କନକ ବ୍ୟୁରୋ : ବିହାର ବିଧାନସଭା ନିର୍ବାଚନ ଫଳା ଫଳ କିଛି ସ୍ପଷ୍ଟ ହୋଇ ନଥିବା ବେଳେ ଏବେକାର ଟ୍ରେଣ୍ଡ ଦେଖିଲେ ଯାହା ଲାଗୁଛି ବିହାରରେ ମୁଖ୍ୟମନ୍ତ୍ରୀ ବଦଳି ପାରନ୍ତି କିନ୍ତୁ ଏନଡିଏ ସରକାର କରିବାର ରାସ୍ତା ଧିରେ ଧିରେ ସଫା ହେବାରେ ଲାଗିଛି । ଦିନ ୧୧.୩୦ ମଧ୍ୟରେ ମିଳିଥିବା ସୂଚନା ମୁତାବକ ଏନଡିଏ ୧୨୮ ଆସନରେ ଆଗୁଆ ରହିଛି । ସରକାର କରିବାକୁ ୧୨୨ ଆସନର ଆବଶ୍ୟକତା ଥିବା ବେଳେ ଏନଡିଏ ଏହି ମ୍ୟାଜିକ୍ ନମ୍ବର ଉପରେ ଆଗୁଆ ଚାଲିଛି । ଏଥିରେ ବିଜେପି ୭୨ ଟି ଆସନରେ ଆଗୁଆ ଚାଲିଛି ଓ ଜେଡିୟୁ ୫୧ ଟି ଆସନରେ ଆଗୁଆ ଅଛି । ଏଭଳି ସ୍ଥିତିକୁ ନଜର କଲେ ଏନଡିଏ ମେଣ୍ଟରେ ବିଜେପି ହିଁ ବଡପାର୍ଟି ହେବାକୁ ଯାଉଛି । ଫଳରେ ନିତୀଶଙ୍କ ହାତରୁ ମୁଖ୍ୟମନ୍ତ୍ରୀ ପଦ ଯିବା ସୁନିଶ୍ଚିନ୍ତ । କାରଣ ଏନଡିଏକୁ ଏକାକି ବହୁମତ ନମିଳିଲେ ଏଲଜେପିକୁ ସାଙ୍ଗରେ ନେବାକୁ ଚାହିଁବ ବିଜେପି । ଏଲଜେପି ମୂଳରୁ କହିଛି କି ନିତୀଶଙ୍କ ମୁଖ୍ୟମନ୍ତ୍ରୀତ୍ୱରେ ସେ ଏନଡିଏରେ ସାମିଲ ହେବ ନାହିଁ । ଏହାକୁ ନଜର କଲେ ବିଜେପି ବାଧ୍ୟହୋଇ ନିତୀଶଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇବ ।

Advertisment

ଏପଟେ ଭୋଟ ଗଣତି ଆରମ୍ଭରୁ ସକାଳ ୧୦ ଟା ଯାଏ ମହାଗଠବନ୍ଧନ ଭଲ ଫଳା ଫଳ ଜଣାପଡୁଥିବା ବେଳେ ମହାଗଠବନ୍ଧନର ଭେଳା ବୁଡାଇବାକୁ ଯାଉଛି କଂଗ୍ରେସ । ମହାଗଠବନ୍ଧନରୁ ଆରଜେଡି ୧୪୪ ଆସନ ଲଢି ୬୦ ଟି ଆସନରେ ଆଗୁଆ ଚାଲିଥିବା ବେଳେ ୭୦ ଆସନରେ ଲଢି କଂଗ୍ରେସ ମାତ୍ର ୨୨ ଆସନରେ ଆଗୁଆ ଚାଲିଛି । କିନ୍ତୁ ଆସନ ଭାଗ ବଣ୍ଟାରେ ବାମଦଳକୁ ଶେଷରେ ୩୦ ଟି ଆସନ ଦେବାକୁ ଆରଜେଡି ରାଜି ହୋଇଥିବା ବେଳେ ଏବେ ବାମ ଦଳର ପ୍ରଦର୍ଶନ ସବୁଠାରୁ ଭଲ ରହିଛି । ବାମଦଳ ମୋଟ ୩୦ ଟି ଆସନରେ ଲଢି ବର୍ତମାନ ସୁଦ୍ଧା ୧୯ ଟି ଆସନରେ ଆଗୁଆ ରହିଛି ।