ଲକ୍ଷ୍ନୌରେ କୃଷକଙ୍କ ମହାପଞ୍ଚାୟତ : ଜୋର ଧରିଲା ଏମଏସପି ଦାବି; ରାକେଶ ଟିକାୟତ କହିଲେ, ସରକାରଙ୍କ ସହ ଆଲୋଚନା ପାଇଁ ରାଜି

ହେଲେ କୃଷକଙ୍କ ଦାବି ପୁରଣ ନହେବା ଯାଏଁ ଦିଲ୍ଲୀ ସୀମାରେ ଚାଲିବ ଆନ୍ଦୋଳନ

70

କନକ ବ୍ୟୁରୋ : ଲକ୍ଷ୍ନୌରେ କୃଷକମାନେ ‘ମହାପଞ୍ଚାୟତ’ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୩ କୃଷି ଆଇନ ପ୍ରତ୍ୟାହାର ଘୋଷଣା କରିଥିଲେ ସୁଦ୍ଧା ଆନ୍ଦୋଳନରତ କୃଷକ ଆନ୍ଦୋଳନରୁ ହଟିନାହାନ୍ତି। ସେମାନେ ପୂର୍ବ ଯୋଜନା ଅନୁଯାୟୀ କାର୍ଯ୍ୟ ଜାରି ରଖିଛନ୍ତି ଏବଂ ଆଗକୁ ମଧ୍ୟ ଜାରି ରଖିବେ । କୃଷକମାନଙ୍କ ପୂର୍ବ ଯୋଜନା ଅନୁଯାୟୀ ଲକ୍ଷ୍ନୌର ଇକୋ ଗାର୍ଡେନ୍‌ରେ ‘ମହାପଞ୍ଚାୟତ’ ହୋଇଛି । ଉତ୍ତରପ୍ରଦେଶ, ହରିୟାଣା ଏବଂ ପଂଜାବର ବିଭିନ୍ନ ଜିଲ୍ଲାରୁ ହଜାର ହଜାର ସଂଖ୍ୟାରେ କୃଷକ ଆଜି ଏଥିରେ ଯୋଗ ଦେଇଛନ୍ତି । ବରିଷ୍ଠ ବିକେୟୁ ନେତା ରାକେଶ ଟିକାୟତ, ବଲବୀର ସିଂହ ରାଜେୱାଲା ଏବଂ ସାମାଜିକ କାର୍ଯ୍ୟକର୍ତ୍ତା ଯୋଗେନ୍ଦ୍ର ଯାଦବ ଏହି କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇଛନ୍ତି ।

ଟିକାୟତ କହିଛନ୍ତି, କୃଷକଙ୍କ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଦିଲ୍ଲୀ ସୀମା ନିକଟରେ ଆନ୍ଦୋଳନ ଜାରି ରହିବ । ସରକାର ଏମ୍‌ଏସ୍‌ପି ପ୍ରତିଶ୍ରୁତି ଦେବାପାଇଁ ଏକ ଆଇନ ଆଣିବା ଆବଶ୍ୟକ ଏବଂ ଆନ୍ଦୋଳନରେ ପ୍ରାଣ ହରାଇଥିବା ୭୦୦ କୃଷକଙ୍କ ପାଇଁ କ୍ଷତିପୂରଣ ଘୋଷଣା କରିବା ଆବଶ୍ୟକ । ଅନ୍ୟପକ୍ଷେ ଯୋଗେନ୍ଦ୍ର ଯାଦବ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅହଙ୍କାର ଗ୍ରାସିଛି । ପଶ୍ଚିମବଙ୍ଗର ଲୋକମାନେ ତାଙ୍କୁ ଏଥିପାଇଁ ଏକ କ୍ଷୁଦ୍ର ଇଂଜେକସନ୍‌ ଦେଇଛନ୍ତି । ଏହା କିନ୍ତୁ ତାଙ୍କ ପାଇଁ ସାମାନ୍ୟ କାମ କରିଛି। କିନ୍ତୁ ଆଗକୁ ତାଙ୍କୁ ବଡ଼ ଡୋଜ୍‌ ଦରକାର । ଏହା ହେଉଛି ଉତ୍ତରପ୍ରଦେଶ ନିର୍ବାଚନ । ଯୋଗେନ୍ଦ୍ର କହିଛନ୍ତି, ଏହା ସ୍ପଷ୍ଟ କରିଦେଉଛି ଯେ, ଏମ୍‌ଏସ୍‌ପି ନେଇ ନୂଆ ଆଇନ ଆସିବା ପର୍ଯ୍ୟନ୍ତ କୃଷି ଆନ୍ଦୋଳନ ଜାରି ରହିବ । ତେବେ କେଉଁ ପ୍ରକାର ଆନ୍ଦୋଳନ ହେବ ତାହା ମୋର୍ଚ୍ଚା ନିଷ୍ପତ୍ତି‌ ନେବ ।

