ଓଡ଼ିଶା ଛତିଶଗଡ଼ ମଧ୍ୟରେ ଜଳ ବିବାଦ ପ୍ରସଙ୍ଗ: ଆଉ ୨ମାସ ପରେ ସରିବ ମହାନଦୀ ଟ୍ରିବ୍ୟୁନାଲର ଅବଧି; ସଂସଦରେ ପ୍ରସଙ୍ଗ ଉଠାଇବାକୁ ବିଜୟ ମହାପାତ୍ରଙ୍କ ପ୍ରସ୍ତାବ

କଂଗ୍ରେସ କହିଲା ଓଡ଼ିଶା ସ୍ୱାର୍ଥ ବିରୋଧି ଉଭୟ ବିଜେପି ଓ ବିଜେଡ଼ି । ମନ୍ତ୍ରୀ ପଦ୍ମନାଭ କହିଲେ ଓଡ଼ିଶା ସପକ୍ଷରେ ଯିବ ଟ୍ରିବ୍ୟୁନାଲ ରାୟ

134

କନକ ବ୍ୟୁରୋ: ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଜଳ ବିବାଦର ସମାଧାନ ପାଇଁ ମହାନଦୀ ଟ୍ରିବ୍ୟୁନାଲ ଗଠନ କରାଯାଇଥିଲା । ଏହି ଟ୍ରିବ୍ୟୁନାଲର ଅବଧି ଆଉ ଦୁଇମାସ ବାକି ରହିଛି । ଏହାରି ଭିତରେ ଟ୍ରିବ୍ୟୁନାଲ ଗଠନକୁ ତିନି ବର୍ଷ ବିତିଯାଇଛି । କେନ୍ଦ୍ର ସରକାର ଚାହିଁଲେ ଅବଧି ଆଉ ଦୁଇ ବର୍ଷ ବଢାଇ ଦେଇପାରିବେ । ହେଲେ କେନ୍ଦ୍ରର ସେ ଆନ୍ତରିକତା ଅଛି କି ନାହିଁ ତାକୁ ସନ୍ଦେହ । ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର କହିଛନ୍ତି ମହାନଦୀକୁ ନେଇ ଟ୍ରିବ୍ୟୁନାଲରେ କ’ଣ ଶୁଣାଣି ଚାଲିଛି ତାହା କେହି ଜାଣିପାରୁନାହାନ୍ତି । ପୂର୍ବରୁ ମହାନଦୀ ପାଇଁ ସ୍ୱର ଉଠାଉଥିବା ସରକାର, ବିରୋଧୀ ଓ ବିଭିନ୍ନ ସଂଗଠନ ଏବେ ଚୁପ୍ କାହିଁକି ବୋଲି ସେ ପ୍ରଶ୍ନ କରିଛନ୍ତି ।

ସେହିପରି ରାଜ୍ୟ ସରକାର ହିରାକୁଦର ତଳମୁଣ୍ଡରେ ଘୋଷଣା କରିଥିବା ୬ଟି ପ୍ରକଳ୍ପ କୁଆଡ଼େ ଗଲା ବୋଲି ପ୍ରଶ୍ନ ଉଠାଇଛନ୍ତି ବିଜୟ ମହାପାତ୍ର । ସଂସଦରେ ଏ ପ୍ରସଙ୍ଗ ଉଠିବା ଦରକାର, ନହେଲେ ଆଗକୁ ପରିସ୍ଥିତି ଭୟାନକ ହେବ ବୋଲି ସେ ଚେତାଇ ଦେଇଛନ୍ତି । ଏପଟେ କଂଗ୍ରେସ ମୁଖ୍ୟ ସଚେତକ ତାରା ବାହିନୀପତି କହିଛନ୍ତି । ବିଧାନସଭାରେ ଏହି ପ୍ରସଙ୍ଗ ଉଠାଇବ ଦଳ । ମହାନଦୀ ସମ୍ପର୍କରେ ରାଜ୍ୟ ସରକାର ତୁରନ୍ତ ସର୍ବଦଳୀୟ ବୈଠକ ଡ଼କାନ୍ତୁ ବୋଲି ସେ ପ୍ରସ୍ତାବ ଦେଇଛନ୍ତି । ଉଭୟ ବିଜେପି ଓ ବିଜେଡ଼ି ରାଜ୍ୟର ସ୍ୱାର୍ଥକୁ ଅଣଦେଖାକରୁଥିବା ଅଭିଯୋଗ କରିଛନ୍ତି କଂଗ୍ରେସ ମୁଖ୍ୟ ସଚେତକ । ଏହି ପ୍ରସଙ୍ଗରେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ପ୍ରତିକ୍ରିୟା ରଖି କହିଛନ୍ତି ଟ୍ରିବ୍ୟୁନାଲଙ୍କ ରାୟ ଓଡ଼ିଶା ସପକ୍ଷରେ ଯିବ । ଓଡ଼ିଶାକୁ ତାର ହକର ପାଣି ମିଳିବ ବୋଲି ସେ ଦୃଢୋକ୍ତି କରିଛନ୍ତି ।