ମହାନଦୀ ଜଳବିବାଦ ମାମଲା: ଟ୍ରିବ୍ୟୁନାଲ ଅବଧି ଶେଷ ହୋଇଯାଇଥିବାରୁ ଆଗକୁ ବଢ଼ିବ କି ନାହିଁ ଅନିଶ୍ଚିତତା । ଖୁବଶୀଘ୍ର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବେ ଓଡ଼ିଶା ଛତିଶଗଡ଼

79

କନକ ବ୍ୟୁରୋ: ମହାନଦୀ ଜଳବିବାଦ ମାମଲା ପାଇଁ ଗଠନ ହୋଇଥିବା ଟ୍ରିବ୍ୟୁନାଲର ଅବଧି ଶେଷ ହୋଇଯାଇଛି । ମାର୍ଚ୍ଚର୍ ୧୧ରେ ଅବଧି ଶେଷ ହୋଇଯାଇଛି । ତେଣୁ ଏବେ ଆଗକୁ ଅବଧି ବଢିବ କି ନାହିଁ ସେ ନେଇ ଅନିଶ୍ଚିତତା ଲାଗି ରହିଛି । କାର୍ଯ୍ୟକାଳ ବୃଦ୍ଧି ନହେବାରୁ ୨୫ ତାରିଖରେ ହେବାକୁ ଥିବା ଶୁଣାଣିକୁ ବାତିଲ କରାଯାଇଛି ।

ସେହିପରି ଫିଲ୍ଡ ଭିଜିଟ ବା କ୍ଷେତ୍ର ପରିଦର୍ଶନ କାର୍ଯ୍ୟକ୍ରମ ମଧ୍ୟ ବାତିଲ ହୋଇଛି । ଦୁଇ ରାଜ୍ୟର ବୈଷୟିକ ଟିମ୍ ଆସିବ ବୋଲି ଗସ୍ତସୂଚୀ ସ୍ଥିର ହୋଇଥିଲା । ଏବେ ଉଭୟ ରାଜ୍ୟ ସରକାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବେ ବୋଲି ସୂଚନା ରହିଛି । କେନ୍ଦ୍ର ସରକାର ସମସ୍ତ ଜଳବିବାଦର ସମାଧାନ ପାଇଁ ଏକକ ଟ୍ରିବ୍ୟୁନାଲ୍ ଗଠନ ପ୍ରସ୍ତାବ ରଖିଛନ୍ତି । ଏ ସଂକ୍ରାନ୍ତରେ ଲୋକସଭାରେ ଜୁଲାଇ ୩୧, ୨୦୧୯ରେ ଅନ୍ତଃରାଜ୍ୟ ନଦୀ ଜଳ ବିବାଦକୁ ସରଳ ଓ ସୁସଙ୍ଗତ କରିବା ଉଦ୍ଦେଶ୍ୟରେ ଏକ ବିଲ୍ ୨୦୧୯ରେ ଲୋକସଭାରେ ପାରିତ ହୋଇଛି । ଏହାକୁ ଶୀଘ୍ର ରାଜ୍ୟସଭାରେ ପାରିତ କରିବା ପାଇଁ କେନ୍ଦ୍ର ସରକାରଙ୍କ ଯୋଜନା ରହିଛି । ଏଥି ପାଇଁ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ୍ର ଅବଧି ବୃଦ୍ଧିକୁ କେନ୍ଦ୍ର ସରକାର ବିଳମ୍ବ କରୁଥାଇପାରନ୍ତି ବୋଲି ଅନୁମାନ କରାଯାଉଛି । ଅନ୍ୟପଟେ ଜଳଶକ୍ତି ମନ୍ତ୍ରାଳୟର ତଥ୍ୟ କହୁଛି ନିର୍ଦ୍ଦିଷ୍ଟ ଅବଧି ଶେଷ ହେବା ପରେ ମଧ୍ୟ ଟ୍ରିବ୍ୟୁନାଲ୍ଗୁଡ଼ିକର ଅବଧି ବୃଦ୍ଧି କରାଯାଇଥାଏ । କେନ୍ଦ୍ର ଜଳଶକ୍ତି ମନ୍ତ୍ରାଳୟର ତଥ୍ୟ ଅନୁସାରେ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ୍ ସମେତ ଦେଶରେ ଏବେ ଚାରିଟି ଟ୍ରିବ୍ୟୁନାଲ୍ ସକ୍ରିୟ ରହିଛନ୍ତି । ଏମାନଙ୍କ ମଧ୍ୟରୁ ୨୦୦୬ରୁ ଗଠନ କରାଯାଇଥିବା କ୍ରିଷ୍ଣା ଜଳ ବିବାଦ ଟ୍ରିବ୍ୟୁନାଲ୍-୨ର ନିର୍ଦ୍ଦିଷ୍ଟ ଅବଧି ଶେଷ ହେବାପରେ ନିୟମିତ ବ୍ୟବଧାନରେ ଏହାକୁ ବୃଦ୍ଧି କରାଯାଉଛି ।