ଚେକ ଡ୍ୟାମ ଦ୍ୱାରା ମହାନଦୀ ଜଳ ରୋକିବା ପ୍ରସଙ୍ଗ । ତାରା ବାହିନୀପତିଙ୍କ ପ୍ରଶ୍ନର ଉତ୍ତର ରଖିଲେ ଜଳ ସମ୍ପଦ ମନ୍ତ୍ରୀ

200

କନକ ବ୍ୟୁରୋ : ମହାନଦୀରେ କମିଛି ଜଳ ପ୍ରବାହ । ଜଳ ପ୍ରବାହକୁ ରୋକିବା ପାଇଁ ଛତିଶଗଡ ସରକାର କେତେଗୋଟି ଚେକ ଡ୍ୟାମ କରିଛନ୍ତି, ଏହା ଦ୍ୱାରା ଅଣମୌସୁମୀ ସମୟରେ ମହାନଦୀକୁ ଜଳ ପ୍ରବାହ କମୁଛି କି ? ମହାନଦୀରେ ଜଳ ପ୍ରବାହ ବିବାଦର ସମାଧାନ ପାଇଁ ସରକାର କି କି ଆଇନଗତ ପଦକ୍ଷେପ ନେଇଛନ୍ତି, କେନ୍ଦ୍ର ସରକାର ଏହି ପ୍ରସଙ୍ଗରେ ଓଡିଶାକୁ କି ପ୍ରକାର ବିରୋଧ କରୁଛନ୍ତି ? ଗୃହରେ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ପ୍ରଶ୍ନରେ ଏହି ଉତ୍ତର ରଖିଛନ୍ତି ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ।

ମହାନଦୀରେ ଜଳପ୍ରବାହ ରୋକିବାକୁ ଛତିଶଗଡ଼ ସରକାର ପାଖାପାଖି ୫୧୬ ଚେକ ଡ୍ୟାମ କରିଛନ୍ତି । ଏହି ଚେକ ଡ୍ୟାମ ନିର୍ମାଣ ଦ୍ୱାରା ବାସ୍ତବରେ ଅଣମୌସୁମୀ ସମୟରେ ହୀରାକୁଦ ଠାରେ ମହନଦୀକୁ ଜଳ ପ୍ରବାହ କମିଛି । ହୀରାକୁଦ ଜଳଭଣ୍ଡାରକୁ ୨ ମିଲିଅନ ଏକର ଫୁଟ ମୌସୁମୀ ଜଳ ପ୍ରବାହ ଆସିବାକୁ ଥିବା ବେଳେ ଗତ ୧୯୯୧-୯୨ ରୁ ୨୦୦୪-୦୫ ମଧ୍ୟରେ ହାରାହାରି ୪ ପ୍ରତିଶତ ଏବଂ ୨୦୦୫-୦୬ ରୁ ୨୦୧୫-୧୬ ମଧ୍ୟରେ ୩୭ ପ୍ରତିଶତ କମିଛି । ସେହିପରି ୨୦୧୬-୧୭ ରେ ୬୫ ପ୍ରତିଶତ,୨୦୧୭-୧୮ ରେ ୬୧ ପ୍ରତିଶତ,୨୦୧୮-୧୯ ରେ ୫୭ ପ୍ରତିଶତ ଏବଂ ୨୦୧୯-୨୦ ରେ ୩ ପ୍ରତିଶତ ଜଳପ୍ରବାହ କମିଛି ।

ମହାନଦୀରେ ଜଳପ୍ରବାହ ବିବାଦର ସମାଧାନ ପାଇଁ ନିମ୍ନଲିଖିତ ଆଇନଗତ ପଦ କ୍ଷେପ ନେଇଛନ୍ତି :

-ଆନ୍ତଃରାଜ୍ୟ ଜଳ ବିବାଦ ଆଇନ-୧୯୫୬ ଅନୁସାରେ କେନ୍ଦ୍ର ସରକାରଙ୍କ ନିକଟରେ ୨୦୧୬ରେ ଏକ ବୈଧୈନିକ ଅଭିଯୋଗ ଦାଖଲ କରାଯାଇଥିଲା ।
-ମାନ୍ୟବର ସୁପ୍ରୀମ କୋର୍ଟରେ ଓରିଜିନାଲ ସୁଟ୍ ( ମୂଳ ମୋକଦ୍ଦମା) ଦାଖଲ କରାଯାଇଥିଲା
-କେନ୍ଦ୍ରସରକାରଙ୍କ ନୋଟିଫିକେସନ ତା.୧୨-୦୩-୨୦୧୮ ଅନୁସାରେ ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲ ଗଠନ ହେଲା ପରେ ଓଡିଶା ସରକାର ତାଙ୍କର ଦାବୀ ବିଭିନ୍ନ ସମୟରେ ଟ୍ରିବ୍ୟୁନାଲରେ ଉପସ୍ଥାପନ କରୁଛନ୍ତି ।

ଏହି ବିବାଦର ମହାନଦୀ ଟ୍ରିବ୍ୟୁନାଲରେ ଅବବାହିକା ରାଜ୍ୟ ଗୁଡିକ ଯଥା ଓଡିଶା , ଛତିଶଗଡ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର ଓ ଝାଡଖଣ୍ଡ ପକ୍ଷଭୁକ୍ତ ଅଛନ୍ତି, କିନ୍ତୁ କେନ୍ଦ୍ର ସରକାର ଏଥିରେ ପକ୍ଷଭୂକ୍ତ ନାହାନ୍ତି ।