ବହୁଚର୍ଚ୍ଚିତ ମାହାଙ୍ଗା ଡବଲ ମର୍ଡର ଘଟଣାର ମୁଖ୍ୟ ଅଭିଯୁକ୍ତ ପ୍ରଫୁଲ୍ଲ ବିଶ୍ୱାଳଙ୍କ ମୃତ୍ୟୁ । ଦୁର୍ଘଟଣା ନା ହତ୍ୟା ତାକୁ ନେଇ ଉଠିଲା ପ୍ରଶ୍ନ । ଟାଙ୍ଗୀ ନିକଟରେ ମିଳିଲା ମୃତଦେହ, ଅଜଣା ଟ୍ରକ ଧକ୍କା ଦେଇଥିବା ସନ୍ଦେହ । 

171

କନକ ବ୍ୟୁରୋ : ମାହାଙ୍ଗା ଡବଲ ମର୍ଡର ଘଟଣାର ମୁଖ୍ୟ ଅଭିଯୁକ୍ତ ଫେରାର ଥିବା ପ୍ରଫୁଲ ବିଶ୍ୱାଳଙ୍କର ସନ୍ଦେହଜନକ ମୃତ୍ୟୁ । ଟାଙ୍ଗୀ ଅଂଚଳର ନିର୍ମାଣାଧିନ ଟୋଲ ଗେଟ ନିକଟରୁ  ତାଙ୍କର ମୃତଦେହକୁ ଉଦ୍ଧାର କରାଯାଇଛି । ହେଲେ, ପ୍ରାୟ ମାସେ ହେବ ପୋଲିସ ତାଙ୍କୁ ଖୋଜୁଥିବାବେଳେ କେମିତି ସେହି ଅଂଚଳରୁ ତାଙ୍କ ମୃତ ଦେହ ମିଳିଲା ତାକୁ ନେଇ ଉଠିଛି ପ୍ରଶ୍ନ ।

ପ୍ରଫୁଲ୍ଲ ବିଶ୍ୱାଳ । ଜାନୁଆରୀ ୨ ତାରିଖ ମାହାଙ୍ଗା ଡବଲ ମର୍ଡର ଘଟଣାର ମୁଖ୍ୟ ଅଭିଯୁକ୍ତ । ଯାହାକୁ ପୋଲିସ ଏତେ ଦିନ ହେଲା ଖୋଜୁଥିଲା, ଟାଙ୍ଗୀ ଟୋଲଗେଟ୍ ନିକଟରୁ ସନ୍ଦେହଜନକ ଭାବେ ତାଙ୍କର ମୃତଦେହ ଉଦ୍ଧାର ହୋଇଛି । ବଡ କଥା ହେଉଛି, ଯେଉଁ ସବୁ ଅଂଚଳରେ ପୋଲିସ ଖୋଜୁଥିଲା, ସେହି ଅଂଚଳରୁ ମିଳିଛି ପ୍ରଫୁଲଙ୍କ ମୃତ ଦେହ ।

ପ୍ରଫୁଲଙ୍କ ମୃତଦେହକୁ ଏଭଳି ଅବସ୍ଥାରେ ଉଦ୍ଧାର କରାଯାଇଛି ତାହା ଦେଖାଇବା ସମ୍ଭବ ନୁହେଁ । ତାଙ୍କ ଶରୀର ବିଭିନ୍ନ ଅଂଗରୁ ମାଂସ ବାହାରିପଡିଛି । ଖଣ୍ଡବିଖଣ୍ଡିତ ହୋଇଯାଇଛି ଶରୀର । ମୃତଦେହକୁ ଦେଖିଲେ ସ୍ପଷ୍ଟ ଜଣାପଡୁଛି ତାଙ୍କ ଉପରେ ଗାଡି ଚଢ଼ିଯାଇଛି । ହେଲେ, ଗାଡି ଚଢ଼ିବା ପରେ ମୃତ୍ୟୁ ହୋଇଛି କି, ମୃତ୍ୟୁ ପରେ ଗାଡି ଚଢ଼ା ଯାଇଛି ତାକୁ ନେଇ ସନ୍ଦେହ ଉପଜୁଛି ।

