ଅଣସର ପିଣ୍ଡିରେ ମହାପ୍ରଭୁ । ଜଗତ ଗୋସେଇଁଙ୍କ ପାଇଁ କାକଟପୁର ଦେଉଳି ମଠରୁ ଗଲା ଅଣସର ଭାର ।

224

କନକ ବ୍ୟୁରୋ: ଅଣସର ପିଣ୍ଡିରେ ଚାଲିଛି ଶ୍ରୀଜିଉଙ୍କ ଜ୍ୱର ଉପଚାର । ଜ୍ୱରରେ ପୀଡିତ ଚତୁର୍ଦ୍ଧା ବିଗ୍ରହଙ୍କୁ ସୁସ୍ଥ କରିବା ପାଇଁ ଦଇତାପତି ସେବାୟତ ଦଶମୂଳ ପଥିସେବା କରୁଛନ୍ତି । ଏସମୟରେ ଶ୍ରୀଜିଉଙ୍କ ପାଖରେ ବିଭିନ୍ନ ପ୍ରକାର ଫଳ-ମୂଳ ଭୋଗ ହେଉଛି । ସେହି ଫଳ ଯୋଗାଇ ଦେଉଛନ୍ତି ଜଗନ୍ନାଥ ସଂସ୍କୃତି ସହ ଜଡିତ ବିଭିନ୍ନ ମଠ ମନ୍ଦିର । ନିକଟରେ ନିଆଳି ମାଧବାନନ୍ଦଙ୍କ ମନ୍ଦିରରୁ ପୁରୀକୁ ଯାଇଥିଲା ଫଳଭାର, ଆଉ ଏବେ କାକଟପୁରର ଦେଉଳି ମଠରୁ ଶ୍ରୀମନ୍ଦିର ଅଭିମୁଖେ ଶଗଡରେ ଯାଇଛି ଅଣସର ଫଳ ଭାର ।

ପ୍ରାଚୀ ସଂସ୍କୃତି ସୁରକ୍ଷା ସମିତି ପକ୍ଷରୁ ଫଳ, ତୁଳସୀ ଓ ପଦ୍ମଫୁଲ ଭାର ପୁରୀ ପଠାଯାଇଛି । ସ୍ଥାନୀୟ ଅଂଚଳର ଲୋକଙ୍କ ବାଡିରୁ ସଂଗ୍ରହ କରାଯାଇଥିବା ଆମ୍ବ, ପଣସ, ନଡିଆ, କଦଳୀ, ପିଜୁଳି, ଖଜୁରୀ ଭଳି ବିଭିନ୍ନ ପ୍ରକାର ଫଳ, ତୁଳସୀ ଓ ପଦ୍ମଫଲକୁ ଶଗଡ ଗାଡିରେ ଲଦି ଦେଉଳି ମଠରୁ ପୁରୀ ପଠାଯାଇଛି । ଶଗଡ ଓ ବଳଦଙ୍କୁ ପୂଜାର୍ଚ୍ଚନା କରି ପାରମ୍ପରିକ ପଦ୍ଧତିରେ ଅଣସର ଭାରକୁ ଶ୍ରୀକ୍ଷେତ୍ର ପଠାଇଛନ୍ତି ପ୍ରାଚୀ ସଂସ୍କୃତି ସୁରକ୍ଷା ସମିତି ସଦସ୍ୟ । ଏହି ଶଗଡ ଗାଡି କୋଣାର୍କ ରାମଚଣ୍ଡି ପୀଠ ନିକଟ ଗରୁଡେଶ୍ୱର ମହାଦେବ ମନ୍ଦିରରେ ରାତ୍ରି ଯାପନ କରିବ । ପୁଣି ରବିବାର ସକାଳୁ ପରୀ ଅଭମୁଖେ ଯାତ୍ରା କରିବ ।

ଦେଉଳି ମଠ ଜଗନ୍ନାଥ ମହାପ୍ରଭୁଙ୍କ ଆଦ୍ୟ ଲୀଳାସ୍ଥଳ ବା ଏନ୍ତୁଡିଶାଳ ବୋଲି କୁହାଯାଏ । ନବକଳେବର ସମୟରେ ମହାପ୍ରଭୁଙ୍କ ଦାରୁ ଅନେଷ୍ୱଣରେ ଯିବା ପୂର୍ବରୁ ଦଇତାପତିମାନେ ଏହି ମଠକୁ ଆସି ଅଧିଆ ପଡନ୍ତି । ସ୍ୱପ୍ନାବତୀ ମନ୍ତ୍ର ଜପକରି ମା ମଙ୍ଗଳାଙ୍କ ସ୍ୱପ୍ନାଦେଶ ପାଇ ଦାରୁର ଠିକଣା ପାଇଥାନ୍ତି । ଜଗନ୍ନାଥ ସଂସ୍କୁୃତି ସହ ଦେଉଳି ମଠର ସିଧାସଳଖ ସଂପର୍କ ରହିଛି ।