ପୁଣି ରାଜନୀତିରେ ମହାନଦୀ । କେନ୍ଦ୍ରର ବୈଠକରେ ସରକାର ପକ୍ଷ ରଖିବା ନେଇ ସ୍ପଷ୍ଟ କଲା ବିଜେଡି । ବିଜେପି କହିଲା, ବିଳମ୍ବ ଦର୍ଶାଇ ହେଉଛି ରାଜନୀତି

35

କନକ ବ୍ୟୁରୋ: ପୁଣି ରାଜନୀତିରେ ମହାନଦୀ । ମହାନଦୀର ଉପରମୁଣ୍ଡରେ ଛତିଶଗଡ ସରକାର କଲମା ବ୍ୟାରେଜ୍ର ଗେଟ୍ ବନ୍ଦ୍ କରିବାକୁ ଓଡିଶାକୁ ଜଳ ପ୍ରବାହ କମିଛି । ଏନେଇ ବହୁ ଆନ୍ଦୋଳନ ହେବା ପରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ଟ୍ରିବ୍ୟୁନାଲ ଗଠନ ହୋଇଛି । କିନ୍ତୁ ଏପର୍ଯ୍ୟନ୍ତ ଟର୍ମ ଅଫ ରେଫରେନ୍ସ ଆସିନାହିଁ ବୋଲି କହିଛନ୍ତି ବିଜେଡି ଉପସଭାପତି ଦେବୀପ୍ରସାଦ ମିଶ୍ର । ଏପଟେ କେନ୍ଦ୍ରର ବୈଠକରେ ସରକାର ପକ୍ଷ ରଖିବା ନେଇ ସ୍ପଷ୍ଟ କରିବ ବୋଲି କହିଛନ୍ତି ଦେବୀ । ସେପଟେ ବିଜେପି କହିଛି ବିଳମ୍ବ ଦର୍ଶାଇ ରାଜନୀତି କରୁଛନ୍ତି ରାଜ୍ୟସରକାର । ଅନ୍ୟପଟେ ମହାନଦୀ ପାଇଁ ଆଜି ଏକାଠି ହୋଇଛନ୍ତି ଏକାଧିକ ରାଜନୈତିକ ଦଳର ନେତା ।

ସେପଟେ ଏ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ । ସେ କହିଛନ୍ତି, ବିଜେଡି ମହାନଦୀକୁ ନେଇ ରାଜନୈତିକ ଡ୍ରାମା କରୁଛି । ଲିଗାଲ ବ୍ୟାଟଲ, ଟ୍ରିବ୍ୟୁନାଲ କଥା କହିଲେ ଆମେ ସମର୍ଥନ ଦେଲୁ । କିନ୍ତୁ ଏବେ ରାଜନୀତି କରୁଛନ୍ତି । ଛତିଶଗଡ ସହିତ ଆପୋଷ ଆଲୋଚନା ଏହାର ସମାଧାନ । ଟ୍ରିବ୍ୟୁନାଲ ସମୟ ସାପେକ୍ଷ । କେନ୍ଦ୍ର ଯତ୍ନବାନ ଅଛି । ଆପୋଷ ଆଲୋଚନା ନ କରି କଳସ ବାଡେଇଲେ କିଛି ଲାଭ ହେବନି ।

ସେପଟେ ମହାନଦୀ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେପି ନେତା ବିଜୟ ମହାପାତ୍ର । ସେ କହିଛନ୍ତି ଛତିଶଗଡ ପାଇଁ ଓଡିଶା ଜଳସଙ୍କଟର ସମ୍ମୁଖୀନ ହୋଇଛି । ଇବରେ ବ୍ୟାରେଜ କରୁଥିଲେ । ଏହାକୁ ନିନ୍ଦା କରାଯିବା କଥା । ଏତେ ବାଦ ବିବାଦ ପରେ ଟ୍ରିବ୍ୟୁନାଲ ଗଠନ ପାଇଁ ନିର୍ଦ୍ଦେଶ ଆସିଛି । ତେଣୁ ଟ୍ରିବ୍ୟୁନାଲ ତୁରନ୍ତ ଗଠନ କରାଯାଇ ଶୁଣାଣୀ ହେଉ ।