କଟକ ବାଙ୍କୀରୁ ଆସିଲା ମହାନଦୀର ବିକଳ ଚିତ୍ର । ୨୦୧୩ ମାର୍ଚ୍ଚରେ ଯେଉଁଠି ଲହଡ଼ି ମାରୁଥିଲା ପାଣି, ଆଜି ସେଠି କ୍ରିକେଟ୍ ଖେଳୁଛନ୍ତି ପିଲା ।

462

କନକ ବ୍ୟୁରୋ: ଯେଉଁଠି ଦିନେ କୁମ୍ଭୀର ଉତ୍ପାତ କରୁଥିଲା, ସେଠି ଏବେ କ୍ରିକେଟ୍ ଖେଳାଯାଉଛି । ମାତ୍ର ୮ ବର୍ଷରେ ବଦଳିଯାଇଛି ମହାନଦୀର ଚିତ୍ର । ସମୟ ସହ ଶୁଖିଯାଉଛି ଓଡ଼ିଶାର ଜୀବନ ଧାରା ମହାନଦୀ । ଓଡ଼ିଶା ଓ ଛତିଶଗଡ ମଧ୍ୟରେ ମହାନଦୀକୁ ନେଇ ଆଇନଗତ ଲଢ଼େଇ ଜାରି ରହିଥିବା ବେଳେ ଉପର ମୁଣ୍ଡରେ ବ୍ୟାରେଜ୍ ବନାଇ ପାଣିକୁ ରୋକି ଦେଇଛି ଛତିଶଗଡ଼ । ଯାହାର ସିଧା ପରିଣାମ ଓଡ଼ିଶାକୁ ଭୋଗିବାକୁ ପଡୁଛି ।

୨୦୧୩ ମସିହାରେ ଯେଉଁଠି ଦିନେ କୁମ୍ଭୀର ଖେଳୁଥିଲା, ୨୦୨୧ ମସିହାରେ ସେଠି ଆଜି ପିଲାମାନେ କ୍ରିକେଟ୍ ଖେଳୁଛନ୍ତି । ଯାହାପରେ ଓଡ଼ିଶାର ଜୀବନ ରେଖା ମରି ମରି ଆସୁଛି ବୋଲି ଅନୁମାନ କରାଯାଉଛି । କଟକ ଜିଲ୍ଳା ବାଙ୍କୀ ଚର୍ଚ୍ଚିକା ପୀଠ ରେଣୁକା ଘାଟରେ ୨୦୧୩ ମସିହାରେ ଏକ ୧୦ ଫୁଟର କୁମ୍ଭୀର ଚାଲିଆସିଥିଲା । କୁମ୍ଭୀର ଭୟରେ ଲୋକ ସେତେବେଳେ ନଦୀରେ ଗାଧେଇବାକୁ ଡରୁଥିଲେ । ଆଉ ଏହି ଜଳଜନ୍ତୁକୁ ଧରିବା ପାଇଁ ସେଦିନ ଲୋକଙ୍କୁ ନୟାନ୍ତ ହେବାକୁ ପଡ଼ିଥିଲା । ଶେଷରେ କୁମ୍ଭୀରକୁ କାବୁ କରି ନନ୍ଦନକାନନକୁ ଅଣାଯାଇଥିଲା।
ଆଉ ଏବେ ମହାନଦୀ ପଠାରେ କ୍ରିକେଟ୍ କ୍ରିଜ୍ ନିର୍ମାଣ ହୋଇଛି । ଆଉ ବାଲି ଭିତରେ ପିଲାମାନେ କ୍ରିକେଟ୍ ଖେଳୁଛନ୍ତି । ମହାନଦୀର ଏହି ସ୍ଥିତି କାହିଁକି ହୋଇଛି, କାହାକୁ ଅଛପା ନାହିଁ । ପଡ଼ୋଶୀ ଛତିଶଗଡ଼ ମହାନଦୀର ଉପରମୁଣ୍ଡରେ ମନମୁଖି ଭାବେ ବନ୍ଧ ଓ ଆନିକଟ୍ ନିର୍ମାଣ କରିବା ଫଳରେ ତଳମୁଣ୍ଡ ଏବେ ଶୁଖିଲା ପଡ଼ିଛି ।

ଛତିଶଗଡ଼ କଲମା ବ୍ୟାରେଜ୍ରେ ଲହଡ଼ି ମାରୁଛି ପାଣି, ଆଉ ତଳପଟେ ଶୁଖିଲା ପଡ଼ିଛି ମହାନଦୀ । ମହାନଦୀରେ ପାଣି ଯେମିତି ଛତିଶଗଡ଼ ହାତରେ ବନ୍ଧା ପଡ଼ିଯାଇଛି । ଆଉ ଖରା ଦିନେ ତଳମୁଣ୍ଡରେ ଦେଖା ଦେଲାଣି ଜଳ ସଂକଟ । ଆଉ ଜଳ ସଂକଟ ହେବା ବି ସ୍ୱାଭାବିକ । କାରଣ, ଯେଉଁଠି ଦିନେ ଲହଡ଼ି ମାରୁଥିଲା ପାଣି, ସେଠି ଆଜି ଟାଙ୍କରା ଭୁଇଁ ।