କନକ ବ୍ୟୁରୋ: ମହାନଦୀ ଉପର ମୁଣ୍ଡରେ କଲମା ବ୍ୟାରେଜ ନିର୍ମାଣ କରି ପାଣିକୁ ଅଟକାଇ ରଖିବା ଫଳରେ ଓଡ଼ିଶାରେ କେମିତି ଶୁଖିଲା ପଡ଼ିଛି ନଦୀ ଶଯ୍ୟା , ଗୁଗୁଲ ମ୍ୟାପରୁ ତାହା ଜଣାପଡ଼ୁଛି । ଏପଟେ ମହାନଦୀକୁ ନେଇ ନୂଆଚାଲ ଖେଳୁଛି ଛତିଶଗଡ଼ । ମହାନଦୀକୁ ନେଇ ଓଡ଼ିଶା–ଛତିଶଗଡ଼ ମଧ୍ୟରେ ବିବାଦ ସମସ୍ତଙ୍କୁ ଜଣା । ଏହାପରେ ବି ମହାନଦୀର ସୁରକ୍ଷା ପାଇଁ ରାଜ୍ୟସରକାର ଏଯାଏଁ ବିଶେଷ କିଛି ତତ୍ପରତା ଦେଖାଇ ନାହାନ୍ତି । ହେଲେ ଛତିଶଗଡ଼ ମହାନଦୀକୁ ନେଇ ଏକ ନୂଆ ଚାଲ ଆରମ୍ଭ କରିଥିବା ଅନୁମାନ କରାଯାଉଛି ।
ବିଶେଷ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ , ମହାନଦୀ ସମ୍ପର୍କରେ ଛତିଶଗଡ଼ ସରକାର ପୁଣି ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି । ଛତିଶଗଡ଼ରେ ମହାନଦୀର ପୁନରୁଦ୍ଧାର ପାଇଁ ୫୭୧ କୋଟି ୭୨ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ଯୋଜନା ହୋଇଛି । ସବୁ ଉପାୟ ସତ୍ୱେ ଖରାଦିନେ ଛତିଶଗଡ଼ର ଅନେକ ସ୍ଥାନରେ ମହାନଦୀର ଧାରା ଶୁଖି ଯାଉଥିବାରୁ ଜଳଧାରଣ କ୍ଷମତା ବୃଦ୍ଧି ଓ ନଦୀ ଶଯ୍ୟାର ପୁନରୁଦ୍ଧାର ପାଇଁ ଏହି ଯୋଜନା ପ୍ରସ୍ତୁତି କରିଛି ଛତିଶଗଡ଼ । ବିଭିନ୍ନ ସମସ୍ୟାକୁ ଦୃଷ୍ଟିରେ ରଖି ଏହି ପ୍ରକଳ୍ପ ପାଇଁ ଛତିଶଗଡ଼ ସରକାର ଯୋଜନା କରିଛନ୍ତି । ହେଲେ ଓଡ଼ିଶା ଉପରେ ଏହାର କୈାଣସି ପ୍ରଭାବ ପକାଇବ ନାହିଁ ବୋଲି କହିଛନ୍ତି ଜଳସମ୍ପଦ ବିଭାଗର ମୁଖ୍ୟ ଯନ୍ତ୍ରୀ ।
Follow Us