ଢେଉ ମାଡରେ ନଦୀ ବନ୍ଧରୁ ଖସୁଛି ଅତଡା । ନଦୀ ଗର୍ଭକୁ ଚାଲିଯାଉଛି ଚାଷଜମି ଓ ଲୁଣା ଜଙ୍ଗଲ । ଚିନ୍ତାରେ ମହାକାଳପଡାରୁ ନଈକୂଳିଆ ଗ୍ରାମବାସୀ ।

81

କନକ ବ୍ୟୁରୋ: କୂଳ ଖାଉଛି ମହାନଦୀ । ଆଉ ନଦୀ ଗର୍ଭରେ ଲୀନ ହୋଇଯାଉଛି ଜମିବାଡି ସାଙ୍ଗକୁ ହେକ୍ଟର ହେକ୍ଟର କାଜୁ ଜଙ୍ଗଲ । ନଦୀର ପ୍ରଖର ଶ୍ରୋତ ସହିତ ଜୁଆର ମାଡ ହୋଇ ଅତଡା ଖାଉଛି ଆଉ ଆଗକୁ ଆଗକୁ ମାଡିଚାଲିଛି ମହାନଦୀ ।

କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକ ବାହାକୁଦ, ବରଜ ବାହାକୁଦ ଏବଂ ପିତାପାଟ ଗାଁର ଲୋକଙ୍କ ନିଦ ହଜେଇ ଦେଇଛି ମହାନଦୀ । ନଦୀ ନାଳ ଘେରା ବ୍ଲକରେ ଏମିତି ଅନେକ ଗାଁ ନଦୀକୂଳରେ ରହିଛି । ବାହାକୁଦ ଗାଁ ନିକଟ ଦେଇ ବହିଯାଉଥିବା ମହାନଦୀ ଲୋକଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ଢେଉ ମାଡ କରି ନଦୀ କୂଳ ଖାଉଛି, ନିଜ ଗର୍ଭରେ ଚାଷଜମି ସହ ଲୋକଙ୍କ ଭିଟାମାଟିକୁ ଲୀନ କରି ଦେଉଛି । କେବଳ ଏତିକି ନୁହେଁ, ପ୍ରାକୃତିକ ଦୁର୍ବିପାକରୁ ଉପକୂଳକୁ ସରୁକ୍ଷା ଦେଉଥିବା ହେକ୍ଟର ହେକ୍ଟର ଲୁଣା ଜଙ୍ଗଲ ବି ନଦୀ ଗର୍ଭକୁ ଚାଲିଯାଉଛି ।

ମହାକାଳପଡା ବ୍ଲକ ରାମନଗର ଏବଂ ବତୀଘର ପଂଚାୟତରେ ବି ମହାନଦୀ କୂଳ ଖାଉଛି । ତଟବନ୍ଧ ବିଭାଗ ପକ୍ଷରୁ କୂଳ ଖାଉଥିବା ସ୍ଥାନଗୁଡିକରେ ପଥର ପ୍ୟାକିଂ ସହ ରକ୍ଷଣାବେକ୍ଷଣ କରାଯାଉଛି, ହେଲେ ନୂଆ ନୂଆ ସ୍ଥାନରେ ନଦୀ କୂଳ ଖାଉଥିବାରୁ ଚିନ୍ତା ବଢୁଛି । ବାହାକୁଦ ଫେରିଘାଟ ଠାରୁ ମହାନଦୀ ମୁହାଣ ଯାଏଁ ନଦୀ କୂଳ ଖାଉଥିବା ବେଳେ ସମସ୍ୟାର ସମାଧାନ ପାଇଁ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯିବ ବୋଲି କୁହାଯାଇଛି ।

ମହାନଦୀ କୂଳ ଖାଉଥିବା ସ୍ଥାନରେ ପ୍ରାୟ ୬୦୦ ମିଟରର ତଟ ବନ୍ଧ ନିର୍ମାଣ କରିବା ଯୋଜନା ରଖିଛି ତଟରକ୍ଷୀ ବିଭାଗ । ତେବେ ବିଭାଗୀୟ ଅଧିକାରୀ ଖୁବଶୀଘ୍ର ମହାନଦୀ କୂଳ ଖାଉଥିବା ସ୍ଥାନ ଗୁଡିକର ଚିହ୍ନଟ କରି ତ୍ୱରିତ ପଦକ୍ଷେପ ଗ୍ରହଣ ନକଲେ ସ୍ଥିତି ଅଣାୟତ ହେବାର ଆଶଙ୍କା ରହିଛି ।