କନକ ବ୍ୟୁରୋ: ଗୋଟିଏ ପଟେ ବିଶାଳ ଜଳରାଶି ମହାନଦୀରେ ଲହଡ଼ି ମାରୁଥିବା ବେଳେ ଆଉ ଗୋଟିଏ ପଟେ ବିରାଟ କ୍ଷେତ୍ର ପାଲଟିଛି ମରୁଭୂମି। ମଝିରେ ଛିଡ଼ା ହୋଇ ରହିଛି ଛତିଶଗଡ଼ର କଲମା ବ୍ୟାରେଜ୍। ଛତିଶଗଡ଼ର ରାୟଗଡ଼ ଜିଲ୍ଲା କଲମା ଠାରେ ମହାନଦୀ ଉପରେ ନିର୍ମାଣ ହୋଇଥିବା ଏହି ବ୍ୟାରେଜର ୬୬ଟି ଗେଟ୍ ମହାନଦୀର ଜଳରାଶିକୁ ଅଟକାଇ ରଖିଛି। ପ୍ରଚଣ୍ଡ ଗ୍ରୀଷ୍ମରେ ଆକାଶରୁ ଅଗ୍ନି ବର୍ଷୁଛି। ପାଣି ଟୋପାଏ ପିଇବାକୁ ମଣିଷ ଠାରୁ ଗୋରୁ ପର୍ଯ୍ୟନ୍ତ ତଳ ମୁଣ୍ଡରେ ଡହଳବିକଳ ହେଉଥିବା ବେଳେ ଉପରମୁଣ୍ଡରେ ଉଚ୍ଚ କ୍ଷମତା ସମ୍ପନ୍ନ ପମ୍ପ ସାହାର୍ଯ୍ୟରେ ଦୁଇଟି ଶିଳ୍ପ କାରଖାନାକୁ ଅହରହ ଜଳଯୋଗାଣ ହେଉଛି। ମହାନଦୀ ତଳ ମୁଣ୍ଡରେ ଥିବା ଗ୍ରାମବାସୀ ଏଥିଯୋଗୁଁ ଗତ ତିନିବର୍ଷ ହେଲା ଅକଥନୀୟ ଦୁର୍ଦ୍ଦଶା ଭୋଗୁଛନ୍ତି।
ଛତିଶଗଡ଼ ସରକାର ଜନସାଧାରଣଙ୍କ ସ୍ୱାର୍ଥକୁ ସଂପୂର୍ଣ୍ଣ ଜଳାଞ୍ଜଳି ଦେଇଛନ୍ତି। ନଦୀରେ ପାଣି ନଥିବା ଯୋଗୁଁ ଚାଷକାର୍ଯ୍ୟ ସଂପୂର୍ଣ୍ଣ ପ୍ରଭାବିତ ହୋଇଥିବା ବେଳେ ଛତିଶଗଡ଼ ସରକାର ଚାଷୀଙ୍କ ସମସ୍ୟା ଦୂର କରିବା ଦୂରେ ଥାଉ ରବି ଚାଷ ନକରିବାକୁ ଏକ ନିର୍ଦ୍ଦେଶନାମା ଜାରି କରିଥିଲେ। ପରେ ଏହାକୁ ପ୍ରତ୍ୟାହାର କରିଥିଲେ। ପୁସୋର ବ୍ଲକର ତ୍ରିଭୋନା ଗ୍ରାମରେ ଏବେ ଅସନ୍ତୋଷର ସ୍ୱର ଉଗ୍ର ରୂପ ନେଇଛି। ଗ୍ରାମରେ ତିନି ବର୍ଷ ହେଲା ରବି ଚାଷ ବନ୍ଦ ହୋଇଯାଇଛି। ପନିପରିବା ଚାଷ ମଧ୍ୟ ବନ୍ଦ ହୋଇଯାଇଛି। ସବୁଠି ପାଣି ପାଇଁ ହାହାକାର ସ୍ଥିତି ଦେଖାଦେଇଛି। ନଦୀରେ ପାଣି ନଥିବା ଯୋଗୁଁ ଭୂତଳ ଜଳସ୍ତର ମଧ୍ୟ କମି ଯାଇଛି। ଏହାର ପରିଣାମ ସ୍ୱରୂପ ହଜାରେ ଜନସଂଖ୍ୟା ଥିବା ଏହି ଗ୍ରାମର ସମସ୍ତ ନଳକୂଅ ଅଚଳ ହୋଇ ପଡ଼ିଛି। କେଲୋ ନଦୀର ଲାଖା ଠାରେ ବନ୍ଧ ନିର୍ମାଣ କରାଯାଇ ସେଠାରୁ ରାୟଗଡ଼ରେ ଥିବା ଜିନ୍ଦଲ କାରଖାନାକୁ ପାଣି ଯୋଗାଇ ଦିଆଯାଉଛି। ମାତ୍ର ଗାଁକୁ ପାଣି ଦିଆଯାଉନାହିଁ। ଚାଷ ପାଇଁ କେନାଲ ଯୋଗେ ପାଣି ଯୋଗାଇ ଦିଆଯିବ କହି ମୁଖ୍ୟ କେନାଲ ଓ ଶାଖା କେନାଲ ମାନ ନିର୍ମାଣ ହୋଇଥିଲେ ମଧ୍ୟ ସେଥିରେ ପାଣି ଛଡ଼ାଯାଇ ନାହିଁ।
ଛତିଶଗଡ଼ରେ ମହାନଦୀକୁ ନେଇ ଅସନ୍ତୋଷର ସ୍ୱର ବଢ଼ିବାରେ ଲାଗିଛି। ଝାରମୁଣ୍ଡା, କୁଣ୍ଡାତରାଇ, ଓର୍ଦା, ଭଟଲି, କୁସମୁଦା, ତଡ଼ଲ, ପୁସୋରଠାରେ ଏହି ଅସନ୍ତୋଷ କୁହୁଳୁଥିବା ବେଳେ ଜଣାଯାଇଛି। ମହାନଦୀ ପ୍ରସଙ୍ଗରେ ଏହି ଗ୍ରାମର ଲୋକେ ଏବେ ଓଡ଼ିଶାର ସମର୍ଥନ କରୁଛନ୍ତି। ମହାନଦୀ ବଚାଓ ଅଭିଯାନରେ ଏହି ଗ୍ରାମର ଲୋକମାନେ ସାମିଲ ହେବେ ବୋଲି ଗାଁ ଗାଁରେ ବୈଠକ କରି ନିଷ୍ପତ୍ତି ନେଇ ସାରିଲେଣି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶୁଖାସୋଢ଼ା କାର୍ଯ୍ୟକ୍ରମରେ ଛତିଶଗଡ଼ ରାଜ୍ୟର ଏହି କ୍ଷତିଗ୍ରସ୍ତ ଅଞ୍ଚଳରୁ ୧୦ ହଜାରରୁ ଉର୍ଦ୍ଧ୍ୱ ଲୋକ ସାମିଲ ପାଇଁ ନିଷ୍ପତ୍ତି ନେବା ଘଟଣା ପରିସ୍ଥିତିକୁ ଜଟିଳ କରିବା ସହ ଅଞ୍ଚଳବାସୀଙ୍କ ଅସନ୍ତୋଷ ଫୁଟି ବାହାରିବ ବୋଲି ଚର୍ଚ୍ଚା ହେଉଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/05/Mahanadi-Barrage.jpeg)