ମାହାଙ୍ଗା ଡବଲ ମର୍ଡର ମାମଲା: ହାଇକୋର୍ଟ ଗଲେ ପ୍ରତାପ ଜେନା, ତଳକୋର୍ଟର ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କଲେ ବିଧାୟକ

396

କନକ ବ୍ୟୁରୋ: ମାହାଙ୍ଗା ଡବଲ ମର୍ଡର ମାମଲାରେ ତଳକୋର୍ଟ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ସ୍ଥାନୀୟ ବିଧାୟକ ପ୍ରତାପ ଜେନା । ହାଇକୋର୍ଟରେ ସେ କ୍ରିମିନାଲ ରିଭିଜନ ପିଟିସନ ଦାୟର କରିଛନ୍ତି । ମାହାଙ୍ଗା ଡବଲ ମର୍ଡର ଘଟଣାରେ ସାଲେପୁର ସାଲେପୁର ଜେଏମ୍ଏଫ୍ସି ପ୍ରତାପଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ । ଆଜି କୋର୍ଟରେ ହାଜର ହେବାର ଥିଲେ ବି ସେ ହାଜର ହୋଇନଥିଲେ । ନିଜ ଓକିଲଙ୍କ ଜରିଆରେ ପକ୍ଷ ରଖିଥିଲେ ମାହାଙ୍ଗା ବିଧାୟକ । ଅସୁସ୍ଥତା ଥିବା ଦର୍ଶାଇ ସାର୍ଟିଫିକେଟ୍ ମଧ୍ୟ ଦାଖଲ କରିଥିଲେ । ବ୍ୟକ୍ତିଗତ ହାଜିରାକୁ ବାଦ୍ ଦିଆଯିବା ନେଇ ଆବେଦନରେ ଦର୍ଶାଯାଇଥିଲା । ଏହା ଉପରେ ô ସାଲେପୁର ଜେଏମ୍ଏଫ୍ସି କୋର୍ଟ ଶୁଣାଣି କରି ରାୟ ସଂରକ୍ଷିତ ରଖିଛନ୍ତି । ପ୍ରତାପ ଜେନାଙ୍କ ହାଜିର ପାଇଁ ତାଙ୍କ ଓକିଲ ଆଉ ଦୁଇ ସପ୍ତାହ ସମୟ ମାଗିଛନ୍ତି । ଗତ ସେପ୍ଟେମ୍ବରରେ ପ୍ରତାପଙ୍କ ବିରୋଧରେ ତଦନ୍ତ ଜାରି ରଖିବା ସହ ଭୁବନେଶ୍ୱର କୋର୍ଟକୁ ମାମଲା ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ । ତଥ୍ୟ, ପ୍ରମାଣ, ସାକ୍ଷୀଙ୍କ ବୟାନ ଆଧାରରେ ପ୍ରତାପଙ୍କ ବିରୋଧରେ ଆସିଥିବା ହତ୍ୟା ଅଭିଯୋଗର ତଦନ୍ତ ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ୨୦୨୧ ଜାନୁଆରୀ ୩ ତାରିଖରେ ବିଜେପି ନେତା ତଥା ପୂର୍ବତ ମାହାଙ୍ଗା ବ୍ଳକ ଅଧ୍ୟକ୍ଷ କୁଳମଣି ବରାଳ ଏବଂ ତାଙ୍କର ଘନିଷ୍ଠ ସହଯୋଗୀ ଦିବ୍ୟସିଂଘ ବରାଳଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା । ପରେ ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ଥିବା ପ୍ରଫୁଲ ବିଶ୍ୱାଳଙ୍କ ଟାଙ୍ଗି-କଟକ ରାସ୍ତା ସନ୍ଦେହଜନକ ଭାବେ ଟ୍ରକ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା । ଉଭୟ ମାମଲାରେ ପ୍ରତାପ ଜେନାଙ୍କ ହାତ ଥିବା ଅଭିଯୋଗ କରିଥିଲା ବିଜେପି ।