ଓଡ଼ିଶାରେ ମହାନଦୀ ଟ୍ରିବ୍ୟୁନାଲ ଟିମ୍ : ଦ୍ୱିତୀୟ ଦିନରେ କରିବେ କ୍ଷେତ୍ର ପରିଦର୍ଶନ

83

କନକ ବ୍ୟୁରୋ : ଓଡ଼ିଶାରେ ମହାନଦୀ ଟ୍ରିବ୍ୟୁନାଲ ଟିମର ଆଜି ଦ୍ୱିତୀୟ ଦିନ । ଆଜି ଟ୍ରିବ୍ୟୁନାଲ ଟିମ୍ ଚିପିଲିମା ପାୱାର ହାଉସ୍ ବୁଲି ଦେଖିବେ । ଅତାବିରା ବ୍ରାଞ୍ଚ କେନାଲ, ଶାସନ କେନାଲ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ସେହିପରି ଆସନ୍ତାକାଲି ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଇବ୍ ଥର୍ମାଲ ପାୱାର ଏବଂ ଡ୍ୟାମ୍ ପ୍ରୋଜେକ୍ଟ ସାଇଟ୍ ପରିଦର୍ଶନ ପରେ ୨୩ ତାରିଖରେ ନୂଆଗଡ଼ା ଗସ୍ତ କରିବ ଟ୍ରିବ୍ୟୁନାଲ ଟିମ୍ ।

ଗତକାଲି ସମ୍ବଲପୁରର ହୀରାକୁଦ ଡ୍ୟାମ୍ ବୁଲି ଦେଖିଥିଲେ ଟିମ୍ । ଛତିଶଗଡ଼ ସରକାର ବ୍ୟାରେଜ୍ ନିର୍ମାଣ କରିବା ଦ୍ୱାରା ଓଡ଼ିଶାର ମହାନଦୀ ହ୍ରାସ ପାଉଛି । ଅଣମୌସୁମୀ ସମୟରେ ମହାନଦୀ ଶୁଖିଲା ପଡ଼ିବା ଦ୍ୱାରା ଜୀବନ ଜୀବିକା କିପରି ପ୍ରଭାବିତ ହେଉଛି ସେ ସଂପର୍କରେ ତଥ୍ୟ ସଂଗ୍ରହ କରିଛନ୍ତି ଟିମ୍ । ରାଜ୍ୟ ସରକାର ଏ ସଂପର୍କରେ ଟିମକୁ ଅବଗତ କରିଥିଲେ । ଟ୍ରିବ୍ୟୁନାଲ ଟିମ୍ ପୂରା ହୀରାକୁଦ ଜଳ ଭଣ୍ଡାର ଅଂଚଳକୁ ବୁଲି ଦେଖିବା ସହ ରାଜ୍ୟ ସରକାରଙ୍କ ଯୁକ୍ତି ପଛରେ କେତେ ସତ୍ୟତା ରହିଛି ତାହା ପରଖିଥିଲେ ।

ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲର ଅଧ୍ୟକ୍ଷ ଜଷ୍ଟିସ୍ ଏଏମ୍ ଖାନୱିଲକରଙ୍କ ଅଧ୍ୟକ୍ଷତାରେ ଆସିଥିବା ପ୍ରାୟ ୫୦ ଜଣିଆ ବିଶାଳ ଟିମ୍‌ ଶନିବାର ସକାଳ ସାଢ଼େ ୮ଟାରେ ବୁର୍ଲା ଆଶୋକ ନିବାସରେ ଏକାଠି ହୋଇଥିଲେ । ଜଷ୍ଟିସ୍ ଖାନୱିଲକରଙ୍କ ସହିତ ଟିମ୍‌ରେ ଆସିଥିବା ପାଟନା ହାଇକୋର୍ଟର ବିଚାରପତି ଜଷ୍ଟିସ ରବି ରଞ୍ଜନ, ଦିଲ୍ଲୀ ହାଇକୋର୍ଟର ବିଚାରପତି ଇନ୍ଦ୍ରମିତ କୌର କୋଚରଙ୍କ ସମେତ ରେଜିଷ୍ଟ୍ରାର, ୨ ଆସେସର‌୍, ଉଭୟ ରାଜ୍ୟର ବରିଷ୍ଠ ଜଳସଂପଦ ଅଧିକାରୀ, ଆଇନ୍‌ଜୀବୀ ଓ ବୈଷୟିକ ଟିମ୍‌ର ସଦସ୍ୟଙ୍କ ସମ୍ମୁଖରେ ହୀରାକୁଦ ବନ୍ଧ ପ୍ରକଳ୍ପ ଏବଂ ଏହାର କମାଣ୍ଡ ଏରିଆ ସଂପର୍କରେ ପାୱାର ପଏଣ୍ଟ ଜରିଆର ତଥ୍ୟ ଉପସ୍ଥାପନ କରାଯାଇଥିଲା ।

ପୂର୍ବାହ୍ନ ୧୧ଟାରେ ଟିମ୍‌ ଅଶୋକା ନିବାସରୁ ବାହାରି ହୀରାକୁଦ ମୁଖ୍ୟବନ୍ଧ ସମ୍ମୁଖ ସହିଦ ସ୍ତମ୍ଭ ନିକଟରେ ଅଟକିଥିଲେ । ଏଠାରେ ଟ୍ରିବ୍ୟୁନାଲ ଜଳଭଣ୍ଡାରର ସ୍ଥିତି ନିରୀକ୍ଷଣ କରିଥିଲେ । ଏହା ପରେ ମୁଖ୍ୟବନ୍ଧ ମଝିରେ ପୂର୍ବରୁ ରଖାଯାଇଥିବା ଏକ ବିଶାଳ ମାନଚିତ୍ର ଦେଖାଇ ରାଜ୍ୟର ବଛା ବଛା ଯନ୍ତ୍ରୀ ପ୍ରମାଣ କରାଇଥିଲେ ଯେ ଛତିଶଗଡ଼ ସରକାର ଓଡ଼ିଶା ବିରୋଧରେ ବେଶ୍ କିଛି ବର୍ଷ ଧରି ଅନ୍ୟାୟ କରି ଆସୁଛନ୍ତି । କେତେ ଅଞ୍ଚଳ କିଭଳି ପ୍ରଭାବିତ ହେଉଛି, ଏହାଦ୍ବାରା କେତେ ଜନବସତି ପ୍ରତ୍ୟକ୍ଷ ଭାବେ କ୍ଷତି ସହୁଛନ୍ତି, ସେ ସଂକ୍ରାନ୍ତ ବିଶଦ ତଥ୍ୟ ରଖାଯାଇଥିଲା ।