ଆନ୍ଦୋଳନରତ କୃଷକଙ୍କ ଆଗାମୀ ରଣନୀତି କ’ଣ ରହିବ ସେ‌ ବିଷୟରେ ଚାଷୀ ନେତାମାନେ ଆସନ୍ତା ସପ୍ତାହରେ ବୈଠକ କରି ନିଷ୍ପତ୍ତି ନେବେ। ତେବେ ମହାପଞ୍ଚାୟତରେ ସମସ୍ତ ଆନ୍ଦୋଳନରତ କୃଷକଙ୍କର ଗୋଟିଏ ଦାବି ଥିଲା। ତାହା ହେଉଛି ଏମ୍‌ଏସ୍‌ପି (ସର୍ବନିମ୍ନ ସହାୟକ ମୂଲ୍ୟ) ପ୍ରତିଶ୍ରୁତି। କୃଷକମାନେ କହିଛନ୍ତି, ଏମ୍‌ଏସପି ସବୁଠୁ ଗୁରୁତ୍ବପୂର୍ଣ୍ଣ ଦାବି ଏବଂ ସରକାର ଏହାକୁ ଗ୍ରହଣ କରିବା ଆବଶ୍ୟକ । ଶାହଜାହନପୁରରୁ ମହାପଞ୍ଚାୟତରେ ସାମିଲ ହୋଇଥିବା ଜଣେ କୃଷକ କହିଛନ୍ତି, ଆମ ଉତ୍ପାଦକୁ ଆମେ ମଣ୍ଡିକୁ ନେଉଛୁ । କିନ୍ତୁ କିଛି ଅଧିକାରୀ ଆମ ସହ ରୁକ୍ଷ ବ୍ୟବହାର କରି ଆମ ଉତ୍ପାଦକୁ ଏମ୍‌ଏସ୍‌ପିରେ କିଣୁନାହାନ୍ତି । କିନ୍ତୁ ଯଦି ଆଇନ ରୁହନ୍ତା‌ ତେବେ ଆମେ ଏହି ଅଧିକାରୀମାନଙ୍କୁ କୋର୍ଟ ପର୍ଯ୍ୟନ୍ତ ଟାଣି ପାରନ୍ତୁ ।

ଚାଷୀନେତାମାନେ କହିଛନ୍ତି, ସେମାନେ ଲଖିମପୁର ଖେରି ହିଂସା ଘଟଣାରେ ସରକାର ନେଇଥିବା ପଦକ୍ଷେପରେ ଆଦୌ ସନ୍ତୁଷ୍ଟ ନୁହନ୍ତି । ଚାଷୀ ନେତାମାନେ କେନ୍ଦ୍ରମନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଅନ୍ୟପକ୍ଷେ ଆସନ୍ତା ସପ୍ତାହରେ କୃଷକମାନେ ସଂସଦ ଅଭି‌ମୁଖେ ଯାତ୍ରା କରିବେ । କୃଷକମାନେ କହିଛନ୍ତି, ସେମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କୃଷି ଆଇନ ପ୍ରତ୍ୟାହାର ଘୋଷଣାକୁ ବିଶ୍ବାସ କରିପାରୁନାହାନ୍ତି । ଏନେଇ ଏକ ସରକାରୀ ବିଜ୍ଞପ୍ତି ଜାରି ହେଲେ ହିଁ ସେମାନେ ଏହାକୁ ବିଶ୍ବାସ କରିପାରିବ‌େ । ଆନ୍ଦୋଳନରତ କୃଷକମାନେ ଲକ୍ଷ୍ନୌରେ ଆନ୍ଦୋଳନ କରିଥିବାବେଳେ ବିଜେପି ନେତାମାନେ ଏହାଠାରୁ ୩୦୦ କିମି ଦୂର ଗୋରଖପୁରରେ ଏକ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ । ବିଜେପି ଜାତୀୟ ସଭାପତି ଜେପି ନଡ୍ଡା ଏହି କାର୍ଯ୍ୟକ୍ରମରେ ବୁଥ୍‌ ସ୍ତରୀୟ କାର୍ଯ୍ୟକର୍ତ୍ତାଙ୍କୁ ଉଦ୍‌ବୋଧନ ଦେଇଥିଲେ ।