ଛତିଶଗଡର ହୀରାକୁଦକୁ ପାଣି ବନ୍ଦ : ଜଳସ୍ତର ଖସିଛି, ଆଗାମୀ ଦିନରେ ବର୍ଷା ଋତୁରେ ବି ଶୁଖିଲା ରହିପାରେ ମହାନଦୀ

46

କନକ ବ୍ୟୁରୋ : ହୀରାକୁଦକୁ ପୂରାପୂରି ପାଣି ବନ୍ଦ କରି ଦେଇଛି ଛତିଶଗଡ଼। ଅକ୍ଟୋବର ମାସରୁ କଲମା ବ୍ୟାରେଜର ଗେଟ ପକାଇବା ଆରମ୍ଭ କରିଥିବା ବେଳେ ଏବେ କେବେ କେମିତି ପାଣି ଛାଡ଼ୁଛି। ଏବେ ପୁଣି ସମସ୍ତ ୬୬ଟି ଯାକ ଗେଟ ପକାଇ ଦେଉଛି। ୩୧ ମାର୍ଚ୍ଚ ଦିନ ହୀରାକୁଦ ଭଣ୍ଡାରକୁ ମାତ୍ର ୯୮ କ୍ୟୁସେକ ପାଣି ପ୍ରବେଶ କରିଥିଲା। ୧ ମାର୍ଚ୍ଚ ଦିନ କିନ୍ତୁ ଟିକିଏ ଅଧିକ ପାଣି ଆସିଥିଲା। ଏହି ଦିନ ହାରାହାରି ୨୦୫୮ କ୍ୟୁସେକ ପାଣି ହୀରାକୁଦ ଜଳଭଣ୍ଡାରକୁ ଆସିଥିବାବେଳେ ୨ ମାର୍ଚ ସୋମବାର ଦିନ ଆଦୌ ପାଣି ପ୍ରବେଶ କରିନଥିବା ନିୟନ୍ତ୍ରଣ କକ୍ଷରରେ ରେକର୍ଡ କହୁଛି। ୬୩୦ଫୁଟ୍ ଜଳଧାରଣା କ୍ଷମତା ରହିଥିବା ହୀରାକୁଦ ଜଳଭଣ୍ଡାରର ଜଳସ୍ତର ସୋମବାର ସନ୍ଧ୍ୟା ୬ଟାରେ ୬୧୬.୩୧ ଫୁଟକୁ ଖସି ଆସିଛି।

ଛତିଶଗଡ଼ ଏଥର ପ୍ରଥମ ପର୍ଯ୍ୟାୟରେ ଗତ ୫ ଅକ୍ଟୋବର ୨୦୧୭ରେ ୨୦ଟି ଗେଟ୍ ବନ୍ଦ କରି ଦେଇଥିଲା। ୨୧ ଅକ୍ଟୋବର ସୁଦ୍ଧା ଆହୁରି ୪୪ଟି ଗେଟ୍ ବନ୍ଦ କରି ଦେଇଥିଲେ। ଏଭଳି ୬୬ରୁ ୬୪ଟି ଗେଟ୍ ବନ୍ଦ କରି ଦିଆଯାଇଥିଲା। ସେତେବେଳେ କଲମାର ଜଳସ୍ତର ୧୯୫.୧୦୦ ମିଟର ରହିଥିବା ସତ୍ତ୍ୱେ କେବଳ ୩୦ ଓ ୩୧ ନମ୍ବର ଗେଟ୍ ଦେଇ ମାତ୍ର ୩୦୮.୯୨୦ କ୍ୟୁମେକ ଜଳ ପ୍ରତି ସେକେଣ୍ଡ ହୀରାକୁଦ ଛଡ଼ାଯାଇଥିଲା। ହୀରାକୁଦ ଜଳଭଣ୍ଡାରର ଠିକ୍ ଉପରେ ମହାନଦୀରେ ଥିବା କଲମା ବ୍ୟାରେଜ ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ ହେବା ପରେ ୨୦୧୬ ଅକ୍ଟୋବରରୁ ହିଁ ଛତିଶଗଡ଼ ଏହାର ଗେଟ ପକାଇବା ଆରମ୍ଭ କରି ଦେଇଥିଲା। ଏଭଳି ସ୍ଥିତିରେ ଅଣମୌସୁମୀ ଋତୁରେ ହୀରାକୁଦକୁ ସ୍ୱାଭାବିକ ଜଳପ୍ରବେଶ ମାତ୍ରାଠାରୁ ୭୮ ପ୍ରତିଶତ କମି ଯାଇଥିଲା। ହୀରାକୁଦ ଜଳଭଣ୍ଡାର କ୍ୟାଚମେଣ୍ଟ ଏରିଆ ପାଖାପାଖି ୯୦ ପ୍ରତିଶତ ଛତିଶଗଡ଼ରେ ରହିଥିବା ବେଳେ ବାକି ଅଂଚଳ ଓଡ଼ିଶାରେ ରହିଛି। ମୌସୁମୀ ଋତୁରେ(ଜୁନ୍ରୁ ଅକ୍ଟୋବର ମାସ)ରେ ହୀରାକୁଦକୁ ଯେତିକି ପାଣି ଆସିଥାଏ, ଅଣମୌସୁମୀ ଋତୁରେ(ନଭେମ୍ବରରୁ ମେ’)ରେ ତା’ଠାରୁ ଯଥେଷ୍ଟ କମ୍ ପାଣି ଜଳଭଣ୍ଡାରକୁ ପ୍ରବେଶ କରିଥାଏ। ଗତ ୪ ବର୍ଷର ପରିସଂଖ୍ୟାନ ଦେଖିଲେ ହୀରାକୁଦ ଜଳଭଣ୍ଡାରକୁ ଜଳପ୍ରବେଶ ମାତ୍ରା ହ୍ରାସ ପାଇବାରେ ଲାଗିଛି।

