ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ରତ୍ନ ସିଂହାସନରୁ ସ୍ନାନମଣ୍ଡପକୁ ବିରାଜିବେ ଚତୁର୍ଦ୍ଧାବିଗ୍ରହ। ସ୍ନାନମଣ୍ଡପରୁ ଗଜବେଶରେ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେବେ । ବର୍ଷକ ପରେ ପୁଣିଥରେ ଭକ୍ତ ଓ ଭଗବାନଙ୍କ ମହାମିଳନ ହେବ। ଏଥିପାଇଁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି । ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ ହୋଇଛି । ସ୍ନାନବେଦିକୁ ରଙ୍ଗ ସହ ଆଲୋକମାଳାରେ ସୁସଜ୍ଜିତ କରାଯାଇଛି । ସ୍ନାନବେଦି ଉପରେ ଚାନ୍ଦୁଆ ଲଗାଯାଇଛି । ପହଣ୍ଡି ପୂର୍ବରୁ ଗତକାଲି ଦଇତାପତିଙ୍କ ଦ୍ୱାରା ବାହୁଟକଣ୍ଟ ନୀତି ଶେଷ ହୋଇଥିଲା । ଆଜି କୋଠ ସୁଆଁସିଆ ରତ୍ନସିଂହାସନରେ ଚାରମାଳ ବାନ୍ଧିବା ପରେ ଦଇତାପତିମାନେ ଶ୍ରୀବିଗ୍ରହଙ୍କ ସେନାପଟା ଲାଗି ନୀତିସଂପନ୍ନ କରିଛନ୍ତି ।

Advertisment

ନିର୍ଘଣ୍ଟ ନୀତି ଅନୁଯାୟୀ, ଆଜି ଭୋର୍‌ ସାଢ଼େ ୪ଟାରେ ମଙ୍ଗଳାର୍ପଣ ପରେ ୫ଟାରୁ ୭ଟା ଭିତରେ ଡୋର ଲାଗି ଓ ପୁଷ୍ପାଞ୍ଜଳି ହୋଇ ପହଣ୍ଡି ଆରମ୍ଭ ହୋଇଛି । ଧାଡ଼ି ପହଣ୍ଡିରେ ପ୍ରଥମେ ପ୍ରଭୁ ସୁଦର୍ଶନ, ପରେ ବଡ଼ଠାକୁର ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥ ସ୍ନାନବେଦିକୁ ବିଜେ କରୁଛନ୍ତି । ପହଣ୍ଡି ଶେଷ ପରେ ପୂର୍ବାହ୍ନ ୯ଟା ୧୦ରେ ମଙ୍ଗଳଆଳତି ହେବ । ମଧ୍ୟାହ୍ନ ୧୨ଟା ୨୦ରୁ ଅପରାହ୍ନ ୧ଟା ୪୫ ଭିତରେ ଜଳବିଜେ, ପୂଜା ଓ ସ୍ନାନ ନୀତି ଅନୁଷ୍ଠିତ ହେବ । ଅପରାହ୍ନ ୩ଟାରେ ଗଜପତି ମହାରାଜା ଛେରା ପହଁରା କରିବାପରେ ଅପରାହ୍ନ ୩ଟା ୪୦ରେ ଗଜବେଶ ଆରମ୍ଭ ହେବ । ରାତି ସାଢ଼େ ୭ଟାରୁ ଭକ୍ତଙ୍କ ସାହାଣମେଲା ଦର୍ଶନ ଆରମ୍ଭ ହେବ । ରାତି ସାଢ଼େ ୧୦ଟାରେ ସାହାଣମେଲା ଦର୍ଶନ ବନ୍ଦ ପରେ ରାତି ୧୧ଟାରେ ବେଶ ଓଲାଗି ଓ ସାଢ଼େ ୧୧ଟାରେ ବାହୁଡ଼ା ପହଣ୍ଡି ଆରମ୍ଭ ହେବ । ଗୋଟି ପହଣ୍ଡିରେ ଚତୁର୍ଦ୍ଧାବିଗ୍ରହ ଅଣସର ପିଣ୍ଡିକୁ ବିଜେ କରିବେ । ବାହୁଡ଼ା ପହଣ୍ଡି ରାତି ୨ଟା ଭିତରେ ଶେଷ ହେବ । ପରେ ରାତି ସାଢ଼େ ୨ଟାରେ ସୁନା ଚିତା ଓ ରାହୁରେଖା ମଇଲମ ନୀତି ହେବ ।

