ସୁପ୍ରିମକୋର୍ଟରେ ଆଜି ମହାନଦୀ ଜଳ ବିବାଦ ମାମଲାର ଶୁଣାଣି ! ଟ୍ରିବ୍ୟୁନାଲ ଗଠନ ସଂପର୍କରେ ନିଷ୍ପତି ଶୁଣାଇ ପାରନ୍ତି କୋର୍ଟ

Advertisment
ଚାଷୀ ଓ ଶ୍ରମିକ ସଂଗଠନକୁ ଆଶ୍ୱସ୍ତି : ଜନନ୍ତରମନ୍ତରରେ ଏଣିକି ପୁଣି ଆରମ୍ଭ ହେବ ଆନ୍ଦୋଳନ

କନକ ବ୍ୟୁରୋ: ଆଜି ସୁପ୍ରିମକୋର୍ଟରେ ମହାନଦୀ ଜଳ ବିବାଦ ମାମଲାର ଶୁଣାଣି । ବିଚାରପତି ଜଷ୍ଟିସ ଏସଏ ବବଡେ ଓ ଜଷ୍ଟିସ ଏଲ ନାଗେଶ୍ୱର ରାଓଙ୍କ ଖଣ୍ଡପୀଠରେ ମହାନଦୀ ଟ୍ରିବ୍ୟୁନାଲ ଗଠନ ନେଇ ଶୁଣାଣି ହେବ । ଗତମାସ ୧୧ ତାରିଖରେ କେନ୍ଦ୍ର ସରକାର କାହିଁକି ଟ୍ରିବ୍ୟୁନାଲ ଗଠନ କରୁନାହାନ୍ତି ବୋଲି ସୁପ୍ରିମକୋର୍ଟ ଅସନ୍ତୋଷ ପ୍ରକାଶ କରିଥିଲେ । ଏବଂ ଜାନୁଆରୀ ୧୬ ଅର୍ଥାତ ଆଜି ସୁଦ୍ଧା ଚୂଡାନ୍ତ ନିଷ୍ପତି ନଜଣାଇଲେ ଆଇନ ଅନୁଯାୟୀ କୋର୍ଟ ରାୟ ଶୁଣାଇବେ ବୋଲି କହିଥିଲେ ।

publive-image

ବିଶ୍ୱସ୍ତ ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ, ଆଜି ଭାରତ ସରକାରଙ୍କ ଏଟର୍ଣ୍ଣି ଜେନେରାଲ କେକେ ବେଣୁଗୋପାଳ କୋର୍ଟରେ ଉପସ୍ଥିତ ରହି ମହାନଦୀ ଜଳବିବାଦ ପ୍ରସଙ୍ଗରେ ଟ୍ରିବ୍ୟୁନାଲ ଗଠନକୁ ନେଇ କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିବେ । ଗତମାସରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ମହାନଦୀ ଜଳବିବାଦ ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ଯେଉଁ ସତ୍ୟପାଠ ଦାଖଲ ହୋଇଥିଲା ସେଥିରେ ସ୍ୱତନ୍ତ୍ର ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲ ଗଠନ ପ୍ରସଙ୍ଗକୁ ଏଡ଼ାଇ ଦିଆଯାଇଥିଲା । ତେବେ ଆଜିର ଶୁଣାଣିରେ କେନ୍ଦ୍ର ସରକାରଙ୍କ ଦ୍ୱାରା ସେସବୁ ତଥ୍ୟର ପୁନରାବୃତ୍ତି କରାଯିବ। ଗତ ଶୁଣାଣି ସମୟରେ କୋର୍ଟ କେନ୍ଦ୍ର ସରକାରଙ୍କଠାରୁ ମହାନଦୀ ଟ୍ରିବ୍ୟୁନାଲ ଗଠନ ସମ୍ପର୍କରେ ସିଧାସଳଖ ଉତ୍ତର ତଲବ କରିଥିବାରୁ ଏବଂ ଆବଶ୍ୟକ ପଡ଼ିଲେ ମେରିଟ୍ ଆଧାରରେ ମାମଲାର ଶୁଣାଣି କରି ନିଷ୍ପତ୍ତି ନିଆଯିବ ବୋଲି ଟିପ୍ପଣୀ କରିଥିବାରୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଜି ଆପୋସ ବୁଝାମଣା ମାଧ୍ୟମରେ ବିବାଦର ସମାଧାନ ପାଇଁ ସୁଯୋଗ ସୃଷ୍ଟି କରିବାକୁ ପୁଣିଥରେ ଖଣ୍ଡପୀଠଙ୍କ ଦୃଷ୍ଟି ଆକର୍ଷଣ କରିପାରନ୍ତି ।

