ମହାରୂପରେ ମହାନଦୀ : ୬ ଜିଲ୍ଲାରେ ବିପତ୍ତି ଆଣିପାରେ ବନ୍ୟା

247

କନକ ବ୍ୟୁରୋ :  ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଉତ୍ତର ଛତିଶଗଡ଼ ଆଡ଼କୁ ଗତି କରିଛି। ଏହାର ପ୍ରଭାବରେ ଓଡ଼ିଶାରେ ଗତକାଲି ଠାରୁ ଆଉ ବଡ଼ ବର୍ଷା ନାହିଁ। ହେଲେ ଉପରମୁଣ୍ଡରେ ହୋଇଥିବା ଭାରି ବର୍ଷା ଏବେ ମହାନଦୀରେ ମଧ୍ୟମରୁ ବଡ଼ ବନ୍ୟା ପରିସ୍ଥିତି ସୃଷ୍ଟି କଲାଣି।

ହିସାବ କରାଯାଉଛି ଯେ ଅପରାହ୍ନ ପରେ ମୁଣ୍ଡୁଳି ଦେଇ ସେକେଣ୍ଡ ପ୍ରତି ୧୦ରୁ ସାଢେ ଦଶ ଲକ୍ଷ ଘନଫୁଟ ପର୍ଯ୍ୟନ୍ତ ପାଣି ପ୍ରବାହିତ ହେବ। ଯେହେତୁ ଭୀଷଣ ବର୍ଷା କାରଣରୁ ତଳଅଞ୍ଚଳ ଜଳମଗ୍ନ ରହିଛି, ଏତିକି ପରିମାଣର ବନ୍ୟା ପାଣି ବି ଯଥେଷ୍ଟ କ୍ଷତି ପହଞ୍ଚାଇପାରେ ବୋଲି କୁହାଯାଉଛି। ପରିସ୍ଥିତିକୁ ନଜରରେ ରଖି କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଖୋର୍ଧା, ନୟାଗଡ ଓ ପୁରୀ ଜିଲ୍ଲା ପ୍ରଶାସନକୁ ସତର୍କ କରିଦିଆଯାଇଛି। ନଦୀବନ୍ଧ ଉପରେ ତୀକ୍ଷ୍ଣ ନଜର ରଖିବା ସହିତ ଆବଶ୍ୟକସ୍ଥଳେ ଲୋକଙ୍କୁ ନିରାପଦସ୍ଥାନକୁ ସ୍ଥାନାନ୍ତର କରିବାକୁ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ ନିର୍ଦେଶ ଦେଇଛନ୍ତି।

ଅନ୍ୟପଟରେ ସ୍ୱତନ୍ତ୍ର ରିଲିଫ୍ କମିସନର ପ୍ରଦୀପ କୁମାର ଜେନା କହିଛନ୍ତି, ବୁଢାବଳଙ୍ଗ, ସୁବର୍ଣ୍ଣରେଖା, ବୈତରଣୀ ବନ୍ୟା ପରିସ୍ଥିତିରେ ଯଥେଷ୍ଟ ଉନ୍ନତି ଆସିଛି। ତିନିଟି ନଦୀରେ ଜଳପତ୍ତନ ଦ୍ରୁତ ଖସିବାରେ ଲାଗିଛି। ହେଲେ ଯାଜପୁର ଜିଲ୍ଲାର ବରୀରେ ବ୍ରାହ୍ଣଣୀ ନଦୀ ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଇଛି। ଗୋଟିଏ କି ଦୁଇଟି ନୁହେଁ, ବିଭିନ୍ନ ବନ୍ଧରେ ଛୋଟ ବଡ଼ ଅର୍ଥାତ୍ ୧୦ମିଟରରୁ ୧୧୦ ମିଟର ପର୍ଯ୍ୟନ୍ତ ୧୬ଟି ଘାଇ ସୃଷ୍ଟି ହୋଇଛି। ଆଉ ଦିନେ ଦୁଇଦିନ ପର୍ଯ୍ୟନ୍ତ ବ୍ରାହ୍ମଣୀ ସ୍ଥିତି ଅପରିବର୍ତ୍ତିତ ରହିବ। ତେେବ ଉଭୟ ବୈତରଣୀ ଓ ବ୍ରାହ୍ଣଣୀ ପ୍ରଭାବରେ ଯାଜପୁର ଜିଲ୍ଲାର ୧୨୪ଟି ପଞ୍ଚାୟତ ଅନ୍ତର୍ଗତ ୫୩୦ଟି ଗାଁର ପାଖାପାଖି ୪ଲକ୍ଷ ଲୋକ ଜଳବନ୍ଦୀ ରହିଛନ୍ତି। ପାଖାପାଖି ୨୫ହଜାର ଲୋକଙ୍କୁ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଛି।

ଅନୁରୂପ ଭାବେ ବୈତରଣୀରେ ୪ଟି ଘାଇ ହୋଇଛି ଓ ଧାମନଗର ଏବଂ ଭଣ୍ଡାରିପୋଖରୀ ଗଭୀର ଭାବେ ପ୍ରଭାବିତ ହୋଇଛି। ଭଦ୍ରକ ଜିଲ୍ଲାପ୍ରଶାସନ ରାଜ୍ୟ ସରକାରଙ୍କୁ ଯେଉଁ ରିପୋର୍ଟ ଦେଇଛନ୍ତି, ଜିଲ୍ଲାର ୧୧୨ଟି ପଞ୍ଚାୟତ ଅନ୍ତର୍ଗତ ୫୪୩ଟି ଗାଁର ପାଖାପାଖି ୮୦ ହଜାର ଲୋକ ଏବେ ଜଳବନ୍ଦୀ।