ଏଣୁ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଦର୍ଶନ ପାଇଁ ଭକ୍ତମାନେ ସିଂହଦ୍ବାର ଦେଇ ପ୍ରବେଶ କରିବେ, ପଶ୍ଚିମ, ଉତ୍ତର ଓ ଦକ୍ଷିଣ ଦ୍ବାର ଦେଇ ପ୍ରସ୍ଥାନ କରିବେ । ବଡ଼ଦାଣ୍ଡ ଓ ବିଭିନ୍ନ ଗଳିରୁ ଆସୁଥିବା ଭକ୍ତମାନେ ଦର୍ଶନ ପାଇଁ କେବଳ ମାର୍କେଟ୍ ଛକରୁ ଆରମ୍ଭ ହୋଇଥିବା ବ୍ୟାରିକେଡ୍‌ ଦେଇ ପ୍ରବେଶ କରିବେ । ବ୍ୟାରିକେଡ୍‌ ଭିତରେ ଶ୍ରୀମନ୍ଦିର ଅଭିମୁଖେ ଶ୍ରୀକୃଷ୍ଣ ସିନେମା ହଲ୍‌ ପର୍ଯ୍ୟନ୍ତ ଯିବାପରେ ସେଠାରୁ ଶ୍ରୀଜଗନ୍ନାଥ ଅଭ୍ୟର୍ଥନା କେନ୍ଦ୍ରରେ ପହଞ୍ଚିବେ । ଏଠାରେ ଲାଗିଥିବା ମେଟାଲ୍‌ ଡିଟେକ୍ଟରରେ ଯାଞ୍ଚ୍‌ ପରେ ଭକ୍ତମାନେ ଦୋଳବେଦି କୋଣ ଷ୍ଟିଲ୍‌ ବ୍ୟାରିକେଡ୍‌ ଦେଇ ଶ୍ରୀମନ୍ଦିରକୁ ପ୍ରବେଶ କରିବେ । ପହଣ୍ଡି ଟିକେଟଧାରୀ ଭକ୍ତମାନେ ଦକ୍ଷିଣଦ୍ବାର ବ୍ୟାରିକେଡ୍‌ ଦେଇ ଶ୍ରୀମନ୍ଦିରରେ ପ୍ରବେଶ କରିବେ । ପହଣ୍ଡି ଶେଷ ପରେ ଦକ୍ଷିଣଦ୍ବାର ପ୍ରବେଶ ବନ୍ଦ କରି ଦିଆଯିବ । ଏଣୁ ବଡ଼ଦାଣ୍ଡ ମାର୍କେଟ୍‌ ଛକରୁ ସିଂହଦ୍ବାର ପର୍ଯ୍ୟନ୍ତ ଛାୟାପ୍ରଦ ବ୍ୟାରିକେଡ୍‌ ବ୍ୟବସ୍ଥା କରାଯାଇଛି । ମାର୍କେଟ୍‌ ଛକରୁ ଭକ୍ତମାନେ ବ୍ୟାରିକେଡରେ ଧାଡ଼ିରେ ଯାଇ ସ୍ନାନବେଦି ତଳେ ଅସ୍ଥାୟୀ ରାମ୍ପ ଦେଇ ମହାପ୍ରଭୁଙ୍କ ଦର୍ଶନ କରି ଫେରିବେ । ବାଗେଡ଼ିଆ ଧର୍ମଶାଳା ସମ୍ମୁଖରେ ବାହାର ଭକ୍ତଙ୍କ ଦର୍ଶନ ପାଇଁ ସେଡ୍‌ ବ୍ୟବସ୍ଥା କରଯାଇଛି । ଭକ୍ତଙ୍କ ନିର୍ବିଘ୍ନ ଦର୍ଶନକୁ ଚଳିତବର୍ଷ ସର୍ବାଧିକ ଗୁରୁତ୍ବ ଦିଆଯାଇଛି । ଅବରୋଧମୁକ୍ତ ପରବେଶରେ ଭକ୍ତମାନେ ଯେଭଳି ମହାପ୍ରଭୁଙ୍କ ସ୍ନାନନୀତି, ଗଜବେଶ ଦେଖିପାରିବେ, ସେ ଦିଗକୁ ଗୁରୁତ୍ବ ଦିଆଯାଇଛି । ଭିଡ଼ ନିୟନ୍ତ୍ରଣ ଓ ଆଇନଶୃଙ୍ଖଳା ପାଇଁ ୬୮ ପ୍ଲାଟୁନ୍‌ ଫୋର୍ସ ମୁତୟନ ହୋଇଛନ୍ତି । ୪୪୭ ପୁଲିସ ଅଧିକାରୀ, ୫୯୪ ହୋମଗାର୍ଡ, ୪ଶହରୁ ଅଧିକ କନେଷ୍ଟବଳଙ୍କୁ ନିୟୋଜିତ କରାଯାଇଛି ।