ଟାଙ୍ଗୀରୁ ପ୍ରଫୁଲଙ୍କ ମୃତ ଦେହ ମିଳିବା ପରେ ପୋଲିସର ପାରିବା ପଣିଆ ଉପରେ ପ୍ରଶ୍ନ ଉଠିଛି । ଯାହାକୁ ଦୀର୍ଘ ଦିନ ହେଲାଣି ପୋଲିସ ଖୋଜୁଥିଲା ସେ କେମିତି ସେହି ଅଂଚଳରେ ବୁଲୁଥିଲେ? କେମିତି ପାଉନଥିଲା ପୋଲିସ ? କେଉଁଠି ଲୁଚିଥିଲେ ପ୍ରଫୁଲ? ପୋଲିସ ଜାଣିଶୁଣି ତାଙ୍କୁ ଗିରଫ କରୁନଥିଲା କି? ତାଙ୍କର ମୃତ୍ୟୁ ହୋଇଛି ନା ହତ୍ୟା କରାଯାଇଛି? ମାରିବା ପରେ ଗାଡି ଚଢ଼ାଇ ଦୁର୍ଘଟଣାର ରୂପ ଦେବାକୁ ଉଦ୍ୟମ କରାଯାଇନି ତ? ଯଦି ହତ୍ୟା କରାଯାଇଛି ତେବେ କିଏ ଓ କାହିଁକି ହତ୍ୟା କରିଛନ୍ତି?

ସେପଟେ ପ୍ରଫୁଲଙ୍କ ମୃତ୍ୟୁ ପାଇଁ ମୃତ କୂଳମଣି ବରାଳଙ୍କ ପୁଅକୁ ଦାୟୀ କରିଛନ୍ତି, ତାଙ୍କ ମାଆ ।  ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ।  ଜାନୁୟାରୀ ୨ତାରିଖରେ ମହାଙ୍ଗାର ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ କୂଳମଣି ବରାଳ ଏବଂ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କୁ ହତ୍ୟା କରାଯାଇଥିଲା । ଏହି ଘଟଣାରେ ପ୍ରଫୁଲ୍ଲ ବିଶ୍ୱାଳଙ୍କୁ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିଲା  ।

ଘଟଣା ଦିନ କୂଳମଣି ଓ ଦିବ୍ୟସିଂହ ଏକ ବାଇକରେ ଘରକୁ ଫେରୁଥିବାବେଳେ ଆକ୍ରମଣ ହୋଇଥିଲା । ଏଥିରେ ଉଭୟଙ୍କର ମୃତ୍ୟୁ ହୋଇଯାଇଥିଲା । ଏହି ହତ୍ୟାକାଣ୍ଡକୁ ନେଇ ସାରା ରାଜ୍ୟରେ ହଇଚଇ ସୃଷ୍ଟି ହୋଇଥିଲା  । ଶାସକଦଳର ନେତାଙ୍କୁ ଏଥିପାଇଁ ଦାୟୀ କରିଥିଲା ବିଜେପି । ମୃତ କୂଳମଣିଙ୍କ ପୁଅର ଅଭିଯୋଗକୁ ଆଧାର କରି ମୋଟ ୧୩ଜଣଙ୍କ ନାଁରେ ମାମଲା ରୁଜୁ ହୋଇଥିଲା । ୯ଜଣ ଅଭିଯୁକ୍ତ ଗିରଫ ହୋଇଥିବା ବେଳେ ମୁଖ୍ୟ ଅଭିଯୁକ୍ତ ସମେତ ୪ଜଣ ଅଭିଯୁକ୍ତ ଫେରାର ଥିଲେ । ସେବେଠାରୁ ପ୍ରଫୁଲଙ୍କୁ ଖୋଜୁଥିଲା ପୋଲିସ ।