ଟମୀ ଭାର । ମାର୍ଗଶିର ମାସ କୂଷ୍ଣ ପକ୍ଷ ଅଷ୍ଟମୀ ତିଥିରେ କାଳିଆ ଦିଅଁ ହେବେ ପୋଢୁଆଁ । ଏହି ଅବସରରେ ମହାପ୍ରଭୁ ପିନ୍ଧିବେ ନୂଆ ବସ୍ତ୍ର , ଲାଗି ହେବ ସୂତନ୍ତ୍ର ଭୋଗ ।

କଟକ ଜିଲ୍ଲା ନିଆଳି ବ୍ଲକ ମାଧବ ସ୍ଥିତ ମାଧବାନନ୍ଦଙ୍କ ମନ୍ଦିର ଜଗନ୍ନାଥ ଠାକୁରଙ୍କ ମାମୁଁଘର । ପ୍ରଥମାଷ୍ଟମୀରେ ପୋଢୁଆଁ କରାଯାଉଥିବା ବେଳେ ଗତ କିଛି ବର୍ଷ ଧରି ଏହି ପ୍ରଥା ବନ୍ଦ ରହିଥିଲା । ଗତ ବର୍ଷ ପ୍ରଥମ କରି ମାଧବ ମନ୍ଦିର ପ୍ରଶାସନ ,ସ୍ଥାନୀୟ ଅଂଚଳର ଶ୍ରଦ୍ଧାଳୁ ଓ ଜଗନ୍ନାଥପ୍ରେମୀ ପରମ୍ପରାକୁ ପୁନଃ ପ୍ରଚଳନ ଉଦ୍ୟମ ଆରମ୍ଭ କରି ପୋଢୁଆଁ ଭାର ନେଇ ଶ୍ରୀମନ୍ଦିର ଯାଇଥିଲେ ।

ଚଳିତ ବର୍ଷ କୋଭିଡ କଟକଣା ଯୋଗୁଁ ଅଳ୍ପ ସଂଖ୍ୟକ ଶ୍ରଦ୍ଧାଳୁ ପୁରୀ ଯିବାକୁ ମାଧବାନନ୍ଦଜିଉ ବିକାଶ ପରିଷଦ ସ୍ଥିର କରିଛି । ମନ୍ଦିର ସେବାୟତ ଏବଂ ବିକାଶ ପରିଷଦର ସଦସ୍ୟ ଏହି ଭାର ସହିତ ପୁରୀ ଗସ୍ତ କରିବେ ବୋଲି ଜଣାପଡିଛି ।