କନକ ବ୍ୟୁରୋ : ୧୩୫ ବର୍ଷର ସବୁଠୁ ପୁରୁଣା ଦଳ କଂଗ୍ରେସର ସବୁଠୁ କ୍ଷମତାଶାଳୀ ସଂଗଠନ କଂଗ୍ରେସ ୱାର୍କିଂ କମିଟି ବୈଠକରେ ମହାଭାରତ । ଏଭଳି ପରିସ୍ଥିତି ବୋଧହୁଏ ପୂର୍ବରୁ କେବେ ବି ଦେଖାଯାଇନଥିଲା । ଗତ ଅଗଷ୍ଟ ୭ ତାରିଖରେ ଦଳର ୨୩ ଜଣ ବରିଷ୍ଠ ନେତା ଜଣେ ପୂର୍ଣ୍ଣକାଳିନ ଓ ସକ୍ରିୟ ସଭାପତି ନିଯୁକ୍ତି ନେଇ ଚିଠି ଲେଖିବା ପରେ ସୋମବାର ଏହି ବୈଠକରେ ଏହାର ସିଧା ପ୍ରତିଫଳନ ଦେଖିବାକୁ ମିଳିଥିଲା ।

Advertisment

କଣ କହିଲେ ସୋନିଆ ଗାନ୍ଧୀ?

ବୈଠକ ଆରମ୍ଭରେ ସଭାନେତ୍ରୀ ସୋନିଆ ଗାନ୍ଧୀ କହିଥିଲେ ତାଙ୍କୁ ଦଳର ଅନ୍ତରୀଣ ଅଧ୍ୟକ୍ଷ ପଦରୁ ମୁକ୍ତ କରାଯାଉ । ଅନ୍ତରୀଣ ଅଧ୍ୟକ୍ଷ ଦାୟିତ୍ୱରେ ରହିବା ଗୋଟେ ବର୍ଷ ବିତିଗଲାଣି, ତେଣୁ ତାଙ୍କୁ ୱାକିଂ କମିଟି ଦଳର ଭଲ ପାଇଁ ବିଚାରବିମର୍ଷ ଆରମ୍ଭ କରୁ, ଏବଂ ତାଙ୍କୁ ଦାୟିତ୍ୱ ମୁକ୍ତ କରାଯାଉ ।

ସୋନିଆଙ୍କ ସପକ୍ଷରେ ବାହାରିଲେ ନେତା

ସୋନିଆ ଗାନ୍ଧୀଙ୍କ ଏହି ପ୍ରସ୍ତାବ ପରେ ଦଳର ବରିଷ୍ଠ ନେତା ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଓ ବରିଷ୍ଠ ନେତା ଏକେ ଆଂଟୋନି ସୋନିଆ ଗାନ୍ଧୀଙ୍କୁ ପଦରେ ରହିବା ପାଇଁ ଅନୁରୋଧ କରିଥିଲେ । ଏବଂ ଚିଠି ଲେଖିଥିବା ନେତାଙ୍କ ଉପରେ ବିରକ୍ତି ପ୍ରକାଶ କରିଥିଲେ । ଏକେ ଆଂଟୋନି କହିଥିଲେ, ଯଦି ସୋନିଆ ପଦବି ଛାଡିବେ ତେବେ ରାହୁଲ ଅଧ୍ୟକ୍ଷ ଭାବେ ଦାୟିତ୍ୱ ନିଅନ୍ତୁ ।

କ’ଣ କହିଲେ ରାହୁଲ ଗାନ୍ଧୀ?

ବୈଠକରେ ରାହୁଲ ଗାନ୍ଧୀ ଚିଠି ଲେଖାଯିବାର ସମୟକୁ ନେଇ ପ୍ରଶ୍ନ ଉଠାଇଥିଲେ । ସେ କହିଥିଲେ ସୋନିଆ ଗାନ୍ଧୀ ଯେତେବେଳେ ହସ୍ପିଟାଲରେ ଭର୍ତି ହୋଇଛନ୍ତି,, ସେଭଳି ସମୟରେ ଚିଠି କାହିଁକି ଲେଖାଗଲା? ଏହାଛଡା ରାହୁଲ କହିଥିଲେ ରାଜସ୍ଥାନର କଂଗ୍ରେସ ସରକାର ସଂକଟ ଦେଇ ଗତି କରୁଥିବାବେଳେ କାହିଁକି ଚିଠି ଲେଖାଯାଇଥିଲା? ଏପରିକି ବିଜେପି ସହ ମିଶି ଏପରି ଚିଠି ଲେଖାଯାଇଛି କି ବୋଲି ସେ ପ୍ରଶ୍ନ କରିଥିଲେ?

