ମୁଣ୍ଡଳିରେ ପହଞ୍ଚୁଛି ହୀରାକୁଦ ପାଣି : ବିପଦ ସଂକେତ ତଳେ ଜଳସ୍ତର

109

କନକ ବ୍ୟୁରୋ : ହୀରାକୁଦରୁ ଛଡ଼ାଯାଇଥିବା ବନ୍ୟାଜଳ କଟକ ମୁଣ୍ଡଳି ଦେଇ ପ୍ରବାହିତ ହେଉଛି । ମୁଣ୍ଡଳୀରେ ସ୍ଥିର ରହିଛି ଜଳସ୍ତର । ତେବେ ବିପଦ ସଂକେତ ତଳେ ଜଳସ୍ତର ରହିଛି । କିନ୍ତୁ ମହାନଦୀ ଓ ଏହାର ଶାଖା ନଦୀ ଯାଇଥିବା ୪ଟି ଜିଲ୍ଲା କଟକ, ପୁରୀ, କେନ୍ଦ୍ରାପଡା, ଜଗତସିଂହପୁର ଓ ପୁରୀର ତଳିଆ ଅଂଚଳରେ ପାଣି ପଶିବା ଆଶଙ୍କା ରହିଛି । ଏହାର ମୁକାବିଲା ପାଇଁ ପ୍ରଶାସନ ତରଫରୁ ସମସ୍ତ ପ୍ରକାର ପ୍ରସ୍ତୁତି କରାଯାଇଛି ।

ବନ୍ୟା ଆଶଙ୍କା ଥିବା ଅଂଚଳରେ ଓଡ୍ରାଫ, ଅଗ୍ନିଶମ ବାହିନୀ ନିୟୋଜିତ ହୋଇଛନ୍ତି । ସରକାରଙ୍କ ପକ୍ଷରୁ ବାରମ୍ବାର କୁହାଯାଉଛି ମହାନଦୀରେ ବଡ ବନ୍ୟା ହେବାର ସମ୍ଭାବନା ନାହିଁ । ହେଲେ ତଳିଆ ଅଂଚଳରେ ଥିବା କେନ୍ଦ୍ରାପଡାର ମହାକାଳପଡା, ଗରଦପୁର, ଡେରାବିଶ୍, ମାର୍ଶାଘାଇ ଓ କେନ୍ଦ୍ରାପଡା ବ୍ଲକର ତଳିଆ ଅଂଚଳ ପ୍ରଭାବିତ ହେବାର ଆଶଙ୍କା ରହିଛି । କଟକର ଆଠଗଡ, ବାଙ୍କି, ସାଲେପୁର, କିଶନଗର ଓ ନିଆଳି ବ୍ଲକର ବିଭିନ୍ନ ତଳିଆ ଅଂଚଳକୁ ବନ୍ୟା ପାଣି ପଶିଯିବା ଭୟ ରହିଛି ।

ଜଗତସିଂହପୁରର ରଘୁନାଥପୁର, ତିର୍ତୋଲ, ଧୋୟା ଅଂଚଳକୁ ଭୟ ରହିଛି । ସେହିପରି ପୁରୀ ଜିଲ୍ଲାର କଣାସ, ସତ୍ୟବାଦୀ, କାକଟପୁର, ନିମାପଡ଼ା ଓ ପିପିଲି ବ୍ଲକର ତଳିଆ ଅଂଚଳରେ ପାଣି ପଶିବାର ଆଶଙ୍କା ସୃଷ୍ଟି ହୋଇଛି । ସେପଟେ ଛତିଶଗଡରେ ବର୍ଷା କମିବା ଯୋଗୁଁ କଲମା ବ୍ୟାରେଜରୁ ମହାନଦୀକୁ ଜଳ ନିଷ୍କାସନ ପରିମାଣ କମି ଯାଇଛି । ଫଳରେ ହୀରାକୁଦ ଜଳଭଣ୍ଡାରକୁ ଉପର ମୁଣ୍ଡରୁ କମ୍ ପାଣି ଆସୁଛି । ହୀରାକୁଦର ଅଧିକ ଗେଟ୍ ଖୋଲିବା ସମ୍ଭାବନା ନାହିଁ ।

ତେଣୁ ମହାନଦୀରେ ଏହି ନିମ୍ନ ମଧ୍ୟମ ଧରଣର ବନ୍ୟା ବିଶେଷ କ୍ଷୟକ୍ଷତି କରିବ ନାହିଁ ବୋଲି ଅନୁମାନ କରାଯାଉଛି । ମୁଣ୍ଡଳିରେ ହୀରାକୁଦଦ ବନ୍ୟା ଜଳ ପହଁଚି ଥିଲେ, ବି ଜଳସ୍ତର ବିପଦ ସଂକେତ ତଳେ ରହିଛି । ସେହିପରି ଅନ୍ୟ ନଦୀର ବି ଜଳସ୍ତର ବିପଦ ସଂକେତ ତଳେ ରହିଛି ।

ନଦୀ                     ସ୍ଥାନ             ବିପଦ ସଙ୍କେତ      ସକାଳ ୬ଟା 

ମହାନଦୀ               ନରାଜ              ୨୬.୪୧                 ୨୫.୯୫

କୁଶଭଦ୍ରା              ନିମାପଡ଼ା            ୧୦.୭୬                 ୦୭.୩୬

ବ୍ରାହ୍ମଣୀ                ଜେନାପୁର           ୨୩.୦୦                ୨୧.୩୭

ବୈତରଣୀ            ଆଖୁଆପଦା         ୧୭.୮୩                ୧୭.୭୩

ସୁବର୍ଣ୍ଣରେଖା        ରାଜଘାଟ            ୧୦.୩୬                 ୦୯.୭୯ 

ଜଳକା                ମଥାନୀ               ୦୫.୫୦                 ୦୬.୩୫