ଆସିଲା ବିହାର ନିର୍ବାଚନର ବୁଥ୍ ବାହୁଡା ମତ । ଲୋକଙ୍କ ମୁଡ କହୁଛି, ତେଜ ଦେଖାଇବେ ତେଜସ୍ୱୀ, ବିହାରରେ ଜଳିବ ଲଣ୍ଠନ । 

242

କନକ ବ୍ୟୁରୋ : ବିହାରରୁ ଆସିଲା ବୁଥ୍ ବାହୁଡା ମତ । ତୃତୀୟ ପର୍ଯ୍ୟାୟ ନିର୍ବାଚନ ଶେଷ ପରେ ଆସିଛି ସର୍ଭେ ରିପୋର୍ଟ । କିଏ ହେବ ବିହାରର ବାଜିଗର, କାହା ନାଁରେ ମୋହର ମାରିଛନ୍ତି ବିହାରବାସୀ । ଏଭଳି ଅନେକ ପ୍ରଶ୍ନ ଉପରୁ ପରଦା ହଟାଇଛି ବୁଥ୍ ବାହୁଡା ମତ । ଚଳିତ ନିର୍ବାଚନରେ ସରକାର ଗଠନ ପାଇଁ ହୋଇପାରେ କଡା ଟକ୍କର । ସରକାର ଗଢିବାକୁ ନୀତିଶ ଓ ତେଜସ୍ୱୀଙ୍କ ମଧ୍ୟରେ କଡା ମୁକାବିଲା ଦେଖିବାକୁ ମିଳିପାରେ । କିନ୍ତୁ ଏହି ରେସରେ ତେଜସ୍ୱୀଙ୍କ ପଲ୍ଲା ଭାରି ରହିପାରେ ବୋଲି ବୁଥ ବାହୁଡା ମତରୁ ସ୍ପଷ୍ଟ ଜଣାପଡୁଛି ।

ଟାଇମ୍ସ ନାଓ  ସି ଭୋଟରେ ସର୍ଭେରେ ସରକାର ଗଠନ ପାଇଁ କାହାକୁ ବହୁମତ ମିଳିନଥିବା ବେଳେ କଡା ଟକ୍କର ଦେଖିବାକୁ ମିଳିପାରେ ବୋଲି ଆକଳନ କରାଯାଇଛି ।  ଜେଡିୟୁ ଓ ସହଯୋଗୀ ଦଳକୁ  ୧୧୬, ମହାଗଠବନ୍ଧକୁ ୧୨୦ ଆସନ ମିଳିପାରେ ବୋଲି ପୂର୍ବାନୁମାନ କରାଯାଇଛି । ସେହିଭଳି ଏବିପି ନ୍ୟୁଜର ସର୍ଭେରେ ଆରଜେଡି ଓ ଜେଡିୟୁ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିପାରେ ବୋଲି କୁହାଯାଇଛି । ଜେଡିୟୁ ଓ ସହଯୋଗୀ ଦଳକୁ ୧୦୪ରୁ ୧୨୮, ମହାଗଠବନ୍ଧନ ଖାତାକୁ ୧୦୮ରୁ ୧୩୧ ଆସନ ଯାଇପାରେ ବୋଲି କୁହାଯାଇଛି ।

ତେବେ ରିପବ୍ଲିକ ଟିଭିର ଜନମତ ସର୍ଭେରେ ବିହାରରେ ମହାଗଠବନ୍ଧନ ଏକପ୍ରକାର ସରକାର ଗଢିବା ଦିଗରେ ଯାଉଛି ବୋଲି ସଂକେତ ମିଳିଛି । କାରଣ ଏଠାରେ ଜେଡିୟୁ ଓ ସହଯୋଗୀ ଦଳକୁ ୯୧ରୁ ୧୧୭, ମହାଗଠବନ୍ଧନକୁ ୧୧୮ରୁ ୧୩୮ ଆସନ ମିଳିପାରେ ବୋଲି ପୂର୍ବାନୁମାନ କରାଯାଇଛି । ଅନ୍ୟପଟେ ଟିଭି-୯ ଭାରତବର୍ଷର ବୁଥ ବାହୁଡା ମତ ଜେଡିୟୁ ତଥା ନୀତିଶଙ୍କୁ ବଡ ଝଟକା ଦେଇଛି ।  ଟିଭି-୯ ଭାରତବର୍ଷର ସର୍ଭେରେ ମହାଗଠବନ୍ଧନ ପୁଣିଥରେ କ୍ଷମତାକୁ ଫେରିପାରେ ବୋଲି ସଂକେତ ମିଳିଛି । ମହାଗଠବନ୍ଧନକୁ ୧୧୫ରୁ ୧୨୫ ଆସନ ମିଳିପାରେ ବୋଲି ପୂର୍ବାନୁମାନ କରାଯାଇଥିବା ବେଳେ ଜେଡିୟୁ ଓ ସହଯୋଗୀ ଦଳ ୧୧୦ରୁ ୧୨୦ ଆସନ ମଧ୍ୟରେ ସୀମିତ ରହିପାରେ ବୋଲି କୁହାଯାଇଛି । ବିହାରରେ ୩ଟି ପର୍ଯ୍ୟାୟରେ ନିର୍ବାଚନ ହୋଇଥିବା ବେଳେ ୨୪୩ ଆସନ ବିଶିଷ୍ଟ ବିହାର ବିଧାନସଭା ନିର୍ବାଚନରେ କିଏ ବାଜିମାତ୍ କରୁଛି ତାହା ଆସନ୍ତା ୧୦ ତାରିଖରେ ଭୋଟ ଗଣତିରେ ସ୍ପଷ୍ଟ ହେବ । ବିହାରର ବାଜିଗର ହେବାକୁ ମ୍ୟାଜିକ ନମ୍ବର ୧୨୨ର ଆବଶ୍ୟକତା ଥିବା ବେଳେ ଅଧିକାଂଶ ବୁଥ୍ ବାହୁଡା ମତରେ ମହାଗଠବନ୍ଧନ ଏହି ମ୍ୟାଜିକ ନମ୍ବର ହାସଲ କରୁଥିବାର ଦେଖିବାକୁ ମିଳୁଛି ।