ମହନ୍ତ ନରେନ୍ଦ୍ର ଗିରିଙ୍କୁ ନେଇ ଆସିଲା ଚମକାଇଲା ଭଳି ଖବର । ବାଲେଶ୍ୱରରେ ମହନ୍ତଙ୍କ ଘର, ବିବାହ ପ୍ରସ୍ତାବରେ ଘର ଲୋକ ରାଜି ନହେବାରୁ ଛାଡିଥିଲେ ଓଡ଼ିଶା ।

699

କନକ ବ୍ୟୁରୋ : ଅଖିଳ ଭାରତୀୟ ଆଖଡ଼ା ପରିଷଦ ଅଧ୍ୟକ୍ଷ ମହନ୍ତ ନରେନ୍ଦ୍ର ଗିରିଙ୍କ ମୃତ୍ୟୁକୁ ନେଇ ହଟଚମଟ ଚାଲିଥିବା ବେଳେ ସାମ୍ନାକୁ ଆସିଛି ଚମକାଇ ଦେଲା ଭଳି ଖବର । ନରେନ୍ଦ୍ର ଗିରି ଜଣେ ଓଡ଼ିଆ, ଆଉ ତାଙ୍କ ଘର ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଳକ ପାଣିଷଣ୍ଡା ଗାଁରେ । ପ୍ରାୟ ୧୦ ଦିନ ଧରି ମହନ୍ତଙ୍କ ମୃତ୍ୟୁକୁ ନେଇ ହଇଚଇ ଖେଳି ଯାଇଥିବା ବେଳେ ଦୋଷୀ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ନରେନ୍ଦ୍ର ଗିରିଙ୍କ ଭାଇ ଓ ପୁତୁରା । ଏପଟେ ନରେନ୍ଦ୍ର ଗିରି ଘର ଛାଡିବା ପଛର ପୂରା କାହାଣୀ ବର୍ଣ୍ଣନା କରଛନ୍ତି ତାଙ୍କ ଭାଇ ।

୫୨ ବର୍ଷ ତଳେ ଘର ଛାଡିଥିଲେ ମହନ୍ତ ନରେନ୍ଦ୍ର ଗିରି । ଓଡ଼ିଶା ଛାଡ଼ି ଚାଲି ଯାଇଥିଲେ ଉତ୍ତରପ୍ରଦେଶ । ନରେନ୍ଦ୍ର ଗିରି । ଅଖିଳ ଭାରତୀୟ ଆଖଡ଼ା ପରିଷଦ ଅଧ୍ୟକ୍ଷ ଯେଉଁ ନରେନ୍ଦ୍ର ଗିରିଙ୍କ ମୃତ୍ୟୁକୁ ନେଇ ଚାଞ୍ଚଲ୍ୟ ଖେଳିଯାଇଥିଲା, ସେ ଯେ ଓଡ଼ିଶାର, ଏହା ବୋଧହୁଏ କେହି ଜାଣିନଥିଲେ । ତାଙ୍କ ଭାଇ କହିଛନ୍ତି, ବିବାହ ପାଇଁ ଯେଉଁ ଝିଅ ଠିକ ହୋଇଥିଲା, ଭିଣୋଇ ମନା କରିଦେବାରୁ ଅଭିମାନରେ ଘର ଛାଡି ଚାଲିଯାଇଥିଲେ ନରେନ୍ଦ୍ର ଗିରି । ସେତେବେେଳେ ତାଙ୍କ ବୟସ ପାଖାପାଖି ୨୦ ବର୍ଷ ହେବ ବୋଲି କହିଛନ୍ତି ତାଙ୍କ ଭାଇ । ଏହାପରେ ୪୦ ବର୍ଷରୁ ଅଧିକ ସମୟ ଧରି ଘର ସହ କୌଣସି ସମ୍ପର୍କ ରଖିନଥିଲେ । ତେବେ ୧୦ ବର୍ଷ ତଳେ ହଠାତ ଦୁଇ ଶିଷ୍ୟଙ୍କ ସହ ଘରକୁ ଆସି ପ୍ରାୟ ୧୫ ଦିନ ରହିଥିଲେ ବୋଲି କହିଛନ୍ତି ପରିବାର ଲୋକ ।

ମହନ୍ତ ନରେନ୍ଦ୍ର ଗିରିଙ୍କ ଘର ଓଡ଼ିଶାରେ । ବାଲେଶ୍ୱରର ସ୍କୃଲରେ ସେ ପାଠ ପଢିଥିଲେ ବୋଲି ଦାବି କରିଛନ୍ତି ପରିବାର ଲୋକ । ୟୁପି ପ୍ରୟାଗରାଜରେ ଥିବା ବାଗାମ୍ବରୀ ମଠର ମହନ୍ତ ହେବା ପୂର୍ବରୁ ନିଜ ପୈତୃକ ଘରକୁ ବୁଲି ଆସିଥିଲେ ନରେନ୍ଦ୍ର ଗିରି । ମହନ୍ତ ଗାଦିରେ ବସିବା ପରେ ଆଉ ଘରକୁ ଆସିପାରିବେ ନାହିଁ ବୋଲି କହିଥିଲେ ।

ବାଲେଶ୍ୱର ଜିଲ୍ଲା ଭୋଗରାଇର କାଣିଷଣ୍ଡା ଗାଁରେ ସନାତନ ଗିରି ଓ ରମାମଣୀ ଗିରିଙ୍କ ୬ ଜଣ ପୁଅ ଝିଅ ମଧ୍ୟରୁ ସବୁଠୁ ବଡ଼ ଥିଲେ ନରେନ୍ଦ୍ର ଗିରି । ଦୀର୍ଘ ଦିନ ଧରି ଘର ଛାଡି ଦେଇଥିବାରୁ ତାଙ୍କ ବିଷୟରେ ଅଧିକ କିଛି ଜାଣିନଥିଲେ ପରିବାର ଲୋକ । ହେଲେ ତାଙ୍କର ମୃତ୍ୟୁ ଓ ଏହି ମାମଲାରେ ୩ ଜଣ ଗିରଫ ହେବା ଖବର ଗଣମାଧ୍ୟମରୁ ଜାଣିବା ପରେ ତାଙ୍କୁ ଚିହ୍ନି ପାରିଥିବା କହିଛନ୍ତି ପରିବାର ଲୋକ । ଦୋଷୀଙ୍କୁ ଦଣ୍ଡ ମିଳୁ ବୋଲି ଦାବି କରିବା ସହ ତାଙ୍କର ସ୍ଥାବର ଅସ୍ଥାବର ସମ୍ପତ୍ତିକୁ ସରକାର ସୁବିନିଯୋଗ କରନ୍ତୁ ବୋଲି ଦାବି କରିଛନ୍ତି ।

ଉତ୍ତରପ୍ରଦେଶରେ ବେଶ ପ୍ରଭାବଶାଳୀ ଥିଲେ ଅଖିଳ ଭାରତୀୟ ଆଖଡ଼ା ପରିଷଦ ଅଧ୍ୟକ୍ଷ ମହନ୍ତ ନରେନ୍ଦ୍ର ଗିରି । ଗତ ୨୦ ତାରିଖରେ ତାଙ୍କର ସନ୍ଦିଗ୍ଧ ମୃତ୍ୟୃ, ସାରା ଦେଶରେ ହଇଚଇ ଖେଳାଇ ଦେଇଥିଲା । ଏହି ମାମଲାରେ ତାଙ୍କର ଶିଷ୍ୟ ଆନନ୍ଦ ଗିରିଙ୍କ ସମତେ ୩ ଜଣଙ୍କୁ ଗିରଫ କରାଯାଇଛି । ଏହି ମାମଲାରେ ସିବିଆଇ ତଦନ୍ତ ଆରମ୍ଭ ହୋଇଛି ।