ମହନ୍ତ ନରେନ୍ଦ୍ର ଗିରିଙ୍କୁ ଦିଆଗଲା ଭୂ-ସମାଧି । ବାଘମ୍ବରୀ ମଠରେ ମନ୍ତ୍ର ଉଚ୍ଚାରଣ ସହ ସମାଧି ।

128

କନକ ବ୍ୟୁରୋ: ମହନ୍ତ ନରେନ୍ଦ୍ର ଗିରିଙ୍କୁ ଦିଆଯାଇଛି ଭୂ-ସମାଧି । ୟୁପି ପ୍ରୟାଗରାଜ ସ୍ଥିତ ବାଘମ୍ବରୀ ମଠରେ ଅଖିଳ ଭାରତୀୟ ଆଖଡା ପରିଷଦର ଅଧ୍ୟକ୍ଷ ମହନ୍ତ ନରେନ୍ଦ୍ର ଗିରିଙ୍କୁ ମନ୍ତ୍ର ଉଚ୍ଚାରଣ ଭିତରେ ସମାଧି ଦିଆଯାଇଛି । ଏହି ପ୍ରକ୍ରିୟାରେ ସାମିଲ ହୋଇଛନ୍ତି ଅନେକ ସାଧୁ ସନ୍ଥ । ବିଭିନ୍ନ ଆଖଡା ଓ ମଠର ସାଧୁସନ୍ଥ ନରେନ୍ଦ୍ର ଗିରିଙ୍କ ସମାଧି ବେଳେ ସେଠାରେ ଉପସ୍ଥିତ ରହିଛନ୍ତି । ସମାଧି ଦିଆଯିବା ପୂର୍ବରୁ ତାଙ୍କ ମରଶରୀରକୁ ସଙ୍ଗମ ସ୍ଥଳକୁ ନିଆଯାଇଥିଲା । ସେଠାରେ ଟ୍ରକ ଭିତରେ ତାଙ୍କର ସ୍ନାନ ପ୍ରକ୍ରିୟା ସମ୍ପୂର୍ଣ୍ଣ କରାଯାଇଥିଲା । ପୋଷ୍ଟମର୍ଟମ କରାଯାଇଥିବା ଯୋଗୁଁ ସଙ୍ଗମରେ ତାଙ୍କର ବୁଡ ପକା ଯାଇନଥିଲା ।

ସେପଟେ ନରେନ୍ଦ୍ର ଗିରିଙ୍କ ମୃତ୍ୟୁକୁ ନେଇ ସନ୍ଦେହ ବଢିବାରେ ଲାଗିଛି । ମୃତ୍ୟୁର କାରଣ ନେଇ ଖୋଳତାଡ ଜାରି ରଖିଛି ଉତ୍ତରପ୍ରଦେଶ ପୁଲିସ । ଘଟଣାରେ ଉତ୍ତରପ୍ରଦେଶ ପୁଲିସ ୧୮ଜଣିଆ ଏସଆଇଟି ଟିମ ଗଠନ କରି ତଦନ୍ତ ଚଲାଇଛି । ବଦନାମ ଭୟରେ ସେ ଆତ୍ମହତ୍ୟା କରିଥିବା ନିଜ ସୁଇସାଇଡ ନୋଟରେ ଲେଖିଛନ୍ତି । ଏହାକୁ ଆଧାର କରି ମହନ୍ତ ନରେନ୍ଦ୍ର ଗିରିଙ୍କ ଶିଷ୍ୟ ଆନନ୍ଦ ଗିରି, ପ୍ରୟାଗରାଜ ହନୁମାନ ଗଡିର ପୁରୋହିତ ଆଦ୍ୟା ପ୍ରସାଦ ତିୱାରିଙ୍କୁ ଗିରଫ କରିଛି ପୁଲିସ । ଆଦ୍ୟା ପ୍ରସାଦ ତିୱାରୀଙ୍କ ପୁଅକୁ ଥାନାକୁ ନେଇ ପଚରା ଉଚରା କରାଯାଉଛି ।

ଅଖିଳ ଭାରତୀୟ ଆଖଡା ପରିଷଦର ଅଧ୍ୟକ୍ଷ ନରେନ୍ଦ୍ର ଗିରିଙ୍କ ସନ୍ଦେହଜନକ ମୃତ୍ୟୁ ଏବେ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଘଟଣାସ୍ଥଳରୁ ମିଳିଥିବା ସୁଇସାଇଡ ନୋଟ୍, ମୋବାଇଲରୁ ମିଳିଥିବା ଭିଡିଓ ଓ ଏକ ଫଟୋକୁ ନେଇ ତଦନ୍ତ ଚାଲିଛି । ସୁଇସାଇଡ୍ ନୋଟରେ ନରେନ୍ଦ୍ର ଗିରି ଲେଖିଛନ୍ତି – ଆନନ୍ଦ ଗିରି ତାଙ୍କୁ ଅପମାନ କରିବାକୁ ଷଡଯନ୍ତ୍ର କରିଥିଲା । କୌଣସି ମହିଳାଙ୍କ ସହ କମ୍ପ୍ୟୁଟରାଇଜଡ ଫଟୋ ଭାଇରାଲ କରିବାକୁ ଧମକ ଦେଇଥିଲା ଆନନ୍ଦ ଗିରି । ସେହିପରି ନରେନ୍ଦ୍ର ଗିରିଙ୍କ ମୃତ୍ୟୁ ପଛର କାରଣ ସମ୍ପତ୍ତି ବିବାଦ ସାଙ୍ଗକୁ ଷଡଯନ୍ତ୍ର ରହିଥିବା ଆଶଙ୍କା କରାଯାଉଛି । ତେବେ ପ୍ରକୃତ ସତ କଣ ତାହା ଆଗାମୀ ଦିନରେ ଜଣାପଡିବ ।