ହରିୟାଣା କର୍ଣ୍ଣାଲରେ ଚାଷୀଙ୍କ ମହାପଞ୍ଚାୟତ । ଜିଲ୍ଲାପାଳଙ୍କ ବହିଷ୍କାର ଦାବିରେ ଦ୍ୱିତୀୟ ଦିନରେ ପହଞ୍ଚିଲା ଅନଶନ 

82

କନକ ବ୍ୟୁରୋ: ହରିୟାଣା ସରକାର ଓ ଏସଡିଏମ ଆୟୁଷ ସିହ୍ନାଙ୍କ  ବିରୋଧରେ ମିନି ସଚିବାଳୟ ସମ୍ମୁଖରେ ଚାଷୀଙ୍କ ଆନ୍ଦୋଳନ ଦ୍ୱିତୀୟ ଦିନରେ ପହଞ୍ଚିିଛି । ଅଗଷ୍ଟ ୨୮ରେ ଚାଷୀଙ୍କ ଉପରେ ହୋଇଥିବା ପୋଲିସର ଲାଠିଚାର୍ଜକୁ ବିରୋଧ କରି କୃଷକ ମାନେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଅନଶନରେ ବସିଛନ୍ତି । ଅନ୍ୟପଟେ ସମସ୍ୟାର ସମାଧାନ ପାଇଁ ଚାଷୀ ନେତା ରାକେଶ ଟିକାୟତ ଓ ପ୍ରଶାସନ ମଧ୍ୟରେ ବସିଥିବା ବୈଠକ ବିଫଳ ହୋଇଛି । ତେବେ ଚାଷୀଙ୍କ ଧାରଣା ଜାରି ରହିବ ବୋଲି କହିଛନ୍ତି ଟିକାୟତ ।  ୩ଘଣ୍ଟାର ଆଲୋଚନା ପରେ ବି ନିଷ୍କର୍ସ ବାହାରି ପାରିନାହିଁ ଏବଂ ଏସଡିଏମଙ୍କୁ ବହିଷ୍କାର ପାଇଁ ପ୍ରଶାସନ ରାଜି ନଥିବାରୁ ନିଷ୍କର୍ସ ବାହାରି ପାରିନାହିଁ ବୋଲି କହିଛନ୍ତି ଚାଷୀ ନେତା ରାକେଶ ଟିକାୟତ । ଦାବି ପୂରଣ ନହେବା ପର୍ଯ୍ୟନ୍ତ ଉତ୍ତରପ୍ରଦେଶ, ପଞ୍ଜାବ ଓ ଅନ୍ୟାନ୍ୟ ସ୍ଥାନ ସମେତ କର୍ଣ୍ଣାଲରେ ଆନ୍ଦୋଳନ ଜାରି ରହିବ ବୋଲି ଟିକାୟତ ସୂଚନା ଦେଇଛନ୍ତି ।

ସେପଟେ ହରିୟାଣା ବିରୋଧୀ ଦଳ ନେତା ବି.ଏସ ହୁଡ୍ଡା କହିଛନ୍ତି ଯେ ସର୍ବନିମ୍ନ ସହାୟକ ମୂଲ୍ୟ ନେଇ ଚାଷୀ ଉଚିତ ଦାବି ରଖିଛନ୍ତି ଏବଂ ସରକାର ଏନେଇ ତାଙ୍କ ସହ ଆଲୋଚନା କରିବା ଆବଶ୍ୟକ । ଅଗଷ୍ଟ ୨୮ତାରିଖରେ କୃଷକଙ୍କ ଆନ୍ଦୋଳନ ବେଳେ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ନେଇ ଅଭିଯୋଗ ଆଣିଛନ୍ତି ଚାଷୀ ସଂଗଠନ ଏବଂ ଏସଡିଏମଙ୍କ ବିରୋଧରେ ମାମଲା ରୁଜୁ କରିବା ସହ ତାଙ୍କୁ ବହିଷ୍କାର କରିବାକୁ ଦାବିରେ ଅଟଳ ଅଛନ୍ତି ଚାଷୀ ସଂଗଠନ । ଏବଂ ଯେପର୍ଯ୍ୟନ୍ତ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ ସେ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ଚେତାଇ ଦେଇଛି ସଂଗଠନ ।