କନକ ବ୍ୟୁରୋ : ଭିଡ଼ିଓ ବାର୍ତ୍ତା ଜରିଆରେ ରାୟବରେଲିରୁ ରାୟଗଡା ସଭାକୁ ସମ୍ବୋଧିତ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଭିଡ଼ିଓ ବାର୍ତ୍ତାରେ ରାହୁଲ କହିଛନ୍ତି, ନିର୍ବାଚନ ସମୟରେ ଲୋକତନ୍ତ୍ର ଓ ସମ୍ବିଧାନ ଉପରେ ଆକ୍ରମଣ ହେଉଛି । କଂଗ୍ରେସ ଓ ଇଣ୍ଡିଆ ମେଣ୍ଟ ଲୋକତନ୍ତ୍ର ଓ ସମ୍ବିଧାନକୁ ବଞ୍ଚାଇବାକୁ ଚେଷ୍ଟା କରୁଛି । ବିଜେପି ଓ ପ୍ରଧାନମନ୍ତ୍ରୀ ମୋଦୀ ସମ୍ବିଧାନ ଓ ଲୋକତନ୍ତ୍ରକୁ ଶେଷ କରିବାକୁ ଚାହୁଁଛନ୍ତି । ଦେଶର ଗରିବ, ଶ୍ରମିକ, ଆଦିବାସୀ, ପଛୁଆବର୍ଗଙ୍କୁ ଯାହା ବି ମିଳିଛି ତାହା ସମ୍ବିଧାନ କାରଣରୁ ମିଳିଛି । କିନ୍ତୁ ଏହାକୁ ଶେଷ କରିବାକୁ ଚାହୁଁଛି ବିଜେପି ।

Advertisment

ରାହୁଲ କହିଛନ୍ତି, ୨୦ରୁ ୨୫ ଉଦ୍ୟୋଗପତିଙ୍କୁ ଲାଭ ପହଞ୍ଚାଇବାକୁ ପବ୍ଲିକ ସେକ୍ଟରକୁ ପ୍ରାଇଭେଟ ସେକ୍ଟରରେ ପରିଣତ କରି ସାରିଲାଣି ବିଜେପି । କିନ୍ତୁ କଂଗ୍ରେସ ନିଷ୍ପତ୍ତି ନେଇଛି, ଯେତିକି ଟଙ୍କା ବିଜେପି ଉଦ୍ୟୋଗପତିଙ୍କୁ ଦେଉଛି, ସେତିକି ଟଙ୍କା କଂଗ୍ରେସ ଗରିବ, ଆଦିବାସୀ, ଚାଷୀ,ମହିଳା ଓ ଶ୍ରମିକଙ୍କୁ ଦେବ । ଆଦିବାସୀ ହେଉଛନ୍ତି ଦେଶର ପ୍ରଥମ ନାଗରିକ, ବିଜେପି ଆଦିବାସୀଙ୍କ ବନବାସୀ କହୁଛି । ଏଭଳି କହି ଆଦିବାସୀଙ୍କୁ ଅପମାନ କରୁଛି ବିଜେପି । କଂଗ୍ରେସ ଆଦିବାସୀଙ୍କ ଅଧିକାର ପାଇଁ ଲଢେଇ କରୁଛି ।

ଭାରତରେ ଏବେ ୨୨ ଜଣ ଲୋକଙ୍କ ପାଖରେ ସେତିକି ଟଙ୍କା ଅଛି ଯେତିକି ଦେଶର ୭୦ କୋଟି ଲୋକଙ୍କ ପାଖରେ ରହିଛି । ନରେନ୍ଦ୍ର ମୋଦି ଏହି ୨୨ ଉଦ୍ୟୋଗପତିଙ୍କୁ ୧୬ ଲକ୍ଷ କୋଟି ଋଣଛାଡ କରିଛନ୍ତି । କଂଗ୍ରେସ ଚାଷୀଙ୍କର ଋଣ ଛାଡ କରିଛି । କିନ୍ତୁ ଏବେ ମୋଦି ଯେତିକି ଟଙ୍କା ୨୨ ଉଦ୍ୟୋଗପତିଙ୍କୁ ଛାଡ କରିଛନ୍ତି ସେତିକି ଟଙ୍କାରେ ଚାଷୀଙ୍କର ୨୪ ବର୍ଷ ପର୍ଯ୍ୟନ୍ତ ଋଣ ଛାଡ ହୋଇପାରିଥାନ୍ତା ।

