ବାପା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଇସ୍ତଫାକୁ ନେଇ ପୁଅ ମହାଆର୍ଯ୍ୟମାନଙ୍କ ଟ୍ୱିଟ୍ । କହିଲେ ଇସ୍ତଫା ଦେବା ପାଇଁ ସାହସ ଦରକାର, ଏଭଳି ନିଷ୍ପତି ପାଇଁ ମୁଁ ଗର୍ବିତ ।

769

କନକ ବ୍ୟୁରୋ : ମଧ୍ୟପ୍ରଦେଶ କଂଗ୍ରେସକୁ ହୋଲିରେ ଶକ୍ତ ଝଟକା । ବରିଷ୍ଠ କଂଗ୍ରେସ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେବା ପରେ ଚଳଚଞ୍ଚଳ ହୋଇଛି ମଧ୍ୟପ୍ରଦେଶ ରାଜନୀତି । କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ପାଖକୁ ସିନ୍ଧିଆ ଇସ୍ତଫା ପତ୍ର ପଠାଇଛନ୍ତି । ଖୋଦ୍ ସିନ୍ଧିଆ ଟ୍ୱିଟ୍ କରି ନିଜ ଇସ୍ତଫା ବାବଦରେ ସୂଚନା ଦେଇଛନ୍ତି ।

ଆଜି ଦିଲ୍ଲୀରେ ଅମିତ ଶାହାଙ୍କ ସହ ଯାଇ ପ୍ରଧାନମନ୍ତ୍ରୀଙ୍କୁ ଭେଟିଥିଲେ ଜ୍ୟୋତିରାଦିତ୍ୟ । ଏହାପରେ ସୋନିଆଙ୍କ ପାଖକୁ ଇସ୍ତଫା ପତ୍ର ପଠାଇଛନ୍ତି ଜ୍ୟୋତିରାଦିତ୍ୟ । ସିନ୍ଧିଆଙ୍କ ଇସ୍ତଫା ପରେ ତାଙ୍କ ସମର୍ଥକ ୨୨ ଜଣ ବିଧାୟକ ମଧ୍ୟ ଇସ୍ତଫା ଦେଇଛନ୍ତି । ୨୨ ବିଧାୟକ ରାଜ୍ୟପାଳଙ୍କ ପାଖକୁ ଇସ୍ତଫା ପତ୍ର ପଠାଇଥିବା ସୂଚନା ମିଳିଛି । ଏହି ଇସ୍ତଫା ପରେ ମଧ୍ୟପ୍ରଦେଶରେ କମଳନାଥ ସରକାର ଭାଙ୍ଗିବା ଏକ ପ୍ରକାର ନିଶ୍ଚିତ ହୋଇଯାଇଛି । ଅନ୍ୟପଟେ ସିନ୍ଧିଆଙ୍କ ଇସ୍ତଫାକୁ ବିଶ୍ୱାସଘାତ ବୋଲି କହିଛି କଂଗ୍ରେସ ।

ତେବେ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଏଭଳି ନିଷ୍ପତି ପରେ ପୂରା ପରିବାର ତାଙ୍କ ସହ ଛିଡା ହୋଇଛି । ଏପରିକି ପୁଅ ମହାଆର୍ଯ୍ୟମାନ ଟ୍ୱିଟ୍ କରି କହିଛନ୍ତି, ଏଭଳି ନିଷ୍ପତି ପାଇଁ ସାହସ ଦରକାର ଓ ବାପାଙ୍କ ଏଭଳି ନିଷ୍ପତି ପାଇଁ ମୁଁ ଗର୍ବିତ । ଇତିହାସ ସାକ୍ଷୀ ଅଛି ଯେ, ମୋର ପରିବାର କେବେ କ୍ଷମତାର ଲୋଭ ରଖିନାହିଁ । ତେବେ ନିର୍ବାଚନ ସମୟରେ ଦିଆଯାଇଥିବା ପ୍ରତିଶୃତି ମୁତାବକ ଭାରତ ଓ ମଧ୍ୟପ୍ରଦେଶରେ ବଡ ଧରଣର ପରିବର୍ତ୍ତନ ଅଣାଯିବ ।

ସେହିଭଳି ତାଙ୍କ ପିଉସୀ ଯଶୋଧରା ସିନ୍ଧିଆ କହିଛନ୍ତି, ମୁଁ ବହୁତ ଖୁସି ଓ ଏଥିପାଇଁ ତାଙ୍କୁ ଶୁଭକାମନା ଜଣାଉଛି । ଏହା ଜ୍ୟୋତିରାଦିତ୍ୟଙ୍କ ଘର ବାହୁଡା ବୋଲି କହିଛନ୍ତି । ଜ୍ୟୋତିରାଦିତ୍ୟଙ୍କ ବାପା ମାଧବରାଓ ସିନ୍ଧିଆ ନିଜର ରାଜନୀତିକ କ୍ୟାରିୟରର ଆରମ୍ଭ ଜନସଂଘରୁ କରିଥିଲେ । ଏପରିକି କଂଗ୍ରେସରେ ଏବେ ଜ୍ୟୋତିରାଦିତ୍ୟଙ୍କୁ ଉପେକ୍ଷା କରାଯାଉଛି । ଏସବୁ ଭିତରେ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଇସ୍ତଫାକୁ ତାଙ୍କ ସମର୍ଥକ ସ୍ୱାଗତ କରିଛନ୍ତି । କହିଛନ୍ତି ଆଗକୁ ମଧ୍ୟପ୍ରଦେଶ ବିକାଶ ପଥରେ ଆଗେଇବ । ସିନ୍ଧିଆଙ୍କ ସମର୍ଥକମାନେ ମଧ୍ୟ କଂଗ୍ରେସରୁ ଇସ୍ତଫା ଦେବେ ବୋଲି କହିଛନ୍ତି ।