କନକ ବ୍ୟୁରୋ : ଓଡିଶା ସୀମାରେ ପୁଣି ମହାବଳ ଆତଙ୍କ । ମହେନ୍ଦ୍ରଗିରି ବନାଞ୍ଚଳ ଗଣ୍ଡା ହାତୀ ଅଞ୍ଚଳରେ କିଛି ମାସ ତଳେ ଆତଙ୍କ ଖେଳାଇଥିବା ବାଘ ଏବେ ପୁଣି ଗଜପତି ମୁହାଁ ହୋଇଛି । ଗାଈକୁ ଝାମ୍ପି ନେଇଛି ମହାବଳ । ଅଧା ଖାଇ ଛାଡି ପଳାଇଛି । ଟ୍ରାପ୍ କ୍ୟାମେରାରେ କଏଦ ହୋଇଛି ବାଘର ଦୃଶ୍ୟ । ରାୟଗଡ଼ ବ୍ଲକରେ ବାଘ ବୁଲୁଥିବା ଦେଖିବାକୁ ମିଳିଛି । ବାଘଟି ରାୟଗଡ଼ ଅଳାବର ଗାଁ ନିକଟ ଜଙ୍ଗଲରେ ଗାଈକୁ ମାରି ଖାଇଛି । ପାଖରେ ବାଘର ପାଦଚିହ୍ନ ରହିଛି ।
ବାଘଟି ୨ ଦିନ ତଳେ ମହେନ୍ଦ୍ର ତନୟା ନଦୀ ଆରପଟେ ଥିବା ସରାଳି ଗାଁ ନିକଟ ଜଙ୍ଗଲରେ ବୁଲାବୁଲି କରୁଥିବା ଖବର ମିଳିଥିଲା । ପରବର୍ତ୍ତୀ ସମୟରେ ବାଘଟି ଗଜପତିର ଦେବଗିରି ବନାଞ୍ଚଳର ଅଁଳାବର ଗାଁ ନିକଟ ଜଙ୍ଗଲରେ ବୁଲୁଥିବା ଦେଖିବାକୁ ମିଳିଛି । ବାଘ ଚଳପ୍ରଚଳ କରୁଥିବାରୁ ସ୍ଥାନୀୟ ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ପିଲା ମାନେ ସ୍କୁଲ ବନ୍ଦ କରିଦେଇଥିବା ବେଳେ ଲୋକେ ବାହାରକୁ ଯିବାକୁ ବି ଭୟ କରୁଛନ୍ତି । ରାତିରେ ଅଯଥା ନବାହାରିବା ସହ ଗୃହପାଳିତ ପଶୁଙ୍କୁ ବାନ୍ଧି ରଖିବା ପାଇଁ ବନ ବିଭାଗ ପରାମର୍ଶ ଦେଇଛି । ବାଘ ମାରିଥିବା ଗାଈର ଅନୁକମ୍ପା ମୂଳକ ରାଶି ସରକାରଙ୍କ ଧାର୍ଯ୍ୟ ଅନୁସାରେ ୩୭ ହଜାର ୫ଶହ ଟଙ୍କା ଗାଈ ମାଲିକଙ୍କୁ ପ୍ରଦାନ କରାଯିବ ।
ଗତ ଅକ୍ଟୋବର ୧୯ ତାରିଖରେ ଗଣ୍ଡାହାତୀ ଅନ୍ତର୍ଗତ ସନ୍ତୋଷପୁର ଗାଁର ତେନ୍ତୁଳି ଗଛ ମୂଳରେ ବନ୍ଧା ହୋଇଥିବା ଏକ ଗାଈକୁ ଘୋଷାଡି ନେଇଥିଲା ଏକ ହିଂସ୍ର ଜନ୍ତୁ । ଘଟଣାସ୍ଥଳରୁ ଅଳ୍ପ ଦୂରରେ ଗାଈକୁ ଦରଖିଆ କରି ଛାଡି ଚାଲି ଯାଇଥିଲା । ବନ ବିଭାଗ ପକ୍ଷରୁ ଖଞ୍ଜା ଯାଇଥିବା ଟ୍ରାପ କ୍ୟାମେରା କଏଦ ହୋଇଥିବା ଫଟୋରୁ ସେତେବେଳେ ଜଣାପଡିଥିଲା ଏହା ମହାବଳର କାଣ୍ଡ ।