କଂଗ୍ରେସ ଦେଶବାସୀଙ୍କ ପାଇଁ ୫ ଗ୍ୟାରେଣ୍ଟି ଆଣିବ । ଯେଉଁଥିରେ ଦେଶର ଗରିବ ପରିବାରକୁ ଚିହ୍ନଟ କରାଯିବା ସହ ଉକ୍ତ ପରିବାରର ଜଣେ ମହିଳାଙ୍କ ଆକାଉଣ୍ଟକୁ ବାର୍ଷିକ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପଠାଯିବ । ଗରିବୀରୁ ନମୁକୁଳିବା ପର୍ଯ୍ୟନ୍ତ ଏଭଳି ସହାୟତା ଦିଆଯିବ । କଂଗ୍ରେସ ଏଥିପାଇଁ ମହାଲକ୍ଷ୍ମୀ ଯୋଜନା ଆଣିବ । ପେହେଲି ନୌକରି ପକ୍କି ଯୋଜନାରେ ପ୍ରତ୍ୟେକ ଶିକ୍ଷିକ ବେକାରୀ ଯୁବକଙ୍କୁ ନିଯୁକ୍ତି ଗ୍ୟାରେଣ୍ଟି ଦିଆଯିବ । ଯେକୌଣସି କ୍ଷେତ୍ରରେ ୧ ବର୍ଷ ପର୍ଯ୍ୟନ୍ତ ନିଯୁକ୍ତି ଦେବାକୁ ଗ୍ୟାରେଣ୍ଟି ଦେଇଛି କଂଗ୍ରେସ । ସେହିଭଳି ଏହି ଯୁବକଙ୍କ ଆକାଉଣ୍ଟକୁ ମଧ୍ୟ ବର୍ଷେ ପର୍ଯ୍ୟନ୍ତ ଏକ ଲକ୍ଷ ଟଙ୍କା ସହାୟତା ରାଶି ଯିବ । ଚାଷୀଙ୍କ ଋଣ ଛାଡ କରାଯିବ । ଚାଷୀଙ୍କୁ ବିଭିନ୍ନ ଫସଲ ପାଇଁ ଉପଯୁକ୍ତ ମୂଲ୍ୟ ମିଳିବ । ମନେରଗା ଶ୍ରମିକଙ୍କୁ ୪୦୦ ଟଙ୍କା ପାରିଶ୍ରମିକ ଦିଆଯିବ, ଆଶା ଓ ଅଙ୍ଗନବାଡି ମହିଳାଙ୍କ ଆୟ ଦୁଇଗୁଣା ବଢିବ, ମହିଳାଙ୍କ ପାଇଁ ସରକାରୀ ଓ ପବ୍ଲିକ ସେକ୍ଟର ଅଫିସରେ ୫୦% ସଂରକ୍ଷଣ ରହିବ । କଂଗ୍ରେସ ସରକାର ଆସିଲେ ଜାତି ଆଧାରରେ ଜନଗଣନା ହେବ । ଆମେ ସମସ୍ତେ ମିଳିତ ଭାବେ ସମ୍ବିଧାନକୁ ରକ୍ଷା କରିପାରିବ । ସମ୍ବିଧାନ ବିନା ଗରିବ, ଆଦିବାସୀ, ପଛୁଆବର୍ଗଙ୍କ ପାଇଁ କିଛି ବି ମିଳିବନି । ତେଣୁ ଏହି ନିର୍ବାଚନ ଲଢିବା ଓ ଜିତିବା ଜରୁରୀ ।

ଆଜି ରାୟଗଡାରେ ନିର୍ବାଚନୀ ସଭାରେ ଯୋଗ ଦେଇଥାନ୍ତେ ରାହୁଲ । କିନ୍ତୁ ରାୟବରେଲିରେ ନାମାଙ୍କନପତ୍ର ଦାଖଲ କରୁଥିବାରୁ ରାୟଗଡା ସଭାକୁ ଆସିପାରିନଥିଲେ ରାହୁଲ । ରାୟବରେଲିରୁ ରହି ଭିଡ଼ିଓ ବାର୍ତ୍ତା ଜରିଆରେ ସମ୍ବୋଧିତ କରିଥିଲେ ରାହୁଲ ଗାନ୍ଧି ।