କନକ ବ୍ୟୁରୋ : ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲରେ ଓଡ଼ିଶା ପକ୍ଷରୁ ୨୬ଟି ପ୍ରସଙ୍ଗକୁ ନେଇ (ଡ୍ରାଫ୍ଟ ଇସ୍ୟୁ) ସତ୍ୟପାଠ ଦାଖଲ କରାଯାଇଛି। ଟ୍ରିବ୍ୟୁନାଲର ପୂର୍ବ ଆଦେଶ ଅନୁସାରେ ରାଜ୍ୟ ପକ୍ଷରୁ ମହାନଦୀ ଜଳ ବିବାଦକୁ ନେଇ ନିଜର ଯୁକ୍ତି ସପକ୍ଷରେ ସମୁଦାୟ ୨୬ଟି ପ୍ରସଙ୍ଗକୁ ଚୟନ କରାଯାଇଛି। ଏଥିରେ ମହାନଦୀର ଉପରମୁଣ୍ଡର ଛତିଶଗଡ଼ ଦ୍ବାରା ବ୍ୟାରେଜ ଓ ଆନିକଟ୍ ନିର୍ମାଣ କରିବା, ଛତିଶଗଡ଼ ଦ୍ବାରା ଅଭିଯୋଗ ପିଟିସନ ଦାଖଲ କରିବା ଭଳି ପ୍ରସଙ୍ଗ ଗୁଡ଼ିକୁ ଓଡ଼ିଶା ସାମିଲ କରିଛି। ମହାନଦୀ ଟ୍ରିବ୍ୟୁନାଲର ଅଧ୍ୟକ୍ଷ ବିଚାରପତି ଏ ଏମ ଖାନଵିଲରଙ୍କ ଅଧ୍ୟକ୍ଷତାରେ ଗଠିତ ତିନିଜଣିଆ ଖଣ୍ଡପୀଠରେ ମହାନଦୀ ଜଳବିବାଦ ମାମଲାର ଶୁଣାଣି ହେବ।
ପୂର୍ବରୁ ଓଡ଼ିଶା ଦ୍ବାରା ଦାଖଲ କରାଯାଇଥିବା ମଧ୍ୟବର୍ତ୍ତୀକାଳୀନ ଆବେଦନର ଶୁଣାଣି କରି ଟ୍ରିବ୍ୟୁନାଲ ରାୟ ସଂରକ୍ଷିତ ରଖିବା ସହିତ ଉଭୟ ରାଜ୍ୟକୁ ଆପୋଷ ଆଲୋଚନା ମାଧ୍ୟମରେ ମାମଲାର ସମାଧାନ କରିବା ପାଇଁ ପରାମର୍ଶ ଦେଇଥିଲେ। ଟ୍ରିବ୍ୟୁନାଲଙ୍କ ପରାମର୍ଶ ଅନୁସାରେ ଚଳିତମାସରେ ମହାନଦୀ ବେସିନର ଅଞ୍ଚଳରେ ଉଭୟ ରାଜ୍ୟ ପରସ୍ପର ପ୍ରକଳ୍ପ କ୍ଷେତ୍ର ପରିଦର୍ଶନ କରିସାରିଛନ୍ତି। ଟ୍ରିବ୍ୟୁନାଲଙ୍କୁ କ୍ଷେତ୍ର ପରିଦର୍ଶନ ସମ୍ପର୍କରେ ଅବଗତ କରାଯିବ ବୋଲି ଜଣାପଡ଼ିଛି। ଏତଦ୍ ବ୍ୟତୀତ ଛତିଶଗଡ଼ ଦ୍ବାରା କେନ୍ଦ୍ର ସରକାରଙ୍କ ନିକଟରେ ଲୋଡ଼ା ଯାଇଥିବା କିଛି ତଥ୍ୟ ସମ୍ପର୍କରେ ମଧ୍ୟ ସବିଶେଷ ବିବରଣୀ ଦିଆଯିବ। ଉଲ୍ଲେଖଯୋଗ୍ୟ ବୁଧବାର ଦିନ ଓଡ଼ିଶା ଛତିଶଗଡ଼ ଦ୍ବାରା ଦାଖଲ କରାଯାଇଥିବା ଜବାବର ପ୍ରତିବାଦ ଦାଖଲ କରିଥିଲା।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/02/MAHANADI.jpg)