ମହାନଦୀରେ କମିଛି ୩୦ ପ୍ରତିଶତ ଅଣମୌମୁସମୀ ଜଳପ୍ରବାହ । ଶୁଖିଲା ପଡିଛି ଓଡିଶା ଭିତରେ ଥିବା ମହାନଦୀ ଗର୍ଭ, ଦେଖାଯାଉଛି ବାଲୁକା ଶଯ୍ୟା

103

କନକ ବ୍ୟୁରୋ : ମହାନଦୀରେ କମିଛି ଅଣମୌସୁମୀ ଜଳପ୍ରବାହ । ଅଣମୌସୁମୀ ଋତୁରେ ଓଡ଼ିଶାକୁ ଯେତିକି ପାଣି ମିଳିବା କଥା ତାର ୩୦ ପ୍ରତିଶତ କମ୍ ମିଳୁଛି । ଗତ ଜାନୁଆରୀରେ ଶୂନ ଦଶମିକ ୩୩୨ ନିୟୁତ ଏକର ଫୁଟ, ଫେବ୍ରୁଆରୀରେ ଶୂନ ଦଶମିକ ୧୬୪ ନିୟୁତ ଏକର ଫୁଟ ଓ ମାର୍ଚ୍ଚରେ ଶୂନ ଦଶମିକ ୧୧୩ ନିୟୁତ ଏକ ଫୁଟ ପାଣି ଆସିଛି । ୧୦ଟି ବନ୍ଧ ବ୍ୟାରେଜ୍ ଭରିଲା ପରେ ଉଚ୍ଛୁଳା ପାଣି ଝରି ଝରି ତଳମୁଣ୍ଡକୁ ଆସୁଛି । ଓଡ଼ିଶା ଭାଗର ପାଣି ଛତିଶଗଡ଼ର ୪୮ଟି କଳକାରଖାନାକୁ ଦିଆଯାଉଥିବା ଜଣାପଡ଼ିଛି । ଫଳରେ ଏହାର ପରିଣାମ ଭୋଗୁଛି ଓଡ଼ିଶା ।
ଜଳଭଣ୍ଡାରର ଉପରମୁଣ୍ଡ ବରଗଡ଼ ଓ ଝାରସୁଗୁଡ଼ା ଜିଲ୍ଲାରେ ପାଣି ଅଭାବ ଦେଖାଦେଇଛି । ଅନେକ କିଲୋମିଟର ପର୍ଯ୍ୟନ୍ତ ପାଣି ଘୁଞ୍ଚି ଯାଇଥିବାରୁ କେବଳ ବାଲିଶଯ୍ୟା ଦେଖିବାକୁ ମିଳୁଛି । ଜଳ ଭଣ୍ଡାରରେ ଜଳାଭାବରୁ ରବି ଚାଷ ଗୁରୁତର ପ୍ରଭାବିତ ହୋଇଛି । ଚଳିତ ବର୍ଷ ହୋଇଥିବା ୧ ଲକ୍ଷ ୨୫ ହଜାର ହେକ୍ଟର ରବି ଚାଷର ଏକ ବଡ଼ ଅଂଶ ଜଳାଭାବରୁ ପ୍ରଭାବିତ ହୋଇଥିବା କୁହାଯାଉଛି । ସେହିପରି ମେ’ ମାସରେ ହୀରାକୁଦ ପାଣି ସରିଯିବା ଆଶଙ୍କାରେ କମ ପାଣି ଖର୍ଚ୍ଚ କରି ମାର୍ଚ୍ଚରୁ ବିଦ୍ୟୁତ ଉତ୍ପାଦନକୁ ମାତ୍ର ୩୭ ପ୍ରତିଶତରେ ସୀମିତ ରଖାଯାଇଛି ।