ପ୍ରୟାଗରାଜରେ ଆଖଡା ପରିଷଦ ମୁଖ୍ୟଙ୍କ ମୃତ୍ୟୁ ମାମଲା । ୩ଜଣଙ୍କୁ ଗିରଫ କଲା ପୋଲିସ

177

କନକ ବ୍ୟୁରୋ : ଉତ୍ତରପ୍ରଦେଶର ପ୍ରୟାଗରାଜରେ ଆଖଡାପରିଷଦର ଅଧ୍ୟକ୍ଷ ନରେନ୍ଦ୍ର ଗିରିଙ୍କ ସନ୍ଦେହଜନକ ମୃତ୍ୟୁ ମାମଲାରେ ତିନି ଜଣଙ୍କୁ ଗିରଫ କରାଯାଇଛି । ଶିଷ୍ୟ ଆନନ୍ଦ ଗିରିଙ୍କ ନାଁରେ ମାମଲା ରୁଜୁ କରାଯାଇଛି । ନିଜ ମଠରେ ହିଁ ନରେନ୍ଦ୍ର ଗିରିଙ୍କ ଝଲନ୍ତା ମୃତଦେହ ମିଳିଥିଲା । ତଦନ୍ତ ବେଳେ ପୁଲିସ ଘଟଣାସ୍ଥଳରୁ ସୁସାଇଡ ନୋଟ ଜବତ କରିଛି । ୭ ପୃଷ୍ଠାର ଏହି ସୁସାଇଡ ନୋଟରେ ମହନ୍ତ ତାଙ୍କ ବିବାଦୀୟ ଶିଷ୍ୟ ଆନନ୍ଦ ଗିରିଙ୍କ ନାଁ ନେଇଛନ୍ତି । ଆନନ୍ଦ ଗିରି, ମହନ୍ତ ନରେନ୍ଦ୍ର ଗିରିଙ୍କୁ ମାନସିକ ଭାବେ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଥିଲା । ମହନ୍ତ ମଧ୍ୟ ନିଜ ଶିଷ୍ୟଙ୍କ ନାଁରେ ଅନେକ ଗୁରୁତର ଅଭିଯୋଗ ଆଣିଥିଲେ ।

ପ୍ରୟାଗରାଜର ନିଜ ମଠର ଯେଉଁ ଘରେ ନରେନ୍ଦ୍ର ଗିରିଙ୍କ ମୃତଦେହ ମିଳିଛି, ସେହି ଘର ଚାରିଆଡୁ ବନ୍ଦ ଥିଲା । ମୁଖ୍ୟ ଦ୍ୱାର ବି ବନ୍ଦ ରହିଥିଲା । ପ୍ରାଥମିକ ତଦନ୍ତ ପରେ ପୁଲିସ ଏହାକୁ ଏକ ଆତ୍ମହତ୍ୟା ବୋଲି କହିଛି । ସେପଟେ ଆନନ୍ଦ ଗିରି କହିଛନ୍ତି, ସେ ସବୁପ୍ରକାରର ତଦନ୍ତର ସାମ୍ନା କରିବାକୁ ପ୍ରସ୍ତୁତ ଅଛନ୍ତି । ତାଙ୍କ ବିରୋଧରେ ଷଡଯନ୍ତ୍ର କରାଯାଉଛି ବୋଲି ସେ ଅଭିଯୋଗ କରିଛନ୍ତି । ଆନନ୍ଦ ଗିରିଙ୍କୁ ପଚରାଉଚରା ପାଇଁ ହରିଦ୍ୱାର ଯାଇଛି ଉତ୍ତରପ୍ରଦେଶ ପୁଲିସ । ସେପଟେ ଆଜି ନରେନ୍ଦ୍ର ଗିରିଙ୍କୁ ଶ୍ରଦ୍ଧାଂଜଳି ଦେବା ପାଇଁ ପ୍ରୟାଗରାଜ ଯିବେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ।