କନକ ବ୍ୟୁରୋ : ଖରା ଆରମ୍ଭରୁ ଶୁଖିଲାଣି ମହାନଦୀ । ଛତିଶଗଡର ଏକଚାଟିଆ କାରବାର ଯୋଗୁଁ ଅଣ-ମୌସୁମୀ ଋତୁରେ ମହାନଦୀକୁ କମିଛି ଜଳପ୍ରବାହ । ବେଆଇନ ଭାବେ ବ୍ୟାରେଜ୍ ନିର୍ମାଣ କରି ପଡ଼ୋଶୀ ରାଜ୍ୟ ପାଣି ଅଟକାଉଥିବାରୁ ଓଡ଼ିଶାରେ ଏମିତି ସ୍ଥିତି ସୃଷ୍ଟି ହୋଇଛି ।
ମହାନଦୀ ପାଣି ପାଇଁ ପ୍ରତିବନ୍ଧକ ପଡୋଶୀ । ଛତିଶଗଡ ପାଖରେ ବନ୍ଧା ପଡିଛି ଓଡ଼ିଶାର ବଡନଦୀ । ଶୁଖିଲା ପଡିଛି ଓଡିଶାର ଜୀବନଧାରା ମହାନଦୀ । ପଡୋଶୀ ଛତିଶଗଡର ଏକଚାଟିଆ କାରବାର ଯୋଗୁ ଅଣ-ମୌସୁମୀ ଋତୁରେ ମହାନଦୀକୁ କମିଛି ଜଳପ୍ରବାହ । ଛତିଶଗଡ ବେଆଇନ ଭାବରେ ନିର୍ମାଣ କରିଥିବା ବ୍ୟାରେଜରେ ପାଣି ଅଟକାଇ ରଖୁଥିବାରୁ ଓଡିଶାରେ ସୃଷ୍ଟି ହୋଇଛି ଏମିତି ସାଂଘାତିକ ସ୍ଥିତି ।
ଓଡିଶା ଓ ଛତିଶଗଡ ମଧ୍ୟରେ ଦୀର୍ଘ ଦିନ ଧରି ଚାଲିଥିବା ଜଳ ବିବାଦର ଭାଗ୍ୟ ଏବେ ଟ୍ରିବ୍ୟୁନାଲଙ୍କ ପାଖରେ ଝୁଲି ରହିଛି । ନ୍ୟାୟିକ ଲଢେଇ ଚାଲିଥିବାରୁ ଓଡିଶା ନିଜର ହକ୍ ପାଇଁ ଦାବି ମଧ୍ୟ କରିପାରୁନି । ଆଉ ଏହାର ଫାଇଦା ନେଇ ମନଇଚ୍ଛା ପାଣିକୁ ଅଟକାଇ ରଖିଛି ପଡୋଶୀ ରାଜ୍ୟ ।
ମିଳିଥିବା ତଥ୍ୟ ଅନୁସାରେ ଗତ ଜାନୁଆରୀ ମାସରେ ୦.୩୩୨ ମିଲିୟନ ଏକର ଫୁଟ ଜଳ ହୀରାକୁଦ ଜଳ ଭଣ୍ଡାରକୁ ପ୍ରବେଶ କରିଥିବା ବେଳେ, ଫେବୃଆରୀରେ ୦.୧୬୪ ଓ ମାର୍ଚ୍ଚରେ ୦.୧୧୩ ମିଲିୟନ ଏକର ଫୁଟ ଜଳ ଆସିଛି । ଅଣ-ମୌସୁମୀ ଋତୁରେ ଓଡିଶାର ଆବଶ୍ୟକତା ହାରାହାରି ୨ ମିଲିୟନ ଏକର ଫୁଟ ଥିବା ବେଳେ ଜଳପ୍ରବାହ କମିବା ଯୋଗୁ ରାଜ୍ୟର ୧୬ ଜିଲ୍ଲାରେ ସ୍ଥିତି ସଙ୍ଗୀନ ହେଉଛି । କେବଳ ମାର୍ଚ୍ଚ ମାସରେ ପୂର୍ବ ବର୍ଷ ତୁଳନାରେ ହୀରାକୁଦକୁ ୧୨ ପ୍ରତିଶତ କମ୍ ଜଳ ପ୍ରବେଶ କରିଥିବା ଜଳସମ୍ପଦ ବିଭାଗ କହିଛି । ଗତ ୫ ବର୍ଷକୁ ଦେଖିଲେ ହୀରାକୁଦକୁ ୨୦୧୬-୧୭ରେ ୦.୭୦୬ ମିଲିୟନ ଏକର ଫୁଟ, ୨୦୧୭-୧୮ରେ ୦.୭୭୬ ମିଲିୟନ ଏକର ଫୁଟ, ୨୦୧୮-୧୯ରେ ୦.୮୫୩ ମିଲିୟନ ଏକର ଫୁଟ, ୨୦୧୯-୨୦ରେ ୧.୯୪୯ ମିଲିୟନ ଏକର ଫୁଟ, ୨୦୨୦-୨୧ରେ ୧.୧୮୫ ମିଲିୟନ ଏକର ଫୁଟ ଜଳ ପ୍ରବେଶ କରିଛି । ୨୦୧୯ରୁ ୨୧ ମଧ୍ୟରେ ଲଘୁଚାପ ବର୍ଷା ଯୋଗୁ ଜଳପ୍ରବାହ ସ୍ୱାଭାବିକ ଥିବା କହିଛି ବିଭାଗ ।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ମହାନଦୀରେ ଛତିଶଗଡ ଶତାଧିକ ଛୋଟ ବଡ ବନ୍ଧ ନିର୍ମାଣ କରି ଜଳପ୍ରବାହରେ ରୋକ ଲଗାଉଛି । ମୁଖ୍ୟତଃ ଅଣ-ମୌସୁମୀ ଋତୁ ଆସିଲେ କଲମା ବ୍ୟାରେଜର ସମସ୍ତ ଗେଟ୍ ବନ୍ଦ କରି ରଖୁଛି ଯାହା ଫଳରେ ମହାନଦୀର ତଳମୁଣ୍ଡ ଶୁଖିଲା ପଡୁଛି । ଫଳରେ ବିଦ୍ୟୁତ ଉତ୍ପାଦନ ଠାରୁ ଆରମ୍ଭ କରି ଜଳସେଚନ ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ କ୍ଷତିଗ୍ରସ୍ତ ହେଉଛି ଓଡିଶା । ପିଇବା ପାଣି ସମସ୍ୟା ମଧ୍ୟ ଉତ୍କଟ ହେବାରେ ଲାଗିଛି ।