ରାହୁଲଙ୍କ ବୟାନକୁ ନେଇ ପ୍ରତିକ୍ରିୟା

ରାହୁଲଙ୍କ ବୟାନ ପରେ ବିଗିଡି ଯାଇଥିଲେ ଗୁଲାମ ନବୀନ ଆଜାଦ୍ । ସେ କହିଥିଲେ, ଯଦି କାହାସହ ମିଳିମିଶି ଏଭଳି କାର୍ଯ୍ୟ କରିଥିବା ପ୍ରମାଣିତ ହୋଇଯାଏ ତେବେ ସେ ଇସ୍ତଫା ଦେଇଦେବେ । କପିଲ ସିବଲ ବି ଟୁଇଟ୍ କରି ରାହୁଲ ଗାନ୍ଧୀଙ୍କ ଅଭିଯୋଗର ଜବାବ ରଖିଥିଲେ । କହିଥିଲେ,

କପିଲ ସିବଲ, କଂଗ୍ରେସ ନେତା ‘‘ବିଜେପିକୁ ସାହାଯ୍ୟ କରୁଥିବା ଅଭିଯୋଗ ହୋଇଛି । କିନ୍ତୁ ମୁଁ ରାଜସ୍ଥାନ ହାଇକୋର୍ଟରେ କଂଗ୍ରେସ ପାର୍ଟିକୁ ବଂଚାଇ ଥିଲି । ମଣିପୁରରେ ଦଳକୁ ବଂଚାଇଥିଲି । ଗତ ୩୦ ବର୍ଷ ଭିତରେ କେବେ ବି କୌଣସି ପ୍ରସଙ୍ଗରେ ବିଜେପି ସପକ୍ଷରେ ବୟାନ ଦେଇ ନାହିଁ । ତଥାପି ବିଜେପି ସହ ମିଶିଛି’ ।
କପିଲ ସିବଲଙ୍କ ଟୁଇଟ୍ ପରେ କଂଗ୍ରେସ ରାଷ୍ଟ୍ରିୟ ପ୍ରବକ୍ତା ରଣଦୀପ ସୁର୍ଯେୱାଲା ଟୁଇଟ୍ କରି କହିଛନ୍ତି ‘‘ବିଜେପି ସହ ମେଂଟ କରିଥିବା ନେଇ ରାହୁଲ ଗାନ୍ଧୀ କିଛି କହି ନାହାଁନ୍ତି । ଏଭଳି ମିଛ ଖବରରେ ଭ୍ରମିତ ହୁଅନ୍ତୁ ନାହିଁ । ଆମେ ନିଜ ଭିତରେ ଲଢ଼େଇ କରିବା ଛାଡି ନିରଙ୍କୁଶ ମୋଦି ସରକାର ବିରୋଧରେ ମିଳିତ ଭାବେ ଲଢ଼ିବା ଆବଶ୍ୟକ’’ ।

ଅବଶ୍ୟ ପରେ ପୂର୍ବ ଟୁଇଟ୍କୁ ହଟାଇ ଏକ ନୂଆ ଟୁଇଟ୍ କରିଥିଲେ ସିବଲ । ରାହୁଲ ଏଭଳି ଶବ୍ଦ ବ୍ୟବହାର କରିନଥିଲେ ବୋଲି କହିଥିବା ସେ ଟୁଇଟରେ ଲେଖିଥିଲେ ।

ଅନ୍ୟପଟେ କଂଗ୍ରେସ ବୈଠକରେ ସଦସ୍ୟମାନେ ଦୁଇ ଭାଗ ହୋଇଯିବା ଖବର ସାମନାକୁ ଆସିବା ପରେ ସମାଲୋଚନା କରିଛି ବିଜେପି । କଂଗ୍ରେସ ଦେଶରୁ ଶେଷ ହୋଇଗଲା ବୋଲି କହିଛନ୍ତିି ବିଜେପି ନେତା ।

କଂଗ୍ରେସ କାର୍ଯ୍ୟକାରୀ କମିଟିରେ ଏଭଳି ମହାଭାରତ ପରେ ପ୍ରସଙ୍ଗ ଆହୁରି ଜଟିଳ ହୋଇପଡିଛି ।  ସବୁଠାରୁ ପୁରୁଣା ପାର୍ଟି ଆଗରେ ଗାନ୍ଧୀ ଓ ଅଣଗାନ୍ଧୀର ବିବାଦ ପୁଣି ଥରେ ବଡ ପ୍ରସଙ୍ଗ ହୋଇ ଠିଆ ହୋଇଛି ।