୨୦୧୩-୧୪ ମସିହାରେ ଅଣମୌସୁମୀ ଋତୁରେ ୧.୪୫୦ ନିୟୁତ ଏକର ଫୁଟ୍, ୨୦୧୪ -୧୫ ମସିହାରେ ୧.୩୫୫ ନିୟୁତ ଏକର ଫୁଟ୍ ଏବଂ ୨୦୧୫-୧୬ ଅଣମୌସୁମୀ ଋତୁରେ ମାତ୍ର ୦.୯୦୭ ନିୟୁତ ଏକର ଫୁଟ୍ ପାଣି ପ୍ରବେଶ ଜଳଭଣ୍ଡାରକୁ ପ୍ରବେଶ କରିଥିଲା। ତେବେ ସବୁଠାରୁ ଉଦ୍ବେଗଜନକ କଥା ହେଲା, ଗତ ମୌସୁମୀ ଋତୁରେ ଛତିଶଗଡ଼ ସରକାର ମାତ୍ର ୧୧.୮୭୧ ନିୟୁତ ଫୁଟ୍ ପାଣି ମହାନଦୀରେ ଓଡ଼ିଶା ପାଇଁ ଛାଡ଼ିଥିଲେ। ଯାହାକି ୨୦୧୬ ମସିହା ତୁଳନାରେ ୪.୮୦୧ ନିୟୁତ ଏକର ଫୁଟ ଏବଂ ୨୦୧୪ ତୁଳନାରେ ୧୪.୬୮୪ ନିୟୁତ ଏକର ଫୁଟ୍ କମ୍ ହୋଇଥିବା ରେକର୍ଡ କରାଯାଇଛି। ମହାନଦୀର ବିବାଦ ସମାଧାନ ପାଇଁ ଟିବ୍ର୍ୟୁନାଲ ଗଠନ ହୋଇଥିବା ବେଳେ ଛତିଶଗଡ଼ ସରକାର ୨୦୨୨ ମସିହା ସୁଦ୍ଧା ମହାନଦୀ ଓ ଏହାର ଉପନଦୀମାନଙ୍କରେ ଥିବା ବିଭିନ୍ନ ଡ୍ୟାମକୁ ସଂଯୋଗ କରିବାର କାମ ଶେଷ କରିବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ କାମ ଚଳାଇଛି। ଏଭଳି ହେଲେ ଓଡ଼ିଶାର ଜୀବନରେଖା ମହାନଦୀ ଆଗାମୀ ଦିନରେ ବର୍ଷା ଋତୁରେ ବି ଶୁଖିଲା ରହିବ। ଆଉ ଓଡ଼ିଶାବାସୀଙ୍କ ଭୟଙ୍କର ସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିବ।