ମାହାଙ୍ଗାରେ ବିଜେପି ନେତାଙ୍କୁ ନିର୍ମମ ହତ୍ୟା ଘଟଣାରେ ୧୨ ଜଣଙ୍କ ନାଁରେ ଏତଲା: ଜଣଙ୍କୁ ଅଟକ ରଖି ପୁଲିସର ପଚରାଉଚରା; ସାଇଣ୍ଟିଫିକ୍ ଟିମର ତନାଘନା

245

କନକ ବ୍ୟୁରୋ: ମାହାଙ୍ଗାର ବିଜେପି ନେତା ତଥା ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ କୂଳମଣି ବରାଳ ଓ ତାଙ୍କ ସହଯୋଗୀଙ୍କୁ ନିର୍ମମ ଭାବେ ହତ୍ୟା ଘଟଣାରେ ୧୨ ଜଣଙ୍କ ନାଁରେ ଏତଲା । ମୃତ କୂଳମଣି ବରାଳଙ୍କ ପୁଅ ଏନେଇ ମାହାଙ୍ଗା ଥାନାରେ ଏତଲା ଦେଇଛନ୍ତି । ଘରକୁ ଫେରୁଥିବା ସମୟରେ ଏହି ୧୨ ଜଣ ତାଙ୍କ ବାପାଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରିଥିବା ସେ ଅଭିଯୋଗ ଆଣିଛନ୍ତି । ପୁଲିସ ମଧ୍ୟ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଥିବା ଜଣାପଡିଛି । ଘଟଣାସ୍ଥଳରେ ସାଇଂଟିଫିକ୍ ଟିମ୍ ପହଂଚି ତନାଘନା କରୁଥିବାର ସୂଚନା ରହିଛି । ଅଂଚଳରେ ଉତେଜନା ଦେଖା ଦେବାରୁ ତିନି ପ୍ଲାଟୁନରୁ ଅଧିକ ପୁଲିସ ଫୋର୍ସ ମୁତୟନ କରାଯାଇଛି । ଗତକାଲି ରାତି ପ୍ରାୟ ୭ଟାରେ କୂଳମଣି ଓ ତାଙ୍କ ସହଯୋଗୀ ଦିବ୍ୟସିଂ ବରାଳଙ୍କ ଏକ ବାଇକରେ ଯଁକୋଟି ଗ୍ରାମ ଦେଇ ସେମାନଙ୍କ ଗାଁ ନୃତାଙ୍ଗକୁ ଫେରୁଥିଲେ ।

ଯଁକୋଟି ବ୍ରାହ୍ମଣସାହି ନିକଟରେ ୬ ଜଣରୁ ଅଧିକ ଦୁବୃର୍ତ ସେମାନଙ୍କୁ ଅତର୍କିତ ଆକ୍ରମଣ କରିଥିଲେ । ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ କୂଳମଣି ବରାଳ ଓ ତାଙ୍କ ସହଯୋଗୀ ବାଇକରୁ ତଳେ ପଡିଯିବା ପରେ ତାଙ୍କ ମୁହଁ ଓ ମୁଣ୍ଡକୁ ଧାରୁଆ ଅସ୍ତ୍ରରେ ହାଣି ଫେରାର ହୋଇଯାଇଥିଲେ ଦୁର୍ବୃତମାନେ । ଏହା ପରେ ଉଭୟଙ୍କୁ ସଂକଟାପନ୍ନ ଅବସ୍ଥାରେ ମାହାଙ୍ଗା ହସ୍ପିଟାଲକୁ ନିଆଯାଇଥିଲା । ସେଠାରେ କୂଳମଣିଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି । ଦିବ୍ୟସିଂ ବରାଳଙ୍କୁ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଛି । ହତ୍ୟା ପଛରେ ରାଜନୈତିକ ଉଦ୍ଦେଶ୍ୟ ରହିଥିବା ଅଭିଯୋଗ କରିଛନ୍ତି ସାଲେପୁରର ପୂର୍ବତନ ବିଧାୟକ ପ୍ରକାଶ ବେହେରା ଓ ମାହାଙ୍ଗା ବିଜେପି ବିଧାୟକ ପ୍ରାର୍ଥୀ ସାରଦା ପ୍ରଧାନ  ।

ସେପଟେ ମାହାଙ୍ଗା ଘଟଣାକୁ ରାଜନୀତି ଆରମ୍ଭ ହୋଇଛି । ଆଇନ ମନ୍ତ୍ରୀ ପ୍ରତାପ ଜେନା ଏହି ଘଟଣାକୁ ନିନ୍ଦା କରିଛନ୍ତି । ସେ କହିଛନ୍ତି ଦୋଷୀକୁ କିଭଳି ଦଣ୍ଡ ବିଧାନ ହେବ ସେଦିଗରେ ଦୃଷ୍ଟି ଦେବେ । ସେପଟେ ଏନେଇ ବିଜେଡ଼ିକୁ ଘେରିଛି ବିଜେପି । ଦଳ କହିଛି ରାଜନୈତିକ ଆକ୍ରୋଶ ରଖି ଏପରି ଘଟଣା ଘଟିଛି । ଅନ୍ୟପକ୍ଷରେ ପିସିସି ସଭାପତି ନିରଂଜନ ପଟ୍ଟନାୟକ ଏହି ଘଟଣାକୁ ନିନ୍ଦା କରିଛନ୍ତି ।