କନକ ବ୍ୟୁରୋ : ମହାନଦୀ ଉତ୍ପତି ସ୍ଥଳରେ ଟ୍ରିବ୍ୟୁନାଲ ଟିମ୍ । ଉଭୟ ଧାର୍ମିକ ଓ ହାଇଡ୍ରୋଲୋଜିକାଲ ଉତ୍ପତିସ୍ଥଳକୁ ଟିମ୍ ବୁଲି ଦେଖିଛନ୍ତି । ଆଜି ଟିମ୍ ରାୟପୁରରୁ ବାହାରି ଧମତରୀ ପହଂଚିବା ପରେ ମାଣ୍ଡମସିଲ୍ଲୀ ଜଳାଶୟକୁ ଯାଇ ନିରୀକ୍ଷଣ କରିଛନ୍ତି । ଏହା ପରେ ଗଙ୍ଗରେଲ ଜଳାଶୟ ଓ ନ୍ୟୁ ଋଦ୍ରୀ ବ୍ୟାରେଜ୍ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି ।

Advertisment

ଗତକାଲି ଏହି ଟିମ୍ ଛତିଶଗଡ଼ ଓ ମଧ୍ୟପ୍ରଦେଶର ସୀମାନ୍ତରେ ଥିବା ସିହାୱା ପର୍ବତମାଳାକୁ ଯାଇଥିଲେ । ଏହି ସିହାୱାରୁ ନିର୍ଗତ ଝରଣା ହାଇଡ୍ରୋଲୋଜି ଦୃଷ୍ଟିରୁ ମହାନଦୀର ଉତ୍ପତି ସ୍ଥଳ ଭାବେ ପରିଚିତ । ପ୍ରଥମ ପର୍ଯ୍ୟାୟରେ ୨୨ ତାରିଖ ପର୍ଯ୍ୟନ୍ତ ଓ ଦ୍ୱିତୀୟ ପର୍ଯ୍ୟାୟରେ ୨୯ ତାରିଖରୁ ମେ’ ୩ ତାରିଖ ପର୍ଯ୍ୟନ୍ତ ଛତିଶଗଡ଼ରେ ଏହି ଟିମ୍ କ୍ଷେତ୍ର ପରିଦର୍ଶନ କରିବେ ।

ଟ୍ରିବ୍ୟୁନାଲ ଟିମର ରୁଟ୍ ଚାଟ୍

ସକାଳ ୮ଟା ୩୦- ରାୟପୁର
ଦିନ ୧୦ଟା ୩୦ - ଧମତରୀ
ଦିନ ୧୧ଟାରୁ ୧୧ଟା ୩୦- ମାଣ୍ଡମ୍ସିଲ୍ଲୀ ଜଳାଶୟ ନିରୀକ୍ଷଣ
୧୨ଟା ୧୫ରୁ ୧ଟା ୩୦- ଗଙ୍ଗରେଲ ଜଳାଶୟ
୨ଟାରୁ ୩ଟା ୩୦- ନ୍ୟୁ ଋଦ୍ରୀ ବ୍ୟାରେଜ୍

ମହାନଦୀ ହେଉଛି ଓଡ଼ିଶାର ଲାଇଫ୍ ଲାଇନ । ଅଧା ଓଡ଼ିଶାର ଲୋକ ମହାନଦୀ ଉପରେ ନିର୍ଭର କରନ୍ତି । ଛତିଶଗଡ଼ରେ ମହାନଦୀ ଉପରେ ମାଳ ମାଳ ବ୍ୟାରେଜ୍ ଓ ବନ୍ଧ ତିଆରି କରାଯାଉଛି । ଫଳରେ ଜଳପ୍ରବାହ କମୁଛି । ଅଣମୌସୁମୀ ଋତୁରେ ଓଡ଼ିଶାକୁ ଯେତିକି ପାଣି ମିଳିବା କଥା ତାର ୩୦ ପ୍ରତିଶତ କମ୍ ମିଳୁଛି । ଜଳଭଣ୍ଡାରର ଉପରମୁଣ୍ଡ ବରଗଡ଼ ଓ ଝାରସୁଗୁଡ଼ା ଜିଲ୍ଲାରେ ପାଣି ଅଭାବ ଦେଖାଦେଉଛି । ଅନେକ କିଲୋମିଟର ପର୍ଯ୍ୟନ୍ତ ପାଣି ଘୁଂଚି ଯାଇଥିବାରୁ କେବଳ ବାଲିଶଯ୍ୟା ଦେଖିବାକୁ ମିଳୁଛି । ଜଳ ଭଣ୍ଡାରରେ ଜଳାଭାବରୁ ରବି ଚାଷ ଗୁରୁତର ପ୍ରଭାବିତ ହୋଇଛି । ଛତିଶଗଡ଼ରୁ ପ୍ରବାହିତ ମହାନଦୀ ଜଳ ହୀରାକୁଦ ଡ୍ୟାମରେ ଗଚ୍ଛିତ ହେଉଛି । କିନ୍ତୁ ପାଣି ଯେତିକି ଆସିବା କଥା ଆସୁନଥିବାରୁ ତଳମୁଣ୍ଡକୁ ଆବଶ୍ୟକ ମୁତାବକ ପାଣି ଛଡ଼ା ଯାଇ ପାରୁନାହିଁ ।

କ’ଣ ଅନୁଧ୍ୟାନ କରିବ ଟ୍ରିବ୍ୟୁନାଲ ଟିମ୍?

- ମହାନଦୀର ଉପରମୁଣ୍ଡରେ ଥିବା ଛତିଶଗଡ ୫୧୬ଟି ଆନିକଟ କାମ କରୁଛି
- ୨୯ଟି ମଧ୍ୟମ ଧରଣ ଡ୍ୟାମ, ୧୦ଟି ବଡ ବଡ ଡ୍ୟାମ୍ ନିର୍ମାଣ କରାଯାଉଛି
- ବଡ଼ ବଡ଼ ଡ୍ୟାମ୍ କାମ ଚାଲୁଥିବାରୁ ପାଣି ଅଟକାଯାଉଛି
- ଛତିଶଗଡ଼ ପାଣି ଅଟକାଉଥିବାରୁ ପ୍ରଭାବ ଓଡ଼ିଶା ଉପରେ ପଡୁଛି
- ମହାନଦୀର ପୁନରୁଦ୍ଧାର ଓ ଜଳ ସଂରକ୍ଷଣ ପାଇଁ ଯୋଜନା କରିଛି ଛତିଶଗଡ଼
- ଏଥିପାଇଁ ଛତିଶଗଡ଼ ଖର୍ଚ୍ଚ କରିବ ୫୭୧ କୋଟି ୭୨ ଲକ୍ଷ ଟଙ୍କା
- ନିୟମ ଅନୁସାରେ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ପାଇଁ ଆନିକଟ ତିଆରି କରାଯାଇପାରିବ
- ଛୋଟ ଡ୍ୟାମ୍ ପାଇଁ କେନ୍ଦ୍ରୀୟ ଜଳ ଆୟୋଗଙ୍କ ଅନୁମତି ଦରକାର ନାହିଁ
- କିନ୍ତୁ ମଧ୍ୟମ ଓ ବଡ଼ ପ୍ରକଳ୍ପ ପାଇଁ ସିଡବ୍ଲ୍ୟୁସିର ଅନୁମତି ନିହାତି ଆବଶ୍ୟକ
- ଛତିଶଗଡ଼ ନିର୍ମାଣ କରିଥିବା ପ୍ରକଳ୍ପର ଅନୁଧ୍ୟାନ କରି ରିପୋର୍ଟ ଦେବ ଟ୍ରିବ୍ୟୁନାଲ
- ଅଣମୌସୁମୀ ସମୟରେ ଓଡ଼ିଶାକୁ ୩୦% କମ୍ ପାଣି ମିଳୁଥିବା ଅଭିଯୋଗ ରହିଛି
- ଓଡ଼ିଶା ଭାଗର ପାଣି ଛତିଶଗଡ଼ର ୪୮ଟି କଳକାରଖାନାକୁ ଦିଆଯାଉଛି