କନକ ବ୍ୟୁରୋ : ହୀରାକୁଦରୁ ଛଡ଼ାଯାଇଥିବା ବନ୍ୟାଜଳ କଟକ ମୁଣ୍ଡଳି ଦେଇ ପ୍ରବାହିତ ହେଉଛି । ମୁଣ୍ଡଳୀରେ ସ୍ଥିର ରହିଛି ଜଳସ୍ତର । ତେବେ ବିପଦ ସଂକେତ ତଳେ ଜଳସ୍ତର ରହିଛି । କିନ୍ତୁ ମହାନଦୀ ଓ ଏହାର ଶାଖା ନଦୀ ଯାଇଥିବା ୪ଟି ଜିଲ୍ଲା କଟକ, ପୁରୀ, କେନ୍ଦ୍ରାପଡା, ଜଗତସିଂହପୁର ଓ ପୁରୀର ତଳିଆ ଅଂଚଳରେ ପାଣି ପଶିବା ଆଶଙ୍କା ରହିଛି । ଏହାର ମୁକାବିଲା ପାଇଁ ପ୍ରଶାସନ ତରଫରୁ ସମସ୍ତ ପ୍ରକାର ପ୍ରସ୍ତୁତି କରାଯାଇଛି ।
ବନ୍ୟା ଆଶଙ୍କା ଥିବା ଅଂଚଳରେ ଓଡ୍ରାଫ, ଅଗ୍ନିଶମ ବାହିନୀ ନିୟୋଜିତ ହୋଇଛନ୍ତି । ସରକାରଙ୍କ ପକ୍ଷରୁ ବାରମ୍ବାର କୁହାଯାଉଛି ମହାନଦୀରେ ବଡ ବନ୍ୟା ହେବାର ସମ୍ଭାବନା ନାହିଁ । ହେଲେ ତଳିଆ ଅଂଚଳରେ ଥିବା କେନ୍ଦ୍ରାପଡାର ମହାକାଳପଡା, ଗରଦପୁର, ଡେରାବିଶ୍, ମାର୍ଶାଘାଇ ଓ କେନ୍ଦ୍ରାପଡା ବ୍ଲକର ତଳିଆ ଅଂଚଳ ପ୍ରଭାବିତ ହେବାର ଆଶଙ୍କା ରହିଛି । କଟକର ଆଠଗଡ, ବାଙ୍କି, ସାଲେପୁର, କିଶନଗର ଓ ନିଆଳି ବ୍ଲକର ବିଭିନ୍ନ ତଳିଆ ଅଂଚଳକୁ ବନ୍ୟା ପାଣି ପଶିଯିବା ଭୟ ରହିଛି ।
ଜଗତସିଂହପୁରର ରଘୁନାଥପୁର, ତିର୍ତୋଲ, ଧୋୟା ଅଂଚଳକୁ ଭୟ ରହିଛି । ସେହିପରି ପୁରୀ ଜିଲ୍ଲାର କଣାସ, ସତ୍ୟବାଦୀ, କାକଟପୁର, ନିମାପଡ଼ା ଓ ପିପିଲି ବ୍ଲକର ତଳିଆ ଅଂଚଳରେ ପାଣି ପଶିବାର ଆଶଙ୍କା ସୃଷ୍ଟି ହୋଇଛି । ସେପଟେ ଛତିଶଗଡରେ ବର୍ଷା କମିବା ଯୋଗୁଁ କଲମା ବ୍ୟାରେଜରୁ ମହାନଦୀକୁ ଜଳ ନିଷ୍କାସନ ପରିମାଣ କମି ଯାଇଛି । ଫଳରେ ହୀରାକୁଦ ଜଳଭଣ୍ଡାରକୁ ଉପର ମୁଣ୍ଡରୁ କମ୍ ପାଣି ଆସୁଛି । ହୀରାକୁଦର ଅଧିକ ଗେଟ୍ ଖୋଲିବା ସମ୍ଭାବନା ନାହିଁ ।
ତେଣୁ ମହାନଦୀରେ ଏହି ନିମ୍ନ ମଧ୍ୟମ ଧରଣର ବନ୍ୟା ବିଶେଷ କ୍ଷୟକ୍ଷତି କରିବ ନାହିଁ ବୋଲି ଅନୁମାନ କରାଯାଉଛି । ମୁଣ୍ଡଳିରେ ହୀରାକୁଦଦ ବନ୍ୟା ଜଳ ପହଁଚି ଥିଲେ, ବି ଜଳସ୍ତର ବିପଦ ସଂକେତ ତଳେ ରହିଛି । ସେହିପରି ଅନ୍ୟ ନଦୀର ବି ଜଳସ୍ତର ବିପଦ ସଂକେତ ତଳେ ରହିଛି ।
ନଦୀ ସ୍ଥାନ ବିପଦ ସଙ୍କେତ ସକାଳ ୬ଟା
ମହାନଦୀ ନରାଜ ୨୬.୪୧ ୨୫.୯୫
କୁଶଭଦ୍ରା ନିମାପଡ଼ା ୧୦.୭୬ ୦୭.୩୬
ବ୍ରାହ୍ମଣୀ ଜେନାପୁର ୨୩.୦୦ ୨୧.୩୭
ବୈତରଣୀ ଆଖୁଆପଦା ୧୭.୮୩ ୧୭.୭୩
ସୁବର୍ଣ୍ଣରେଖା ରାଜଘାଟ ୧୦.୩୬ ୦୯.୭୯
ଜଳକା ମଥାନୀ ୦୫.୫୦ ୦୬.୩୫
Follow Us