କନକ ବ୍ୟୁରୋ : ମାହାଙ୍ଗା ଡବଲ୍ ମର୍ଡର ମାମଲାରେ ଜେଏମଏଫସି କୋର୍ଟଙ୍କ ନିର୍ଦ୍ଦେଶ ପରେ ପ୍ରତିକ୍ରିୟା ରଖିଲେ ବିଧାୟକ ପ୍ରତାପ ଜେନା । କହିଛନ୍ତି, ଏଭଳି ଅଭିଯୋଗ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ । ବିରୋଧୀ ଷଡଯନ୍ତ୍ର କରୁଛନ୍ତି । ସେମାନଙ୍କ ଓ ତାଙ୍କ ନିଜର ନାର୍କୋ ଟେଷ୍ଟ କରାଯାଉ । ମାହାଙ୍ଗା ବିଜେପି ନେତା ଶାରଦା ପ୍ରଧାନ ରାଜନୈତିକ ଉଦ୍ଦେଶ୍ୟ ରଖି ଏଭଳି ଅଭିଯୋଗ ଆଣୁଛନ୍ତି ବୋଲି ପ୍ରତାପ ଜେନା ଅଭିଯୋଗ କରିଛନ୍ତି ।

Kanak News is now on WhatsApp
Join and get latest news updates delivered to you via WhatsApp
ଘଟଣାରେ କିଛି ସତ୍ୟାସତ୍ୟ ନଥିବା କହିଛନ୍ତି ପ୍ରତାପ ଜେନା । ପ୍ରତାପଙ୍କ ନାଁରେ ମାମଲା ଚାଲୁ ରଖିବାକୁ ଗତକାଲି ସାଲେପୁର ଜେଏମଏଫସି କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ହତ୍ୟା, ହତ୍ୟା ଷଡ଼ଯନ୍ତ୍ର ଓ ଧମକ ଦଫାରେ ମାମଲା ଚାଲୁ ରଖିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହ ବିଧାୟକ, ସାଂସଦଙ୍କ ବିରୋଧରେ ଥିବା ଫୌଜଦାରୀ ମାମଲାର ଶୁଣାଣି ପାଇଁ ପ୍ରତିଷ୍ଠା ହୋଇଥିବା ଭୁବନେଶ୍ୱର ସ୍ଥିତ ଅତିରିକ୍ତ ଦୌରା ଜଜ୍ ତଥା ସ୍ୱତନ୍ତ୍ର ଅଦାଲତରେ ବିଧାୟକ ପ୍ରତାପ ଜେନାଙ୍କ ବିରୋଧରେ ମାମଲାର ଶୁଣାଣି ଚାଲିବ ।
ଅଭିଯୋଗକାରୀ, ସାକ୍ଷୀଙ୍କ ବୟାନ ଓ ଅନ୍ୟ ରେକର୍ଡରୁ ବିଧାୟକଙ୍କ ବିରୋଧରେ ହତ୍ୟା, ଅପରାଧିକ ଷଡଯନ୍ତ୍ର, ହତ୍ୟା ଧମକ ଅଭିଯୋଗ ନେଇ ଆପାତତଃ ମାମଲା ରହିଛି ବୋଲି କହିଛନ୍ତି ଅଦାଲତ ।ଜାନୁୟାରୀ ୨୦୨୧ରେ ମାହାଙ୍ଗାରେ ଘଟିଥିଲା ଡବଲ୍ ମର୍ଡର । କୁଳମଣି ବରାଳ ଏବଂ ଦିବ୍ୟସିଂହ ବରାଳଙ୍କ ମୃତ୍ୟୁ ହୋଇଥିଲା । ଏହି ଘଟଣାରେ ୧୩ ଜଣଙ୍କ ନାଁରେ ଅଭିଯୋଗ ହୋଇଥିଲା । ଏଥିରୁ ୯ ଜଣ ଗିରଫ ହୋଇଥିଲେ । ଏତଲା ଅନୁସାରେ ୧୩ ନମ୍ବର ଅଭିଯୁକ୍ତ ଥିଲେ ପ୍ରତାପ ଜେନା । ତେବେ ପରବର୍ତୀ ସମୟରେ ମୁଖ୍ୟ ଅଭିଯୁକ୍ତ ପ୍ରଫୁଲ୍ଲ ବିଶ୍ୱାଳଙ୍କ ମୃତ୍ୟୁ ହୋଇଯାଇଥିଲା ।