କନକ ବ୍ୟୁରୋ :  ମାହାଙ୍ଗା ଗଣସଂହାର ଘଟଣାରେ ଅଭିଯୁକ୍ତ ଶିବପ୍ରସାଦ ଦେଖାଉଛି ସିନ୍ ରିକ୍ରିଏସନ । କେମିତି ଶିବ ଏକାକୀ ୫ ଜଣଙ୍କୁ ହତ୍ୟା କରିଥିଲା, ପୁଲିସ ଆଗରେ ଡେମୋ ଦେଖାଉଛି ଅଭିଯୁକ୍ତ । ସୁରକ୍ଷାକୁ ଦୃଷ୍ଟିରେ ରଖି ଗାଁରେ ୨ ପ୍ଲାଟୁନ ପୋଲିସ୍ ଫୋର୍ସ ମୁତୟନ କରାଯାଇଛି । ଅଭିଯୁକ୍ତ ଶିବ ପ୍ରସାଦ ଏବେ ରିମାଣ୍ଡରେ ରହିଛି । ସେ ଅସୁସ୍ଥ ଥିବାରୁ ଠିକ୍ ଭାବେ ଚାଲିପାରୁ ନଥିବାରୁ  ଗତକାଲି ସେ ମାହାଙ୍ଗା ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଏବେ କିନ୍ତୁ ସେ ଟିକିଏ ସୁସ୍ଥ ହୋଇଥିବା ସୂଚନା ରହିଛି ।

ରିମାଣ୍ଡର ପ୍ରଥମ ଦିନରେ ଅଭିଯୁକ୍ତ ଶିବ କେବଳ କହିଛି ନିଜ ବଡ ଭାଇର ପରିବାରକୁ ହତ୍ୟା କରିବା ପରେ ସେ ଘଂଟାଏ ଧରି କୋଠରୀ ଭିତରେ ବସିଥିଲା । ଆଉ କୋଠରୀ ଭିତରେ ପଡିଥିବା ରକ୍ତକୁ ଏକ ଗଞ୍ଜିରେ ପୋଛିଥିଲା । ଆଜି ରିମାଣ୍ଡର ଦ୍ୱିତୀୟ ଦିନ । ଅଭିଯୁକ୍ତ ଶିବ ଯଦି ସୁସ୍ଥ ହୋଇଥିବ ତାହେଲେ ଜେରା କରାଯିବ ଏବଂ ଘଟଣାସ୍ଥଳକୁ ଆଣି କ୍ରାଇମ ରିକ୍ରିଏସନ କରାଇବ । ସେହିପରି ହତ୍ୟାକାଣ୍ଡ ପରେ ସେହି ବନ୍ଦ କୋଠରୀରୁ କଟୁରୀ, ରକ୍ତ ଭିଜା ଗଞ୍ଜି, ମୃତ ମହିଳାଙ୍କ ଚୁଟି, ବଳକା ଖାଦ୍ୟ ସାମଗ୍ରୀକୁ ଜବତ କରିଛି ପୁୁଲିସ ।

ଏବେ ଜବତ ହୋଇଥିବା କଟୁରୀ ହତ୍ୟାକାଣ୍ଡରେ ବ୍ୟବହୃତ ହୋଇଥିଲା କି ନାହିଁ ଫରେନସିକ ରିପୋର୍ଟକୁ ଅପେକ୍ଷା କରିଛି ପୁଲିସ । ସେହିପରି ମୃତକଙ୍କୁ ହତ୍ୟା କରିବା ପୂର୍ବରୁ ନିଶା ଦିଆଯାଇଥିଲା କି ନାହିଁ ତାହା ଜାଣିବାକୁ ଭିସେରା ରିପୋର୍ଟକୁ ଅପେକ୍ଷା କରିଛି ପୁଲିସ ।