publive-image

ଅପରପକ୍ଷେ ଓଡ଼ିଶା ପକ୍ଷରୁ ଆଜି ମହାନଦୀ ଜଳବିବାଦ ପ୍ରସଙ୍ଗରେ ଟ୍ରିବ୍ୟୁନାଲ ଗଠନ ନେଇ ଦାବିକୁ ପୁଣିଥରେ ଖଣ୍ଡପୀଠଙ୍କ ନିକଟରେ ଜୋରଦାର ଉପସ୍ଥାପନ କରାଯିବ। ସୁଚନାନୁଯାୟୀ ରାଜ୍ୟ ସରକାରଙ୍କ ବରିଷ୍ଠ ଇଞ୍ଜିନିୟରମାନେ ମହାନଦୀ ଜଳବିବାଦ ମାମଲାରେ କିଛି ଅତିରିକ୍ତ ନଥିପତ୍ର ସହ ବରିଷ୍ଠ ଓକିଲମାନଙ୍କ ସହ ଆଲୋଚନା କରିଛନ୍ତି । ଛତିଶଗଡ଼ ଦ୍ୱାରା ମହାନଦୀର ଉପର ମୁଣ୍ଡରେ ବ୍ୟାରେଜ ନିର୍ମାଣ ଯୋଗୁଁ ଯେଉଁ ସବୁ ପ୍ରଭାବ ପ୍ରତୀୟମାନ ହେଉଛି ସେସମ୍ପର୍କରେ କିଛି ତଥ୍ୟ ପ୍ରଦାନ କରାଯାଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଆସନ୍ତାକାଲି ବରିଷ୍ଠ ଆଇନଜୀବୀ ରାଜେଶ ଦ୍ୱିବେଦୀ, ଇସି ଅଗ୍ରଓ୍ଵାଲ ପ୍ରମୁଖ ଯୁକ୍ତି ଉପସ୍ଥାପନ କରିବେ।

publive-image

ଆଜିର ଶୁଣାଣିରେ ଛତିଶଗଡ଼ ପକ୍ଷରୁ ଟ୍ରବ୍ୟୁନାଲ ଗଠନ ଦାବିକୁ ଜୋରଦାର ବିରୋଧ କରାଯିବ ବୋଲି ଛତିଶଗଡ଼ ସରକାରଙ୍କ ଓକିଲ ଅତୁଲ୍ ଝା କହିଛନ୍ତି । ଯୁଗ୍ମ ନିୟନ୍ତ୍ରଣ ବୋର୍ଡ ଦ୍ୱାର ଯେମିତି ମହାନଦୀ ଜଳବିବାଦର ସମାଧାନ କରାଯାଇପାରିବ ସେ ନେଇ ଛତିଶଗଡ଼ ପୁଣିଥରେ ଆଜି ଶୁଣାଣି ସମୟରେ ଖଣ୍ଡପୀଠଙ୍କୁ ଅବଗତ କରାଇବ ବୋଲି ଅତୁଲ୍ ଝା କହିଛନ୍ତି । ତେବେ ପୋଲାଭରମ ମାମଲାରେ ସରକାର ଆପୋସ ବୁଝାମଣା ପାଇଁ ସୁପ୍ରିମକୋର୍ଟରେ ପ୍ରସ୍ତାବ ଦେଉଥିବାବେଳେ ମହାନଦୀ ଜଳବିବାଦ ମାମଲାରେ କାହିଁକି ଆପୋସ ଆଲୋଚନା ପାଇଁ ଆଗ୍ରହ ପ୍ରକାଶ କରୁନାହିଁ ଏ ପ୍ରସଙ୍ଗରେ ଆଜି ଶୁଣାଣି ସମୟରେ କୋର୍ଟଙ୍କୁ ଅବଗତ କରାଇବ ବୋଲି ଅତୁଲ୍ ଝା ସୂଚନା ଦେଇଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe