ମହାନଦୀ ମହାରାଜନୀତି : ଆଜି ପାରାଦୀପରେ ସରୁଛି ବିଜେଡିର ମହାନଦୀ ବଂଚାଅ ଅଭିଯାନ । ଯୋଗ ଦେଇପାରନ୍ତି ମୁଖ୍ୟମନ୍ତ୍ରୀ

26

କନକ ବ୍ୟୁରୋ: ମୋଦିଙ୍କ ଗସ୍ତ ପୂର୍ବରୁ ବିଜେଡି କରିବ ଶକ୍ତି ପ୍ରଦର୍ଶନ । ଆଜି ପାରାଦୀପରେ ଉଦ୍ୟାପତି ହେଉଛି ବିଜେଡି ମହାନଦୀ ବଂଚାଅ ଅଭିଯାନ । ପାରାଦୀପର ବିଜୁ ମଇଦାନରେ ଏଥିପାଇଁ ଦଳ ପକ୍ଷରୁ ପ୍ରସ୍ତୁତି କରାଯାଇଛି । ଏହି ଅଭିଯାନର ସମାପନ ଦିବସରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଆଖିରେ ରଖି ସୁରକ୍ଷା କଡାକଡି କରାଯାଇଛି । ମହାନଦୀର ଉପର ମୁଣ୍ଡରେ ଛତିଶଗଡର ବ୍ୟାରେଜ ନିର୍ମାଣକୁ ବିରୋଧ କରି ଗତ ୧୬ ତାରିଖରେ ଝାରସୁଗଡ଼ା ଜିଲ୍ଲାରୁ ଏହି ଅଭିଯାନ ଆରମ୍ଭ ହୋଇଥିଲା । ଯାହା ଓଡ଼ିଶାର ୧୫ଟି ଜିଲ୍ଲା ଅତିକ୍ରମ କରି ପାରଦୀପରେ ପହଂଚିଛି ।

ଗତକାଲି ସଂଧ୍ୟାରେ ମନ୍ତ୍ରୀ ପ୍ରତାପ ଜେନା, ବିଧାୟକ ଡାକ୍ତର ଦାମୋଦର ରାଉତ, ବିଧାୟକ ସଂଜୟ ଦାସବର୍ମା, ସଂପାଦକ ସମ୍ବିତ ରାଉତରାୟ ପ୍ରମୁଖ ନେତା ବିଜୁ ମଇଦାନରେ ପହଞ୍ଚି କାର୍ଯ୍ୟକ୍ରମକୁ ସଫଳ କରାଇବା ପାଇଁ ସମସ୍ତ ପ୍ରୟାସ ଚଳାଇଛନ୍ତି । ସେହିଭଳି ସୁରକ୍ଷା ପାଇଁ ସଭାସ୍ଥଳ ନିକଟରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ବିଷ୍ଣୁଚରଣ ମିଶ୍ରଙ୍କ ନେତୃତ୍ଵରେ ଏକ ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ଜିଲ୍ଲାର ସମସ୍ତ ବରିଷ୍ଠ ପୁଲିସ ଅଧିକାରୀ ଓ ଥାନା ଆଇଆଇସିମାନେ ଯୋଗଦେଇ ସୁରକ୍ଷା ଓ ଆଇନଶୃଙ୍ଖଳା ସମ୍ପର୍କରେ ଆଲୋଚନା କରିଛନ୍ତି।

ସୂଚନାଯୋଗ୍ୟ ଯେ, ଗଲା ୧୬ ତାରିଖରେ ଏହି ଅଭିଯାନ ଝାରସୁଗୁଡ଼ାରୁ ଆରମ୍ଭ ହୋଇଥିଲା। ପ୍ରାୟ ୧୫ଟି ଜିଲ୍ଲା ଅତିକ୍ରମ କରିଥିବା ଶୋଭାଯାତ୍ରାକାରୀ ଆଜି ପାରାଦୀପରେ ପହଞ୍ଚିବେ।