କନକ ବ୍ୟୁରୋ : ମାହାଙ୍ଗା ନାବାଳିକା ମୃତ୍ୟୁ ମାମଲାରେ କେବେ ଶରତ ନାୟକଙ୍କ ପାଖରେ ପହଞ୍ଚିବ ପୋଲିସ । ଝିଅର ପ୍ରେମିକଙ୍କ ମା ସହ ଶରତ କଥା ହେଉଥିବାର ଅଡିଓ ଭାଇରାଲ ହୋଇଛି । ପୋଲିସ ସହ କଥା ହୋଇ ଶବ ବ୍ୟବଚ୍ଛେଦ କରାଇନଥିବା ସ୍ପଷ୍ଟ ଭାବେ କହୁଛନ୍ତି ଶରତ ନାୟକ । ଏପରି ସ୍ଥିତିରେ ପୋଲିସର ଭୂମିକା ସନ୍ଦେହ ଘେରକୁ ଆସିଯାଇଛିି ।

Advertisment

ଶରତ କହୁଛନ୍ତି, ଆଇଆଇସି ଓ ଏସଡିପିଓଙ୍କୁ ସେ ମ୍ୟାନେଜ କରିଛନ୍ତି । ପ୍ରଶ୍ନ ଆସୁଛି କେମିତି ଆଉ କଣ ପାଇଁ ମ୍ୟାନେଜ ହୋଇଥିଲେ ସାଲେପୁର ଏସଡିପିଓ ବିମଳ ବାରିକ । ପୂରା ଘଟଣାରେ ତାଙ୍କ ଭୂମିକା ବିବାଦ ଘେରକୁ ଆସିଛି । ପୂର୍ବରୁ ମଧ୍ୟ ତାଙ୍କ ଭୂମିକା ବିବାଦ ମୁକ୍ତ ନଥିଲା । ମାହାଙ୍ଗା ଡବଲ ମର୍ଡର ଘଟଣାରେ ମୁଖ୍ୟ ଅଭିଯୁକ୍ତ ପ୍ରଫୁଲ ବିଶ୍ୱାଳ ଓରଫ କାବୁଆର ସନ୍ଦେହଜନକ ମୃତ୍ୟୁ ଘଟଣାରେ ବିମଳ ଅପମୃତ୍ୟୁ ମାମଲା ରୁଜୁ କରି ଭିନ୍ନ ମୋଡ ଦେବାକୁ ଚେଷ୍ଟା କରିଥିଲେ ।

ସେତେବେଳେ ସେ ଟାଙ୍ଗୀର ଥାନା ଅଧିକାରୀ ଥିଲେ । ଏ ଭିତରେ ତାଙ୍କର ପଦୋନ୍ନତି ହୋଇ ସେ ସାଲେପୁର ଏସଡିପିଓ ଭାବେ ଅବସ୍ଥାପିତ ଅଛନ୍ତି । ଏଠି ପୋଲିସ କାହା ଇସାରାକୁ ମାନି କାମ କରୁଛି ତାକୁ ନେଇ ପ୍ରଶ୍ନ ଉଠିଲାଣି । ଅନ୍ୟପଟେ ଗତକାଲି ଜଗତସିିଂହପୁର ଯାଇ କଟକ ଗ୍ରାମାଞ୍ଚଳ ପୋଲିସ ନାବାଳିକାଙ୍କ ପ୍ରେମିକ ତଥା ସ୍କୁଲର ଖେଳ ଶିକ୍ଷକ ଓ ତାଙ୍କ ମାଙ୍କୁ ଜେରା କରିଛି । ହେଲେ ଭାଇରାଲ ଅଡିଓକୁ ନେଇ ଶରତଙ୍କୁ ଏପର୍ଯ୍ୟନ୍ତ ଜେରା ହୋଇନଥିବା ସୂଚନା ଆସୁଛି । ଏପଟେ ଶରତ ନାୟକଙ୍କୁ ବିଜେଡି ଦଳରୁ ନିଲମ୍ବନ କରିଛି ।